ଭର୍ତ୍ତୃହରିଙ୍କ ବିରୋଧରେ ବୋହୂ ଆଣିଲେ ‌‌‌‌‌‌‌ଯୌତୁକ ନିର୍ଯାତନା ଅଭିଯୋଗ

ଭୋପାଳ ଥାନାରେ ଭର୍ତ୍ତୃହରି, ଲୋକରଂଜନ, ମହାଶ୍ବେତାଙ୍କ ବିରୋଧରେ ମାମଲା
୪ ବର୍ଷ ହେଲା ପୁଅ-ବୋହୂ ଅଲଗା ରହୁଛନ୍ତି, ନବୀନ ବାବୁ ଜାଣିଛନ୍ତି: ଭର୍ତ୍ତୃହରି

କଟକ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ ସାକ୍ଷୀ ମହତାବ। ସ୍ବାମୀ ଲୋକରଂଜନ, ଶ୍ବଶୁର ଭର୍ତ୍ତୃହରି ଓ ଶାଶୂ ମହାଶ୍ବେତା ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ସହିତ ଶାରୀରିକ, ମାନସିକ ନିର୍ଯାତନା ଓ ହତ୍ୟା ଧମକ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ସାକ୍ଷୀ ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଗଲା ୧୭ ତାରିଖରେ ଏହି ଅଭିଯୋଗ କରିଥିବା ବେଳେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଭର୍ତ୍ତୃହରି ମହତାବ ଏଭଳି ମାମଲା ସଂପର୍କରେ ଭାବେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି।

ଭୋପାଳର ବାସିନ୍ଦା ଆର୍‌. ସିଂହ ତୋମାରଙ୍କ ଝିଅ ସାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ ୨୦୧୬ ଡିସେମ୍ବର ୧୨ ତାରିଖରେ ଦିଲ୍ଲୀରେ ତାଙ୍କର ଲୋକରଂଜନ ମହତାବଙ୍କ ସହିତ ବିବାହ ହୋଇଥିଲା। ସେ ଅଢେଇ କୋଟି ମୂଲ୍ୟର ସାମଗ୍ରୀ ଯୌତୁକ ଆକାରରେ ଆଣିଥିଲେ। କିନ୍ତୁ ବିବାହର ମାତ୍ର ୪ ଦିନ ପରେ ଶାଶୂ ମହାଶ୍ବେତା ତାଙ୍କ ବାପା-ମାଙ୍କୁ ଡାକି ତାଙ୍କୁ ନେଇ ଯିବାକୁ କହିଥିଲେ। ଡିସେମ୍ବର ୧୭ ତାରିଖରେ ସେ ଲୋକରଂଜନଙ୍କ ସହିତ କଟକ ଆସିଥିଲେ। କିନ୍ତୁ ପରିବାର ଲୋକଙ୍କ ରୁକ୍ଷ ବ୍ୟବହାର ତାଙ୍କ ପ୍ରତି ଲାଗି ରହିଥିଲା। ଲୋକରଂଜନ ତାଙ୍କ ସହିତ ବୈବାହିକ ସଂପର୍କ ବି ରଖୁ ନ ଥିଲେ। ସେ ଦୁର୍ବ୍ୟବହାର କରୁଥିଲେ।ସେ ୨୦୧୭ ଜାନୁଆରି ୩୦ରେ ଗୋୟାଲିୟର ଚାଲି ଯାଇଥିଲେ ଓ ପରେ ବାପା-ମା’ଙ୍କ ପାଖରେ ଆସି ଭୋପାଳରେ ରହିଥିଲେ। ପରବର୍ତ୍ତୀ ସମୟରେ ସେ ଭର୍ତ୍ତୃହରିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବା ବେଳେ ସେ ତାଙ୍କୁ ତାଙ୍କ ଅଫିସ ବାହାରେ ଘଣ୍ଟାଏ କାଳ ଅପେକ୍ଷା କରାଇବା ପରେ ଭେଟିଥିଲେ। କିନ୍ତୁ କିଛି ମିନିଟ କଥା ପରେ ସେ ‌ଫେରାଇ ଦେଲେ। ବୈବାହିକ ସଂପର୍କ ସୁରକ୍ଷିତ ରଖିବା ଉଦ୍ୟମ କରି ବାରମ୍ବାର ବିଫଳ ହେବା ପରେ ସେ ଭୋପାଳ ପରିବାର ଅଦାଲତରେ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଥିଲେ। କିନ୍ତୁ ବାରମ୍ବାର ନୋଟିସ ପରେ ବି ତାଙ୍କ ସ୍ବାମୀ ଲୋକରଂଜନ ଅଦାଲତରେ ହାଜର ନ ହେବାରୁ ଅଦାଲତ ୨୦୨୦ ମାର୍ଚ୍ଚ ୫ ତାରିଖରେ ତାଙ୍କ ସପକ୍ଷରେ ଏକପାଖିଆ ରାୟ ଦେଇଥିଲେ। ବିବାହ ସମୟରେ ଦିଆଯାଇଥିବା ସମସ୍ତ ‌ଯୌତୁକ ସାମଗ୍ରୀ ଫେରାଇ ଦେବା ପାଇଁ ପରିବାର ଅଦାଲତ ଲୋକରଂଜନ ଓ ତାଙ୍କ ପରିବାରକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଶ୍ରୀ ମହତାବଙ୍କ ପରିବାର ତାଙ୍କୁ କୌଣସି ‌ସାମଗ୍ରୀ ଫେରାଇ ନାହାନ୍ତି। ସାକ୍ଷୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ପରେ ଇନ୍ସପେକ୍ଟର ଅଜିତା ନାୟାର ମାମଲାର ତଦନ୍ତ ଦାୟିତ୍ବ ନେଇଛନ୍ତି।

ଅନ୍ୟପଟେ ଆଜି କଟ‌କରେ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ବିରୋଧରେ କ’ଣ ସବୁ ଅଭିଯୋଗ ରହିଛି ତାହା ସେ ଜାଣିନାହାନ୍ତି। କିନ୍ତୁ ସେ ଭାବୁଛନ୍ତି ଯେ ଏହା ଏକପ୍ରକାର ଯୋଜନାବଦ୍ଧ (ଆଫଟର୍ ଥଟ୍) କାର୍ଯ୍ୟ। ତାଙ୍କର ପୁଅ ବୋହୂ ୪ ବର୍ଷ ହେଲା ଅଲଗା ରହୁଥିଲେ। ଦୁଇ ବର୍ଷ ତଳେ ପୁଅ ବିବାହ ବିଚ୍ଛେଦ ମାମଲା ରୁଜୁ କରିଛି। ଉଭୟଙ୍କ ମଧ୍ୟରେ କୋର୍ଟରେ ଚାଲିଥିବା ମିଳାମିଶା ଉଦ୍ୟମ ବି ଦେଢ ବର୍ଷ ତଳେ ବିଫଳ ହୋଇଛି। ତେଣୁ ବର୍ତ୍ତମାନ ଏଭଳି ଏକ ମାମଲା ରୁଜୁ ହେବାର ଅର୍ଥ କଣ? ଏହା ସଂପୂର୍ଣ୍ଣ ଭାବେ ‌ଏକ ବ୍ୟକ୍ତିଗତ ମାମଲା। ଏହି ବ୍ୟକ୍ତିଗତ ପ୍ରସଙ୍ଗକୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରିବାକୁ ଉଦ୍ୟମ କରୁଛି। ନବୀନ ବାବୁ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ) ଏହି ଘଟଣା ସଂପର୍କରେ ୨୦୧୯ ସାଧାରଣ ନିର୍ବାଚନର ବହୁ ପୂର୍ବରୁ ଅର୍ଥାତ ୨୦୧୮ ଶେଷ ବେଳଠାରୁ ଅବଗତ ଅଛନ୍ତି। ପରିବାରର ବଡ଼ ଭାଇ ହିସାବରେ ସେ ଏହି ବାହାଘରର ନିର୍ବନ୍ଧ ବେଳେ ଥିଲେ। ବିବାହର ଚାରି/ପାଞ୍ଚ ବର୍ଷ ପରେ ଏଭଳି ଯୌତୁକ ନିର୍ଯାତନା ଅଭିଯୋଗ କାହିଁକି ଆଉ କିଭଳି ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର