ୟୁନିଟ୍‌-୮ ଡିଏଭି ମ୍ୟାନେଜମେଣ୍ଟ ସ୍କୁଲ ଛାତ୍ରୀ ମୃତ୍ୟୁ ମାମଲା: ୩୦୬ଧାରାରେ ପୁଲିସ ରୁଜୁ କଲା ମାମଲା

ଭୁବନେଶ୍ୱର: ଗତକାଲି ୟୁନିଟ୍‌- ୮ ଡିଏଭି ସ୍କୁଲ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ତେବେ ପୁଲିସ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ଫଳରେ ଛାତ୍ରୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି।  ତେବେ  କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି।  ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ପୁଲିସ ୩୦୬ ଧାରାରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ଡିଏଭି ସ୍କୁଲ ପରିସରରେ ଥିବା ଛାତ୍ରୀନିବାସରେ ରହୁଥିବା ତନୟା ବାନାର୍ଜୀଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଗତକାଲି ରାତିରେ ସମସ୍ତେ ଶୋଇପଡିବା ପରେ ଛାତ୍ରୀ ଜଣକ ଫ୍ୟାନରେ ଓଢ଼ଣୀ ସହାୟତାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଛାତ୍ରୀ ଜଣକୁ ସିନିଅର ଛାତ୍ରୀମାନେ ମାନସିକ ନିର୍ଯାତନା ଦେଉଥିଲେ । ଲିପଷ୍ଟିକ ଓ ପାଉଡର ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝିଅକୁ ଚୋର କହି କିଛି ଝିଅ ରୁମ ଭିତରେ ପଶି ତାକୁ ମାରପିଟ କରିଥିବା ତନୟା ତାଙ୍କ ମା’ଙ୍କୁ ଜଣାଇଥିଲେ।

ତେବେ ତନୟାଙ୍କ ମା’ ତାଙ୍କ ଝିଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଉଛି ବୋଲି କହିଛନ୍ତି। ଝିଅର ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସେ ଦାୟୀ କରିଛନ୍ତି।

ଅନ୍ୟପକ୍ଷରେ ଆଜି ଡିଏଭି ଛାତ୍ରୀ ମୃତ୍ୟୁ ଘଟଣାରେ ସ୍କୁଲର ପ୍ରିନ୍‌ସପାଲ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଘଟଣାର ତଦନ୍ତ ପାଇଁ ଅନ୍ତରୀଣ କମିଟି ଗଠନ କରାଯାଇଛି। ପୁଲିସ ମଧ୍ୟ ଛାନଭିନ ଆରମ୍ଭ କରି ଦେଇଛି। ଯଦି କେହି ଛାତ୍ରଛାତ୍ରୀ ତନୟାଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଥାଆନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ପ୍ରିନ୍‌ସପାଲ କହିଛନ୍ତି । ଛାତ୍ରୀଙ୍କୁ ସିନିୟର ଛାତ୍ରୀମାନେ ହଇରାଣକରୁଥିବା ନେଇ କେହି ଅଭିଯୋଗ କରି ନଥିଲେ ବୋଲି ବି ସେ କହିଛନ୍ତି । ଗତକାଲି ଏହି ଘଟଣାରେ କିଛି ଛାତ୍ର ଓ ହଷ୍ଟେଲ ସୁପରିଟେଣ୍ଡେଂଟଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର