ମାଲକାନଗିରି: ଦୋକାନରୁ ଟଙ୍କା ଚୋରି କରୁଥିବା ଦେଖିଦେବାରୁ ଶାଶୂକୁ ପେଟ୍ରୋଲ୍‌ ଢାଳି ହତ୍ୟା ଉଦ୍ୟମ କରିଛି ବୋହୂ। ଗୁରୁତର ଅବସ୍ଥାରେ ଶାଶୂ ରେଣୁକା ବୈଦ୍ୟକୁ ଗ୍ରାମବାସୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମାଲକାନଗିରି ଥାନାରେ ଜୟାଙ୍କ ସ୍ବାମୀ ଅବିନାଶ ବୈଦ୍ୟ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଥାନା ଏମ୍‌ଭି-୧୮ ଗ୍ରାମର ଅବିନାଶ ଛତିଶଗଡ଼ କୋଣ୍ଟା ଅଞ୍ଚଳର ଜୟା ବୈଦ୍ୟଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କର ୩ ମାସର ଏକ ସନ୍ତାନ ରହିଛି। ଅବିନାଶ ବାହାର ରାଜ୍ୟରେ କାମ କରୁଥିବାରୁ ଘରେ ଶାଶୂ ରେଣୁକା ଓ ବୋହୂ ଜୟା ରହୁଥିଲେ। ଗାଁରେ ସେମାନଙ୍କ ଛୋଟିଆ ତେଜେରାତି ଦୋକାନ ରହିଛି। ତେବେ ବୋହୂ ଜୟା ଦୋକାନରୁ ଟଙ୍କା ଚୋରି କରି ନିଜ ମାଆ ଘରକୁ ପଠାଇ ଦେଉଥିଲେ।

Advertisment

ଏ ସମ୍ପର୍କରେ ଶାଶୂ ରେଣୁକା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୋକାନରୁ ଚୋରି ରୋକିବା ପାଇଁ ରେଣୁକା ପୁଅ ଅବିନାଶକୁ ସିସି କ୍ୟାମେରା ଲଗାଇବା ପାଇଁ କହିଥିଲେ। ଅବିନାଶ ସିସି କ୍ୟାମେରା ଲଗାଇବାରୁ ଶାଶୂ-ବୋହୂଙ୍କ ମଧ୍ୟରେ ବିବାଦ ଉଗ୍ର ହୋଇଥିଲା। ସବୁ ଦିନ ପାଇଁ ଶାଶୂ ରେଣୁକାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ରେଣୁକା ଶୋଇଥିବା ବେଳେ ଜୟା ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲା। ଗୁରୁତର ଅବସ୍ଥାରେ ଶାଶୂ ରେଣୁକାଙ୍କୁ ରାୟପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟରେ ଜୟାଙ୍କ ଦୁଇ ହାତ ପୋଡ଼ି ଯାଇଥିବାରୁ ସେ ବି ଚିକିତ୍ସାଧୀନ ଅଛନ୍ତି।