ତୁମୁଡ଼ିବନ୍ଧ: ଗାଁ’କୁ ରାସ୍ତାଟିଏ ନଥିବାରୁ ସାପ କାମୁଡ଼ାରେ ଗୁରୁତର ବିଧବା ମାଆକୁ ଚିକିତ୍ସା ପାଇଁ ପିଠିରେ ଭାର କରି ୮ କିଲୋମିଟର ବୋହିଛି ଝିଅ। ଗାଁ’କୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା। ଯନ୍ତ୍ରଣାରେ ଛଟପଟ ମା’ର ଚିକିତ୍ସା ପାଇଁ କାଳବିଳମ୍ବ ନକରି ଝିଅ ପିଠିରେ ଲୁଗାକୁ ଦୋଳାବାନ୍ଧି ଭାର କରି ରାସ୍ତା ପାର ହୋଇ ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପହଞ୍ଚିଥିଲା। ତୁମୁଡ଼ିବନ୍ଧ ଡାକ୍ତରଖାନା ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। ହେଲେ ଗତକାଲି ରାତିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ ପଞ୍ଚାୟତ ବଲୁମାଡୁ ଗାଁ’ରେ ଘଟିଥିବା ବେଳେ ପାଲମାଡୁ ମାଝୀ (୪୫)ଙ୍କ ନାମକ ମହିଳା ପ୍ରାଣ ହରାଇଛନ୍ତି।
ସାପ କାମୁଡ଼ାରେ ଗୁରୁତର ଥିଲେ
ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ
ମେଡିକାଲରେ ମୃତ
ପାଲମାଡ଼ୁ ଘର ନିକଟସ୍ଥ ବଗିଚାରେ କାମ କରୁଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ। କିନ୍ତୁ ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା। ଅସୁସ୍ଥଙ୍କୁ ଡାକ୍ତରଖାନା ପହଞ୍ଚିବାରେ ବିଳମ୍ୱ ହେଉଥିଲା। ଶେଷରେ ଝିଅ ପିଠିରେ ଭାରକରି ତୁମୁଡ଼ିବନ୍ଧ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। ହେଲେ ସେତେବେଳକୁ ବିଳମ୍ବ ହୋଇସାରିଥିଲା। ବାଲିଗୁଡ଼ା ଡାକ୍ତରଖାନାରେ ମହିଳା ପ୍ରାଣ ହରାଇଥିବା ବେଳେ ଏ ନେଇ ତୁମୁଡ଼ିବନ୍ଧ ଥାନାରେ କେସ ନମ୍ବର ୭/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତୁମୁଡ଼ିବନ୍ଧ ପୁଲିସ ବାଲିଗୁଡ଼ାରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଭଲ ରାସ୍ତାଟିଏ ଥିଲେ ଆମ୍ବୁଲାନ୍ସରେ ଅସୁସ୍ଥଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚା ଯାଇପାରିଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି।