ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ହାତୀଗୋଡ଼ା ଗ୍ରାମରେ ଜଣେ ନାବାଳିକାକୁ ତାଙ୍କର ସଂପର୍କୀୟ ଅଜା ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ରାଗରେ ନାବାଳିକାର ବାପାଙ୍କୁ ତୀରମାଡ଼ କରି ଫେରାର ହୋଇଯାଇଛି। ସମ୍ପୃକ୍ତ ନାବାଳିକାଙ୍କ ବାପା ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ଦୁଷ୍କର୍ମ ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଆଧାରରେ, ସୋମବାର ସନ୍ଧ୍ୟାରେ ହାତଗୋଡ଼ା ପଞ୍ଚାୟତ ହୁଣ୍ଡୁଳୁକଚାସାହିର ରାଧାଶ୍ୟାମ ବାନ୍ଦିଆ ନିକଟ ଜିରୁମସାହି ଗାଁକୁ ଆସିଥିବାବେଳେ ସମ୍ପର୍କୀୟା ନାତୁଣୀକୁ ଆମ୍ବ ଦେବା ବାହାନାରେ ଘରୁ ଡାକି ନେଇଥିଲେ। ଝିଅ ଘରେ ନଥିବା ବେଖି ମାଆ ଖୋଜାଖୋଜି କରିବାରୁ ଏକ ନିଛାଟିଆ ସ୍ଥାନରେ ରାଧାଶ୍ୟାମ ଦୁଷ୍କର୍ମ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେ ରାଧାଶ୍ୟାମଙ୍କୁ ମାଡ଼ ମାରିବା ସହିତ ଝିଅକୁ ସେଠାରୁ ନେଇ ଚାଲି ଯାଇଥିଲେ। ଏହାପରେ ସେ ଘଟଣା ସମ୍ପର୍କରେ ସ୍ୱାମୀଙ୍କୁ ଜଣାଇଥିଲେ। ତେବେ, ରାତି ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ରାଧାଶ୍ୟାମ ତାଙ୍କ ଘର ପାଖରେ ପହଞ୍ଚି ନାବାଳିକାର ବାପାଙ୍କୁ ତୀରମାଡ଼ କରି ଫେରାର୍ ହୋଇଯାଇଥିଲା।
ସୂଚନା ଅନୁସାରେ, ତୀରଟି ତାଙ୍କ ବାହୁରେ ପଶି ରହିଯାଇଥିଲା ଏବଂ ଯନ୍ତ୍ରଣା ସତ୍ତ୍ବେ ସେ ଘରେ ରାତି ବିତାଇଥିଲେ। ଆଜି ସକାଳେ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତରଙ୍କ ପ୍ରଚେଷ୍ଟାରେ ତୀର ବାହାର କରାଯାଇଛି। ନାବାଳିକାର ମାଆ ଅଭିଯୋଗ କରିବା ପରେ ଠାକୁରମୁଣ୍ଡା ଥାନାଧିକାରୀ ସାବିତ୍ରୀ ଦଳେଇ କେସ୍ ନମ୍ବର ୫୦/୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।