ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜନୈକ ନିର୍ମାଣ ଶ୍ରମିକଙ୍କ ଝିଅ ବାହାଘର ଅନୁଷ୍ଠିତ ହୋଇଯାଇଛି। ସଦର ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତର ଲକ୍ଷ୍ମୀପୁର ମାଳିଗୁଡା ଗ୍ରାମର ନିର୍ମାଣ ଶ୍ରମିକ ଗୋବର୍ଦ୍ଧନ ମାଳିଙ୍କ ଝିଅ ଡାଳିମ ସହ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କର୍ତ୍ତନପାଲ୍ଲି ଗ୍ରାମର ମୀନ ମାଳିଙ୍କ ସହ ବାହାଘର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିବେଦିତା ଦଣ୍ଡସେନାଙ୍କ ସମେତ ଅନ୍ୟ କର୍ମଚାରୀ, ବନ୍ଧୁବାନ୍ଧବ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

publive-image

ପ୍ରକାଶ ଥାଉ କି, ଶ୍ରମକାର୍ଡ ପାଇବା ସହ ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ ହୋଇଥିଲେ ନିର୍ମାଣ ଶ୍ରମିକଙ୍କ ଝିଅ ବାହାଘର ସମୟରେ ସରକାରଙ୍କ ଦ୍ଵାରା ଗଠିତ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ତେବେ ବାହାଘର ପୂର୍ବରୁ ଉଭୟ ପରିବାରର ସମ୍ମତି ତଥା ଗ୍ରାମବାସୀଙ୍କ ସାକ୍ଷ୍ୟ ଗ୍ରହଣ ସହ କଲ୍ୟାଣ ବୋର୍ଡର ନିୟମାବଳୀକୁ ପାଳନ କରିବା ସହ ସମସ୍ତ ଔପଚାରିକତା ପୂରଣ କରିବା ପରେ ବାହାଘର ସମ୍ପନ୍ନ ହୋଇଥିଲା। ଏସଂପର୍କରେ କାଗଜ ପତ୍ର କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ କଲ୍ୟାଣ ବୋର୍ଡ ତରଫରୁ ମଂଜୁର କରାଯାଇଥିବା ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ବିବାହ କାର୍ଯ୍ୟକ୍ରମରେ ନେତାଜୀ ରାଜମିସ୍ତ୍ରୀ ଓ ଶ୍ରମିକ ସଂଗଠନର ବ୍ଲକ ସଭାପତି ସୂର୍ଯ୍ୟ ନାରାୟଣ ବିଷୋୟୀ ଉପସ୍ଥିତ ଥିଲେ।