ମାଉସୀଙ୍କ ଟଙ୍କା ଠକେଇ ମାମଲାରେ ଝିଆରୀ ଗିରଫ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡ଼ିଆ ଗ୍ରାମର ଜଣେ ବିଧବା ମହିଳାଙ୍କ ଲକ୍ଷାଧିକ ଟଙ୍କା ଠକିନେବା ଘଟଣାରେ ପୁଲିସ ବିଧବା ମହିଳାଙ୍କ ଝିଆରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଝିଆରୀ ଜ୍ୱାଇଁ ଫେରାର ଅଛି।

ପୁଲିସ ସୂତ୍ରରୁ ପ୍ରକାଶ ଚାଙ୍ଗୁଡ଼ିଆ ଗ୍ରାମର ସ୍ବର୍ଗତ ଜୀବନ ସାହୁ ଓ ବାମନ ସାହୁ ଦୁଇଭାଇ ଓ ଦୁଇ ସଡୁ। ଦୁର୍ଘଟଣାରେ ଜୀବନଙ୍କ ମୃତ୍ୟୁ ପରେ ବିଧବାପତ୍ନୀ ଲିଲି ସାହୁ(୪୬) ବାମନଙ୍କ ପରିବାର ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରି ଚଳୁଥିଲେ। ଝିଆରୀ ଭାବେ ବାମନଙ୍କ ଝିଅ କଣିହାଁ ଥାନା ବୁଲ ଗ୍ରାମର ନିବେଦିତା ପ୍ରଧାନ(୩୪) ଓ ଜ୍ୱାଇଁ ଭାଗିରଥି ପ୍ରଧାନ(୪୦)ଙ୍କ ସହିତ ଉତ୍ତମ ସମ୍ପର୍କ ରହିଥିଲା। ଏହାର ସୁଯୋଗରେ ମାଉସୀ ତଥା ଖୁଡି ଲିଲିଠାରୁ ଭାଗିରଥି ପ୍ରଧାନ ଯୋଜନାବଦ୍ଧ ଭାବେ ଲିଲି ଆକାଉଣ୍ଟରୁ ଚଞ୍ଚକତା କରି ପ୍ରଥମ ପର୍ଯ୍ୟାୟରେ ୧୧ ଲକ୍ଷ୮୯ ହଜାର ୮୦୦ ଟଙ୍କା ଟ୍ରନ୍ସଫର କରିନେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୯ ହଜାର ଟଙ୍କା ଲିଲି ଆକାଉଣ୍ଟରୁ ନିବେଦିତା ଆକାଉଣ୍ଟକୁ ଟ୍ରାନ୍ସଫର କରିନେଇଥିଲେ। ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୯୮ ହଜାର ୧୬ ଟଙ୍କା ଲିଲି ସାହୁ ଆକାଉଣ୍ଟରୁ ବିଭିନ୍ନ ଦୋକାନିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଇଥିଲେ। ୯ ଲକ୍ଷ ୮୪ ହଜାର ୨୩୪ ଟଙ୍କା ବିଭିନ୍ନ ତାରିଖରେ ଏଟିଏମରୁ ଉଠେଇ ଜ୍ଞାତସାରରେ ଲିଲିକୁ ଦେଇଛନ୍ତି। ୨୦୧୫ରେ ସନ୍ଦେହ ପରେ ଆକାଉଣ୍ଟ ଚେକ ପରେ ଜାଣିବା ପରେ ଟଙ୍କା ଠକିନେଇଥିବାର ଜାଣିବାକୁ ପାଇଥିଲେ ଲିଲି। ଘଟଣାରେ ଲିଲି କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଟଙ୍କା ଠକେଇ ମାମଲାରେ କେଶ କରି ଛେଣ୍ଡିପଦା ଥାନା ଏସଆଇ ଅଧିକାରୀ ଅଜୟ କୁମାର ସାହୁ ଆଜି ନିବେଦିତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଭାଗୀରଥୀ ଫେରାର ହୋଇଛନ୍ତି।

ସମ୍ବନ୍ଧିତ ଖବର