ସମ୍ବଲପୁର/ବ୍ରଜରାଜନଗର : ମାଆ ମରିଗଲେ, ଜନ୍ମକଲା ପୁଅ ଆସିଲେନି। ହେଲେ, ମାଆଙ୍କ ମୃତଦେହକୁ ଯଥାରୀତିରେ ସଂସ୍କାର କରିବା ପାଇଁ ଆଗେଇ ଆସିଲେ ୬ ଝିଅ। କାନ୍ଧରେ ମଶାଣିକୁ ନେବା ସହ ମୁଖାଗ୍ନି ଦେଲେ। ଅନ୍ୟ ଏକ ସ୍ଥାନରେ ଆଉ ଜଣେ ମହିଳା ବି ଚାଲିଗଲେ। ଅତ୍ୟନ୍ତ ନିଃସହାୟ ଅବସ୍ଥାରେ ପଡ଼ିରହିଥିଲେ ବି ଶବ ସତ୍କାର କରିବା ପାଇଁ ସ୍ଥାନୀୟ ଲୋକ ବାହାରିନଥିଲେ। ମାତ୍ର, ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଶ୍ମଶାନରେ ସଂସ୍କାର କରିଥିବାବେଳେ ମହିଳାଙ୍କ ବୃଦ୍ଧ ସ୍ବାମୀ ମୁଖାଗ୍ନି ଦେଇଥିଲେ। ଏହି ଦୁଇଟି ଘଟଣା ବାପା କି ମା’ ମରିଗଲେ ପୁଅ ମୁଖାଗ୍ନି ଦେବାର ଯେଉଁ ପ୍ରଚଳିତ ପରମ୍ପରା ରହିଛି, ତାହାର ବ୍ୟତିକ୍ରମ କହିଲେ ଅତ୍ୟୁକ୍ତି ନୁହେଁ। ତେବେ, ଏହିଭଳି ଘଟଣା ନୂଆ କି ପ୍ରଥମ ନୁହେଁ। ଏହାପୂର୍ବରୁ ଆମ ବ୍ୟବସ୍ଥାରେ ସମାନ ଧରଣର ଘଟଣା ଘଟିସାରିଛି ଏବଂ ଏହି ଦୁଇଟି ଘଟଣା ସେଥିରେ ସଂଲଗ୍ନ ହୋଇଯାଇଛି। ଏବଂ ପୁଅ ନଥିଲେ ଯେ ରୀତିନୀତି କି କ୍ରିୟାକର୍ମ ସମ୍ପନ୍ନ ହୋଇପାରିବ ନାହିଁ, ସେହି ପାରମ୍ପରିକ ଧାରଣା ଏବେ ବଦଳୁଥିବା ଦେଖିବାକୁ ମିଳିଛି।
ଏହି ଦୁଇଟି ଘଟଣା ମଧ୍ୟରୁ ଗୋଟିଏ ଘଟଣା ସମ୍ବଲପୁରରେ ଦେଖିବାକୁ ମିଳିଛି। ୧୫ବର୍ଷ ଧରି ସମ୍ବଲପୁରର ଗୁଜୁରାତି କଲୋନୀରେ ରହୁଥିଲେ ସ୍ବର୍ଗତ ଭୁବନ ସାହୁଙ୍କ ପତ୍ନୀ ଶ୍ରୀମତୀ ସାହୁ। ସ୍ବାମୀଙ୍କ ମୃତ୍ୟୁ ପରେ ପୁଅ ତାଙ୍କୁ ପଚାରୁନଥିଲେ। ଝିଅମାନେ ତାଙ୍କ ସେବାଯତ୍ନ କରୁଥିଲେ। ଆଜି ୮୦ ବର୍ଷ ବୟସରେ ଶ୍ରୀମତୀଙ୍କ ପରଲୋକ ହୋଇଯାଇଥିଲା। ଏକ ଘରୋଇ କଂପାନିରେ ଚାକିରି କରୁଥିବା ପୁଅ ମୁଖାଗ୍ନି ଦେବା ଦୂରେଥାଉ ମା’ଙ୍କ ଶେଷଦର୍ଶନ ପାଇଁ ବି ଆସିନଥିଲେ। ଏଭଳି ସ୍ଥିତିରେ ଅତ୍ୟନ୍ତ ଛଳ ଛଳ ଆଖିରେ ମା’ଙ୍କ ମରଶରୀରକୁ କାନ୍ଧରେ ବୋହିଥିଲେ ୬ ଝିଅ। ସୁଶୀଲା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା। ସେତିକିରେ କେବଳ କଥା ସରିନଥିଲା, ମା’ ଚାଲିଯିବାର ଦୁଃଖକୁ ଜାବୁଡି ଧରି ଛଅ ଝିଅ ମୁଖାଗ୍ନି ଦେଇଛନ୍ତି।
ଅନ୍ୟ ଏକ ଘଟଣାରେ, ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଗାନ୍ଧୀନଗର କଲେଜପଡ଼ାରେ ପଶ୍ଚିମବଙ୍ଗରୁ ଆସି ରହୁଥିବା ରଘୁନାଥ ମାନ୍ନାଙ୍କ ପତ୍ନୀ ଇନ୍ଦ୍ରାଣୀ ମାନ୍ନା ବହୁଦିନ ହେଲା ଅସୁସ୍ଥ ଥିଲେ। ବୁଧବାର ସନ୍ଧ୍ୟା ୭ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅଚିହ୍ନା ଅଜଣା ଭାବି ସ୍ଥାନୀୟ ଲୋକେ ଶେଷକୃତ୍ୟ ପାଇଁ ବାହାରି ନଥିଲେ। ନିକଟରେ ରହୁଥିବା କିଛି ଯୁବକଙ୍କଠାରୁ ରାତିରେ ଖବରପାଇ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ବେଲପାହାଡ଼ ଓ ଝାରସୁଗୁଡ଼ା ଜିଲ୍ଲା ସଦସ୍ୟମାନେ ପହଞ୍ଚିଥିଲେ। ତାଙ୍କ ସମ୍ପର୍କୀୟମାନଙ୍କୁ ଯୋଗାଯୋଗ କରିବା ପରେ କେହି ନପହଞ୍ଚିବାରୁ ଶେଷରେ ଯୁବାମଞ୍ଚର ସଦସ୍ୟ ସକାଳେ ଟନଲ୍ ନିକଟସ୍ଥ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ବୃଦ୍ଧ ରଘୁନାଥ ମାନ୍ନା ମୁଖାଗ୍ନି ଦେଇଥିଲେ। ମଞ୍ଚର ଏହି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
ସବୁ ପିତାମାତା ଚାହାନ୍ତି, ପୁଅ ସେମାନଙ୍କ ଜୀବନର ଶେଷ ପର୍ଯ୍ୟାୟ ବୃଦ୍ଧାବସ୍ଥାରେ ଦେଖାଶୁଣା କରୁ, ସେମାନଙ୍କ ଯତ୍ନ ନେଉ। ଆଉ ପରଲୋକ ପରେ ମୁଖାଗ୍ନି ବି ଦେଉ। ହେଲେ, ସମସ୍ତଙ୍କ ଭାଗ୍ୟରେ ସେଭଳି ଘଟିନଥାଏ। ମାତ୍ର, ବିଭିନ୍ନ ସମୟରେ ଏହି ପରମ୍ପରାର ବ୍ୟତିକ୍ରମ ଘଟିବା ସହ ନୂଆ ପରମ୍ପରା ସୃଷ୍ଟି ହେବାର ନଜିର୍ ରହିଛି। ଏହି ଦୁଇଟି ଘଟଣା ସମାଜ ପାଇଁ ଭଲ ପରମ୍ପରାର ନିଦର୍ଶନ।