ବାଲେଶ୍ବର : ପରିବାରରେ କେହି ଜନ୍ମରୁ ଅନ୍ଧ ନଥିଲେ। ବାପା ପିଲାବେଳେ ବସନ୍ତ ରୋଗରେ ଆକ୍ରାନ୍ତ ହେବାର କିଛିଦିନ ପରେ ଦୃ୍ଷ୍ଟିଶକ୍ତି ହରାଇ ବସିଲେ। ମାଆ ବି ପିଲାବେଳେ ଜଣ୍ଡିସ୍‌ ରୋଗର ଶିକାର ହୋଇ ଅନ୍ଧ ହୋଇଗଲେ। ତେବେ ଭାଗ୍ୟର ବିଡ଼ମ୍ବନା ଏମିତି ଯେ, ଏହି ଦମ୍ପତିଙ୍କ କୋଳରେ ଜନ୍ମଲାଭ କରିଥିବା ୪ ବର୍ଷର କନ୍ୟାସନ୍ତାନ ମଧ୍ୟ କର୍କଟ ରୋଗର ଶିକାର ହୋଇ ଦୃଷ୍ଟିଶକ୍ତି ହରାଇ ବସିଛି। ଅତ୍ୟାଧୁନିକ ଚିକିତ୍ସା ଦ୍ବାରା କୁନିଝିଅଟି ପୁଣି ଦୁନିଆକୁ ଦେଖିପାରିବ ବୋଲି କହିଛନ୍ତି ଚକ୍ଷୁ ବିଶେଷଜ୍ଞ। ହେଲେ, ଗରିବ ଅନ୍ଧ ବାପାମାଆ ଯେଉଁଠି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି, ସେଠି ୧୫ ଲକ୍ଷ ଖର୍ଚ୍ଚ କରିବା ସେମାନଙ୍କ ପାଇଁ ସ୍ବପ୍ନ। ତଥାପି ଆଶା ହରାଇନାହାନ୍ତି ଏହି ଅନ୍ଧ ଦମ୍ପତି। ଝିଅର ଚିକିତ୍ସା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂଗଠନ ଓ ବଦାନ୍ୟ ବ୍ୟକ୍ତିବିଶେଷଙ୍କୁ ହାତପାତି ନେହୁରା ହୋଇଛନ୍ତି।

Advertisment

ପୁରୀ ଜିଲ୍ଲା ପିପିଲି ଥାନା ମଙ୍ଗଳପୁର ଅଞ୍ଚଳରେ ଭଡ଼ାନେଇ ରହୁଛନ୍ତି ଅଶୋକ କୁମାର ନାୟକ, ପତ୍ନୀ ସୁମିତ୍ରା ନାୟକ ଓ ୪ ବର୍ଷର କୁନିଝିଅ ପୂଜାର୍ଚ୍ଚନା। ଅଶୋକଙ୍କ ମୂଳଘର ବାଲେଶ୍ବର ଜିଲ୍ଲା ସଦର ବ୍ଲକ୍‌ ଅଞ୍ଚଳରେ। ଅନ୍ଧ ହୋଇଥିବାରୁ ଉଭୟ ସ୍ବାମୀସ୍ତ୍ରୀ କିଛି କାମଧନ୍ଦା କରିପାରନ୍ତି ନାହିଁ। ପିପିଲି ବଜାରରେ ଅଶୋକ ଖବରକାଗଜ ବିକ୍ରି କରି ଯାହା ପାଆନ୍ତି, ସେଥିରେ କଷ୍ଟେମଷ୍ଟେ ଚଳନ୍ତି। ତେବେ ଏହି ଅନ୍ଧ ପରିବାର ଉପରେ ବୋଝ ପାଲଟିଛି କୁନିଝିଅ। ୨୦୨୦ ମସିହା ନଭେମ୍ବର ମାସରେ ଘରେ ଖେଳୁଥିବା ବେଳେ ତଳେ ପଡ଼ିଗଲା ଝିଅ ପୂଜାର୍ଚ୍ଚନା। ମୁଣ୍ଡରେ ଗଭୀର ଆଘାତ ଲାଗିଥିଲେ ମଧ୍ୟ ସେହି ସମୟରେ କୋଭିଡ୍‌ କଟକଣା ଯୋଗୁ ଚିକିତ୍ସିତ ହୋଇ ପାରିନଥିଲା। ପରେ ଭୁବନେଶ୍ବରର ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଦେଖାଇବା ପରେ ଝିଅଟିର ବାମପାର୍ଶ୍ବ ଆଖିରେ କର୍କଟ ହୋଇଥିବା ଓ ଧୀରେ ଧୀରେ ତାହା ଡାହାଣପାର୍ଶ୍ବ ଆଖିକୁ ସଂକ୍ରମିତ କରୁଥିବା କହିଥିଲେ ଡାକ୍ତର। ୧୨ ଥର କେମୋ ଦିଆଯିବା ପରେ ବି ବାମଆଖି ଆଉ ଭଲ ହୋଇନଥିଲା।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଝିଅର ବାମ ଆଖିକୁ ବାହାର କରିବାକୁ ଅଶୋକ ରାଜି ହେବା ସହ ସେହି ଜାଗାରେ ନୂଆ ଚକ୍ଷୁ ରୋପଣ କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଡାକ୍ତର ତାଙ୍କ ଝିଅର ବାମ ଆଖି ଅପରେସନ୍‌ କରି ବାହାର କରିଦେଲେ ସିନା, ଆଉ ନୂଆ ଆଖି ରୋପଣ କରିହେବନି ବୋଲି ସଫାସଫା ମନା କରିଦେଲେ। କିଛିଦିନ ପରେ କୁନିଝିଅର ଡାହାଣ ଆଖିରେ ମଧ୍ୟ ଧୀରେ ଧୀରେ ଦୃଷ୍ଟିଶକ୍ତି କମିବାରେ ଲାଗିଲା।

ଅଶୋକ ୨୦୨୨ରେ ପୁଣି ଝିଅକୁ ନେଇ ଉକ୍ତ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ। କିନ୍ତୁ ଆଖି ଆଉ ଭଲ ହୋଇପାରିବ ନାହିଁ ବୋଲି ଡାକ୍ତର ନିରାଶାବାଣୀ ଶୁଣାଇଥିଲେ। ତେବେ ପାଖରେ ଅର୍ଥ ନଥିଲେ ମଧ୍ୟ ହାତଉଧାର କରି ଝିଅକୁ ଚେନ୍ନାଇସ୍ଥିତ ଶଙ୍କର ନେତ୍ରାଳୟକୁ ନେଇଥିଲେ ଅଶୋକ। ସେଠାରେ ଝିଅର ଆଖି ପରୀକ୍ଷା କରିବାପରେ ପୁଣିଥରେ ଦୃଷ୍ଟିଶକ୍ତି ଫେରିପାଇବ ବୋଲି କହିଛନ୍ତି ଡାକ୍ତର। ତେବେ ଏଥିପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ଏ ସଂକ୍ରାନ୍ତରେ ଅଶୋକ ପୁରୀ ଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀଙ୍କୁ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ ପାଣ୍ଠି, ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ବଦାନ୍ୟ ବ୍ୟକ୍ତିମାନେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କୁନିଝିଅଟି ପୁଣି ଥରେ ଦୁନିଆକୁ ଦେଖିପାରିବ। ଏଥିପାଇଁ ତାଙ୍କ ମୋବାଇଲ/ଫୋନ୍‌ ପେ ନମ୍ବର: ୮୪୫୬୦୭୯୬୦୬ରେ ଯୋଗାଯୋଗ କରିବାକୁ କିମ୍ବା ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର: ୭୫୧୨୦୨୧୨୦୦୦୦୬୬୯ (ଆଇଏଫ୍‌ଏସ୍‌ସି କୋଡ୍‌: ୟୁବିଆଇଏନ୍‌୦୫୭୫୧୨୭)ରେ ଆର୍ଥିକ ସହଯୋଗ କରିବାକୁ ଅଶୋକ ଓ ତାଙ୍କ ପତ୍ନୀ ସୁମିତ୍ରା ଆକୁଳ ନିବେଦନ କରିଛନ୍ତି।