ଝିଅ ଡାକ୍ତର ହେଉ ବୋଲି ସ୍ବପ୍ନ ଦେଖିଥିଲେ ବାପା, ହେଲେ କରୋନାରେ ବାପାଙ୍କ ମୃତ୍ୟୁ ପରେ ଆତ୍ମହତ୍ୟାକୁ ବାଛି ନେଲା ଝିଅ

ବଲାଙ୍ଗୀର: ସବୁ କିଛି ଠିକଠାକ ଥିଲା । ଖୁସିରେ ଚାଲୁଥିଲା ପରିବାର । ପୁଅଝିଅଙ୍କୁ ନେଇ ବାପା ମା ବେଶ ଭଲରେ ଥିଲେ । ହଠାତ ବାପାଙ୍କୁ ଥଣ୍ଡାକାସ ହୋଇଥିଲା । ସାଧାରଣ ଥଣ୍ଡା ଭାବି ସେ ଘରେ ରହି ଔଷଧପତ୍ର ଖାଇଥିଲେ । ହେଲେ ଥଣ୍ଡା ଛାଡିବାର ନାଁ ନେଲାନି । ବଢି ଚାଲିଲା । ଶେଷରେ ବାପା ଡାକ୍ତରଙ୍କ ପରାମର୍ଶ ନେଲେ । ଡାକ୍ତର କହିଲେ କରୋନା ପରୀକ୍ଷା କରିବାକୁ । କରୋନା ପରୀକ୍ଷା କରିବା ପରେ ପଜିଟିଭ ବାହାରିଥିଲା । ଏଭଳି କିଛି ଘଟିଥିଲା ଟିକ୍ରାପଡା ବାସିନ୍ଦା ଜୟନାରାୟଣ ଶତପଥୀଙ୍କ ସହ। ଜୟନାରାୟଣଙ୍କ ଶରୀର ଧୀରେ ଧୀରେ ଦୁର୍ବଳ ହୋଇଥିଲା । ପରେ ତାଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାାଯାଇଥିଲା। ତଥାପି ଅବସ୍ଥା ସୁଧୁରିନଥିଲା । ବଲାଙ୍ଗୀରରୁ ସେ ସ୍ଥାନାନ୍ତର ହୋଇ ଭୁବନେଶ୍ୱର ଯିବାକୁ ଚାହୁଁନଥିଲେ । କାରଣ ଯଦି ସେ ଭୁବନେଶ୍ୱର ଯିବେ ତାହେଲେ ତାଙ୍କ ଝିଅ ଋତୁପର୍ଣ୍ଣା ଚିନ୍ତାରେ ରହିବ । ତାର ଆଗକୁ ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା ରହିଥିଲା । ଏଣୁ ସେ ଯିବାକୁ ଚାହୁନଥିଲେ ।

ତଥାପି ଅବସ୍ଥା ଏଭଳି ହେଲା ଶେଷରେ ସେ ଭୁବନେଶ୍ୱର ଯାଇଥିଲେ । ଯିବା ବେଳେ ଝିଅକୁ ଭଲରେ ପାଠ ପଢିବାକୁ ପରାମର୍ଶ ଦେଇଥିଲେ ଏବଂ ସେ ଖୁବ ଶୀଘ୍ର ଫେରିବେ ବୋଲି କହିଯାଇଥିଲେ । ଏପଟେ ବାପାଙ୍କ ସ୍ୱପ୍ନପୂରଣ କରିବାକୁ ଝିଅ ଘରେ ରହି ପାଠ ପଢୁଥିଲା । ଏହାରି ଭିତରେ ଗତ ସେପ୍ଟେମ୍ବର ମାସ ୨୦ ତାରିଖରେ ବାପା ଜୟନାରୟଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ବାପା ଫେରିବେ ବୋଲି କହିଥିଲେ ହେଲେ ଘରକୁ ଫେରିଲେ ନାହିଁ । ଏହାପରେ କେଉଁ ଝିଅ ଅବା ବାପାଙ୍କୁ ଛାଡି ରହିପାରିବ ? ଯଦି ବାପା ଆରପାରିରେ, ତେବେ ସେ ଆଉ କାହା ପାଇଁ ଡାକ୍ତର ହେବ? ବାପା ସ୍ୱପ୍ନ ଦେଖିଥିଲେ ଝିଅ ପାଇଁ? ହେଲେ ଝିଅର ମନ ଉଣା କରି ଚାଲିଗଲେ। ବାପାଙ୍କୁ ଖୋଜିବାକୁ ଲାଗିଥିଲା ଝିଅ । ପାଠପଢିବା ବାହାନାରେ ବାପାଙ୍କ ସବୁ କଥାକୁ ମନେ ମନେ ଭାବିଥିଲା ।

ଶେଷରେ ବାପାଙ୍କୁ ଆରପାରିରେ ଭେଟିବ ବୋଲି ଭାବି ନେଇ ଚରମ ନିଷ୍ପତ୍ତି ନେଇଥିଲା ଝିଅ । ଆଉ ଦଉଡି ଲଗାଇ ନିଜ ପଢ଼ିବା ଘରେ ଆତ୍ମହତ୍ୟା କରିଥିଲେ ଋତୁପର୍ଣ୍ଣା । ଗତ ୧୧ ତାରିଖରେ ଋତୁପର୍ଣ୍ଣା ଆତ୍ମହତ୍ୟା କରିଥିବା ବେଳେ ପ୍ରଥମେ ବଡବାପା ଜାଣିବାକୁ ପାଇଥିଲେ । ଝିଅ ପାଠ ପଢୁଛୁ କି ବୋଲି ପଚାରିବା ବେଳକୁ ଆଉ ଝିଅର ପାଟିରୁ ଶବ୍ଦ ବାହାରିନଥିଲା । କରୋନାରେ ବାପାଙ୍କ ମୃତ୍ୟୁ ପରେ ଅଳିଅଳି ଝିଅ ବାପାଙ୍କୁ ଆରପାରିରେ ଭେଟିବାକୁ ଆତ୍ମହତ୍ୟା କରିସାରିଥିଲା । କରୋନା ଏକ ପରିବାରକୁ ଏତେ ଶୋକରେ ଭସାଇ ଚାଲିଯିବ କେହି ବି ଭାବିନଥିଲେ । ଜୟନାରାୟଣ ବଲାଙ୍ଗୀର ଗୋଳାବାରୁଦ କାରଖାନାରେ କାର୍ଯ୍ୟ କରୁଥିଲେ । ତାଙ୍କ ଗୋଟିଏ ଛଅ ବର୍ଷର ପୁଅ ଓ ୧୮ ବର୍ଷର ଝିଅ । ଝିଅ ଯୁକ୍ତ ଦୁଇ ପାଠ ସାରିବା ପରେ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରୁଥିଲେ । ହେଲେ ଖୁସିର ସଂସାରକୁ କରୋନା କେଇଟା ଦିନରେ ସତେ ଉଜାଡି ଦେଇଛି । ଘଟଣାକୁ ନେଇ ଏବେ ଟିକ୍ରାପଡା ସହ ବନ୍ଧୁବର୍ଗଙ୍କ ମହଳରେ ଶୋକର ଲହରୀ ଖେଳିଛି ।

ସମ୍ବନ୍ଧିତ ଖବର