ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପ ପୁଅ ଗିରଫ

ବୌଦ୍ଧ/ହରଭଙ୍ଗା: ଜଙ୍ଗଲରେ ଲାଗିଥିବା ନିଆଁ ବନ ବିଭାଗର ନିଦ ହଜାଇ ଦେଇଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲାରେ ବନାଗ୍ନି ସଚେତନତା ରଥ ବୁଲୁଛି। ସେପଟେ ବନ୍ୟଜନ୍ତୁ ଶିକାର ଓ କାଠ କୋଇଲା ସଂଗ୍ରହ ପାଇଁ ଜଙ୍ଗଲ ନିଆଁ ଲଗାଉଥିବା ଜଣାଯାଇଛି। ଏହାକୁ ରୋକିବା ପାଇଁ ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ ଜଙ୍ଗଲରେ ପଇଁତରା ମାରୁଛନ୍ତି। ଏଭଳି ଏକ ଘଟଣାରେ ରବିବାର ବନ ବିଭାଗ ହରଭଙ୍ଗା ବ୍ଲକ ମାଧପୁରର ବାପ ପୁଅଙ୍କୁ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଗିରଫ କରିଛି।
ପ୍ରାପ୍ତ ସୂଚନା ଅନୁସାରେ ରେଞ୍ଜ ଅଧିକାରୀ ସରୋଜ ମିଶ୍ର, ଫରେଷ୍ଟର ସ୍ବାଧୀନ ସାମଲ, ଫରେଷ୍ଟ ଗାର୍ଡ ସତୀ ରଞ୍ଜନ କମ୍ପ, ସୁବଳ ପ୍ରଧାନଙ୍କ ସହ ସ୍କ୍ବାଡ ଦଳ ମାଧପୁର ଫରେଷ୍ଟ ବିଟର ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ-୧୨ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଜଙ୍ଗଲ ମଧ୍ୟରେ ମାଧପୁର କୋପଲନାସାହିର ବାପ ଆସନ ମାଝୀ(୬୪) ଓ ପୁଅ ଶ୍ୟାମଘନ ମାଝୀ(୩୫)ଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିଥିଲେ। ପଚରାଉଚରା କରିବା ବେଳେ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ସେମାନଙ୍କ କଥାରେ ତାଳମେଳ ନ ରହିବାରୁ ତଲାସି କରାଯିବାରୁ ଦିଆସିଲି ପ୍ୟାକେଟ ମିଳିଥିଲା। ଦିଆସିଲି ସହ ସେମାନଙ୍କ ପାଖରେ ଥିବା ଦୁଇଟି ଟାଙ୍ଗିଆ ଜବତ କରାଯାଇଛି। ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର