କୋକସରା : ‘ ଯିଏ ମତେ ଦୁନିଆକୁ ଆଣିଛନ୍ତି, ତାଙ୍କ ପାଇଁ ଯଦି ମୁଁ କିଛି କରିନପାରିଲି, ସଂସାରକୁ ଆସି ଲାଭ କ’ଣ?’ ଏଭଳି କିଛି ହୃଦୟସ୍ପର୍ଶୀ କଥା କହି ନିଜ ଶରୀରର ଅଙ୍ଗଦାନ କରି ବାପାଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ଝିଅ। ସେ ହେଲେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡୁଗାଁ ଅଞ୍ଚଳର ଝିଅ ସଲୋନୀ ଗର୍ଗ (୨୨ବର୍ଷ) । ବାପା ସୁନୀଲ ଗର୍ଗ (୪୭ ବର୍ଷ)ଙ୍କୁ କିଡ୍ନି ଦାନ କରିଛନ୍ତି।
କିଛିବର୍ଷ ହେବ ସୁନୀଲ କିଡ୍ନି ରୋଗରେ ପୀଡ଼ିତ ହୋଇଥିଲେ। ଫଳରେ, ତାଙ୍କର ଉଭୟ କିଡ୍ନି ଖରାପ ହୋଇଯାଇଥିଲା। ଜୀବନ ରକ୍ଷା ପାଇଁ କିଡ୍ନି ପ୍ରତ୍ୟାରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ କିଏ କିଡ୍ନି ଦାନ କରିବେ, ପରିବାର ଲୋକ ଚିନ୍ତାରେ ପଡ଼ିଥଲେ। ଏହି ସମୟରେ ଝିଅ ସଲୋନୀ ବାପାଙ୍କୁ ନିଜ କିଡ୍ନି ଦାନ କରିବାକୁ କହିଥିଲେ। ପରିବାର ଲୋକ ମନା କରିବାପରେ ବି ସୋନାଲୀ ଜିଦ୍ କରିଥିଲେ। ଶେଷରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତ ୮ ତାରିଖରେ କିଡ୍ନି ପ୍ରତ୍ୟାରୋପଣ ପାଇଁ ଭର୍ତ୍ତି ହୋଇଥିଲେ। ସମସ୍ତ ପରୀକ୍ଷା ପରେ ସଫଳତାର ସହ ପ୍ରତ୍ୟାରୋପଣ ହୋଇଛି। ବର୍ତ୍ତମାନ ଉଭୟ ବାପା-ଝିଅ ସୁସ୍ଥ ଅଛନ୍ତି।
ଅଙ୍ଗଦାନ କରି ଝିଅର କର୍ତ୍ତବ୍ୟ କରିବା ସହ ଆତ୍ମସନ୍ତୋଷ ଲାଭ କରିଛି ବୋଲି ସଲୋନୀ କହିଛନ୍ତି।
ସୂଚନାଥାଉକି ସଲୋନୀ ପରିବାରର ବଡ଼ ଝିଅ। ସେ ରାୟପୁରରେ ଅଧ୍ୟୟନ କରୁଛନ୍ତି। ସାନ ଝିଅ ପ୍ରେରଣା ଗର୍ଗ ଚଣ୍ଡୀଗଡ଼ରେ ଇକୋନ୍ମିକ୍ସରେ ସମ୍ମାନ ଓ ପୁଅ ସଂକେତ ଗର୍ଗ ସମ୍ବଲପୁରରେ ପାଠ ପଢ଼ୁଛନ୍ତି। ଲଡୁଗାଁ ଅଞ୍ଚଳରେ ଏହି ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରୁ ସଲୋନୀଙ୍କ ତ୍ୟାଗ ପ୍ରତି ସମ୍ମାନ ଜଣାଯାଇଛି।