ସ୍କୁଟିକୁ ପିଟିଲା ଟ୍ରକ୍‌; ଝିଅ ମୃତ, ମା’ ଗୁରୁତର

ଭବାନୀପାଟଣା : ଭବାନୀପାଟଣା ସହର ନିକଟସ୍ଥ ଜଗଞ୍ଜୁ ହୋଟେଲ୍‌ ନିକଟରେ ସ୍କୁଟିକୁ ଟ୍ରକ୍‌ ଧକ୍କା ଦେବାରୁ ଝିଅର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଭବାନୀପାଟଣା ସହରର ପୁରୁଣାପଡ଼ା ନିଜ ଘରୁ ବାନ୍ଦୋପଲା ଶିବ ମନ୍ଦିରକୁ ସ୍କୁଟି (ଓଡି୦୮ଜି-୩୭୮୧) ରେ ମନ୍ଦିର ଯାଉଥିଲେ। ମା’ ସୁପ୍ରଭା ପଟ୍ଟନାୟକ (୪୦) ସ୍କୁଟି ଚଳାଉଥିବା ବେଳେ ଝିଅ ଶ୍ରୀୟାନ୍‌ସି ମହାନ୍ତି (୧୩) ପଛରେ ବସିଥିଲେ। ସେହି ସମୟରେ ଭବାନୀପାଟଣାରୁ ଜୁନାଗଡ଼ ଅଭିମୁଖେ ଯାଉଥିବା ଟ୍ରକ୍‌ (ସିଜି୦୪ଜି-୩୫୫୪) ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ମା’ ଓ ଝିଅ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥ ୨୬ ଉପରେ ଛିଟିକି ପଡ଼ଥିଲେ। ଘଟଣାସ୍ଥଳରୁ ଲୋକେ ୨ଜଣଙ୍କୁ ଆଣି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଝିଅ ଶ୍ରୀୟାନ୍‌ସି ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଲେଖାହେବା ବେଳକୁ ମା’ ସୁପ୍ରଭାଙ୍କ ଚେତା ଫେରିନଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର ଟ୍ରକ୍‌ ନେଇ ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ରିଷିଗାଁ ନିକଟରେ ପିସିଆର ଭ୍ୟାନ୍‌ ଅଟକାଇ ଥିଲା। ଟ୍ରକ୍‌ ଡ୍ରାଇଭର ଜଣକ ହେଲେ ଜୁନାଗଡ଼ ଥାନା କୋଟନ ଗ୍ରାମର ବସନ୍ତ ଭାଟି। ଉଭୟ ଟ୍ରକ୍‌ ଓ ଡ୍ରାଇଭରକୁ ଆଣି ଥାନାରେ ଅଟକ ରଖାଯାଇଛି।

ମୃତ ଶ୍ରୀୟାନ୍‌ସି ଭବାନୀପାଟଣା ହାଇଟେକ୍‌ ପବ୍ଲିକ ସ୍କୁଲ୍‌ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଥିଲେ। ଗୁରୁତର ସୁପ୍ରଭା ପଟ୍ଟନାୟକ ଘଣ୍ଟବାହାଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସୁପ୍ରଭା ହେଉଛନ୍ତି ସ୍ବର୍ଗତଃ ଗଣେଶ ମହାନ୍ତିଙ୍କ ପତ୍ନୀ ଓ କଳାହାଣ୍ଡି ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଶିବଶଙ୍କର ପଟ୍ଟନାୟକଙ୍କ ଭଉଣୀ। ଶ୍ରୀୟାନ୍‌ସିଙ୍କ ବିୟୋଗରେ ଭବାନୀପାଟଣା ସହରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର