ପାରିବାରିକ କଳହର କରୁଣ ପରିଣତି: ଶଶୁରକୁ ଶିଳପୁଆରେ ଛେଚିଲା ବୋହୂ!

ରାଜନଗର: ପାରିବାରିକ କଳହ କେତେ ଯେ ଭୟଙ୍କର ହୋଇପାରେ ତାର ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଂଚଳରେ ଦେଖିବାକୁ ମିଳିଛି । ଘରେ କେହି ନଥିବା ବେଳେ ୬୫ ବର୍ଷର ଶଶୁରକୁ ୨୭ ବର୍ଷର ବୋହୂ ଶିଳପୁଆରେ ଛେଚି ମାରିଥିବାର ଅଭିଯୋଗ ହୋଇଛି । ବାପାଙ୍କୁ ଭାଉଜ ମାରିଛନ୍ତି ବୋଲି ଅବିବାହିତା ଝିଅ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସଂପର୍କରେ ପୁଲିସ ଖୋଳତାଡ ଜାରି ରଖିଥିବା ବେଳେ ସାଇଂଟିଫିକ ଟିମ ପହଁଚି ତନଖି ଆରମ୍ଭ କରିଛନ୍ତି । ଶଶୁରକୁ ବୋହୂ କାହିଁକି ମାରିଲା, କ’ଣ କାରଣ ହୋଇପାରେ, ପାରିବାରିକ କଳହ ନା ଅନ୍ୟ କିଛି କାରଣ ରହିଛି ସେ ନେଇ ଅଂଚଳରେ ଚର୍ଚ୍ଚା ଲାଗି ରହିଛି । ତଦନ୍ତରେ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି ।

ରାଜନଗର ଥାନା ଅନ୍ତର୍ଗତ ରିଘାଗଡ ଗାଁର ଶ୍ରୀନିବାସ ବେହୁରିଆ (୬୫ ବର୍ଷ)ଙ୍କୁ ତାଙ୍କର ବୋହୂ ତଥା ବଡପୁଅ ଶ୍ରୀକାନ୍ତ ବେହୁରିଆର ସ୍ତ୍ରୀ କବିତା ବେହୁରିଆ ଗତକାଲି ରାତିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ରୀନିବାସ ବଡ ବୋହୂ ଓ ୬ ବର୍ଷର ନାତି ସହ ଘରେ ଥିଲେ । ସାନପୁଅ କେରଳରେ ଥିବାବେଳେ ବଡପୁଅ ଗୁଜୁରାଟରେ କାମ କରନ୍ତି । ବଡଝିଅ ବିବାହିତ ହୋଇଥିବା ବେଳେ ସାନଝିଅ ମାଉସୀ ଘର ନଳିତାପାଟିଆରେ ଥିଲେ । ଅଧିକାଂଶ ସମୟରେ ଶଶୁର ଓ ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥାଏ । ଗତକାଲି ସଂଧ୍ୟା ଠୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିବା ନେଇ ପଡୋଶୀଙ୍କ ଠାରୁ ସୂଚନା ମିଳିଛି । ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିବାରୁ ଶଶୁରଙ୍କୁ ବୋହୂ କବିତା ଶିଳପୁଆ ଛେଚି ହତ୍ୟା କରିଥିବା ଜଣାପଡିଛି ।

ଆଜି ଭୋରୁ ଭୋରରୁ ଶଶୁର ଶ୍ରୀନିବାସଙ୍କୁ ତାଙ୍କର ବୋହୂ ହତ୍ୟା କରିଥିବା ସୂଚନା ମିଳିଛି । ଶ୍ରୀନିବାସଙ୍କ ମୁଣ୍ଡକୁ ତାଙ୍କର ବୋହୂ ଶିଳପୁଆରେ ବାରମ୍ବାର ଛେଚିବା ପରେ ଘରର ଚଟାଣରେ ଛଟପଟ ହୋଇ ପ୍ରାଣ ହରାଇଛନ୍ତି । ଘରର ଚଟାଣ ରକ୍ତରେ ବୁଡିଛି । ଆଜି ସକାଳେ ଖବରପାଇ ଝିଅମାନେ ପହଁଚି ରାଜନଗର ଥାନାରେ ଜଣାଇଥିଲେ । ମୃତ ଶ୍ରୀନିବାସଙ୍କ ସାନଝିଅ ସଂଯୁକ୍ତା ରାଜନଗର ଥାନାରେ ତାଙ୍କ ବାପାଙ୍କୁ ଭାଉଜ ହତ୍ୟା କରିଥିବାର ଲିଖିତ ଅଭିଯୋଗ କରିଛନ୍ତି । ଆଇଆଇସି ତପନ କୁମାର ନାୟକ, ଏସଡିପିଓ ରଂଜନ କୁମାର ଦେ, ସବଇନିସପେକ୍ଟର ଅଜୟ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର