ବାପା-ଭାଇଙ୍କ ଅପହରଣରେ ଝିଅ : ମାଛ ଖାଦ୍ୟ ବାବଦ ବକେୟା ୪୦ ଲକ୍ଷ ଟଙ୍କା ପାଇଁ ଅପହରଣ

ଅପହରଣରେ ଶ୍ୱଶୁରଘର ଲୋକଙ୍କ ସହ ସାମିଲ ଥିଲା ଝିଅ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଜନ୍ତୁଆଳି ନୂଆଗାଁ ପଂଚାୟତ ହଟପୁର ଗାଁରେ ବାପା, ଭାଇଙ୍କୁ ଶାଶୁଘର ଲୋକଙ୍କ ସହ ମିଶି ଅପହରଣ କରିଛି ଜନ୍ମିତ ଝିଅ। ଧାର୍ଯ୍ୟ ସମୟ ମଧ୍ୟରେ ବାପା-ଭାଇ ବ୍ୟବସାୟରେ ବାକିଥିିବା ଟଙ୍କା ଦେଇ ନପାରିବରୁ ଏହି ଅପହରଣ କରାଯାଇଛି। ତେବେ ଟଙ୍କା ଫେରସ୍ତ ପାଇଁ ବୁଝାମଣା ବେଳେ ଝିଅ ମାନୀ ପଡ଼ିଥିବାରୁ ବାଧ୍ୟହୋଇ ଶ୍ୱଶୁରଘର ଲୋକଙ୍କ ସହ ଅପହରଣରେ ସାମିଲ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, କାଳନ୍ଦୀ ସାମଲ ଓ ତାଙ୍କ ପୁଅ ବୁଲୁ ବାଲେଶ୍ୱର ସ୍ଥିତ ଏକ ଫିଡ୍‌(ଚିଙ୍ଗୁଡ଼ି ଖାଦ୍ୟ) ଫାଇନାନ୍ସ କମ୍ପାନୀ ଠାରୁ ଫିଡ୍‌ ଆଣି ବ୍ୟବସାୟ କରୁଥିଲେ। ତେବେ ଉକ୍ତ ଫାଇନାନ୍ସ ସଂସ୍ଥାଟିକୁ କାଳନ୍ଦୀଙ୍କ ଝିଅର ଦିଅର ଓ ଶ୍ୱଶୁରଙ୍କ ଭିଣୋଇ ଘର ଲୋକ ଚଳାଉଥିଲେ। ଇତି ମଧ୍ୟରେ ସମ୍ପୃକ୍ତ ଫିଡ୍‌ କମ୍ପାନୀ ଠାରୁ ବାପା-ପୁଅ ପ୍ରାୟ ୪୦ ଲକ୍ଷ ଟଙ୍କାର ଫିଡ୍‌ ଆଣିଥିଲେ ମଧ୍ୟ ଟଙ୍କା କିମ୍ବା ମାଛ ଦେଇ ପାରିନଥିଲେ। ଫଳରେ ଟଙ୍କା ଆଦାୟ ପାଇଁ ଫିଡ୍‌ କମ୍ପାନୀ କର୍ତ୍ତୃପକ୍ଷ ଗତ ରଜରେ ମହେନ୍ଦ୍ର ଓ ବୁଲୁଙ୍କୁ ଭଦ୍ରକରୁ ଉଠାଇ ନେଇଥିଲେ। ସେତେବେଳେ ଉକ୍ତ ବିବାଦର ସମାଧାନ ପାଇଁ ନୁଆଗାଁ ସରପଂଚ, ସମିତି ସଭ୍ୟ ଏବଂ ଭଦ୍ର ଲୋକଙ୍କ ଉପସ୍ଥିତିରେ ବୁଝାମଣା ହୋଇଥିଲା। ବୁଝାମଣା ବେଳେ କାଳନ୍ଦୀ ଦେଢ଼ ଲକ୍ଷ ଟଙ୍କା ଦେଇଥିବା ବେଳେ ମାସକ ଭିତରେ ଆଉ ୧୦ ଲକ୍ଷ ଟଙ୍କା ଦେବେ ବୋଲି ଚୁକ୍ତି ହୋଇଥିଲା। ଆଉ ଏଥିପାଇଁ ତାଙ୍କ ଝିଅ ଝିଅ ମିନୀ ନାୟକକୁ ମାନୀ ରଖାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ବିତିଯାଇଥିଲେ ବି ଝିଅର ଶ୍ୱଶୁର ଘର ଲୋକେ ଟଙ୍କା ଫେରିପାଇନଥିଲେ। ତେଣୁ ଆଜି ମଧ୍ୟହ୍ନରେ ଝିଅ ମିନୀ, ତା’ର ଖୁଡ଼ୀଶାଶୂ ଉର୍ମିିଳା ନାୟକ, ରାଜେନ୍ଦ୍ର ନାୟକ, ତପୁ ନାୟକ ଓ ଶ୍ୱଶୁର ଘର ଲୋକଙ୍କ ସହ ଆସି ହଟପୁରରେ ପହଁଚି ବାକି ଟଙ୍କା ମାଗିଥିଲେ। ଆଉ ଟଙ୍କା ନ’ମିଳିବାରୁ କାଳନ୍ଦୀ ଓ ବୁଲୁଙ୍କୁ ଉଠାଇ ନେଇଥିବା କାଳନ୍ଦୀଙ୍କ ପତ୍ନୀ ମଂଜୁଲତା ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଶେଷ ଖବର ସୁଦ୍ଧା ବାଂଶଡ଼ା ଥାନା ଅଧିକାରୀ ବୀର ରାଉତ ପୁଲିସ ଟିମ୍‌ ସହ ବାସୁଦେବପୁର ବ୍ଲକ୍‌ ସୁଗ ପଂଚାୟତ ପଦ୍ମପୁର ଗାଁର ଝିଅ ମିନୀଙ୍କ ଘରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର