ନୂଆଦିଲ୍ଲୀ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର। ମେ’ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ’ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ବିଧାନସଭା ଉପନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ ଏପ୍ରିଲ୍ ୧୩ ତାରିଖରେ। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୨୦ ତାରିଖ। ସେହିପରି, ଏପ୍ରିଲ୍ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆବଶ୍ୟକସ୍ଥଳେ ପ୍ରାର୍ଥୀମାନେ ଏପ୍ରିଲ୍ ୨୪ ତାରିଖ ସୁଦ୍ଧା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।
ସୂଚନାଯୋଗ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଖାଲି ହୋଇଛି ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଥିଲା। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ଯୋଜନା କରାଯାଇଥିଲା।
୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ଷୋଡ଼ଶ ବିଧାନସଭା ଗଠିତ ହୋଇଥିଲା। ଏହାର କାର୍ଯ୍ୟକାଳ ଶେଷ ହେବାକୁ ବର୍ଷେରୁ ଅଧିକ ସମୟ ବାକି ଥିବାରୁ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/15559fa9-582a-49e2-8da7-2e28972a1e94.jpg)