ମରୁଡ଼ି ଘୋଷଣା ଦାବିରେ ତହସିଲଦାରଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କଲେ ପଞ୍ଚାୟତବାସୀ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ରେ ଏଥର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖା ଦେଇଥିବା ବେଳେ ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ସ୍ଥିତି ସଂଗିନ ରହିଛି। ପଞ୍ଚାୟତର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ ୭ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କୋକସରା ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।

ଦାବିପତ୍ରରେ ବଡ଼ପୋଡ଼ାଗୁଡା ପଞ୍ଚାୟତ ଚିରମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାବେଳେ ଜଳସେଚନର କୌଣସି ସୁବିଧା ନାହିଁ, ପଞ୍ଚାୟତକୁ ମରୁଡି କବଳରୁ ସ୍ଥାୟୀ ସମାଧାନ କରିବା ପାଇଁ ଜତାଖଳିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଜଳସେଚନ ପାଇଁ ନିକଟରେ ଥିବା ଚନ୍ଦନଘାଟି ହୁଡାକୁ ଭାଙ୍ଗି କ୍ରସବନ୍ଧ ନିର୍ମାଣ କରି କେନାଲ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା, ଛୋଟଚାଷୀଙ୍କୁ ଗଭୀର ନଳକୂପ ପ୍ରଦାନ, ପଞ୍ଚାୟତର ଜମି ବନ୍ଦୋବସ୍ତ ସହ ଅନ୍‌ଲାଇନ ଆର୍‌ଓଆର୍‌ ସହ ମ୍ୟୁଟେସନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା, ସର୍ଗିଗୁଡ଼ା, ରଏନଗୁଡା, ବାବେକୋହରା, ତଲାଗାଁ, ଭାଲିଆଯୋର, ତେଲିଗୁଡା, ଦାବ୍ରିଗୁଡ଼ାକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ, ବଡ଼ପୋଡ଼ାଗୁଡାରେ ଆର୍‌.ଆଇ. କାର୍ଯ୍ୟାଳୟ ଓ ପଶୁ ଚିକିତ୍ସାଳୟ ନିର୍ମାଣ, ପୁରୁଣା ଏଲ୍‌ଆଇ ପଏଣ୍ଟଗୁଡ଼ିକ ମରାମତି କରି ନୂତନ ଏଲ୍‌ଆଇ ପଏଣ୍ଟ ସ୍ଥାପନ, ଚାଷୀଙ୍କ ବିଦ୍ୟୁତ ଶୁଳ୍କ ଛାଡ଼, ପୋଡ଼ାଗୁଡା ଗ୍ରାମକୁ ମଡେଲ ଗ୍ରାମ ଘୋଷଣା କରାଯାଉ ବୋଲି ଦାବି କରାଯାଇଛି। ଚାଷୀମାନେ ଏକ ଶୋଭାଯାତ୍ରାରେ ଆସି କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ କୃଷକ ମଞ୍ଚର ସଭାପତି ଟଙ୍କଧର ପୂଝାରୀ, ସଂପାଦକ ହରିଶ୍ଚନ୍ଦ୍ର ନାଏକ, ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ, ମନୋଜ ଦାସ, ଗୋବର୍ଦ୍ଧନ ନାଏକ, ନାଏବ ସରପଞ୍ଚ ବିଡୁ ନାଏକ, ଧନବଳ ମାଝୀ, ପରକ୍ଷୀତ ବେଶ୍ରା, ଧନୁ ଦୁର୍ଗା, ବିମଳ ଦାସ, କୃଷ୍ଣଚନ୍ଦ୍ର ନାଏକଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର