ଭୁବନେଶ୍ବର : ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାଙ୍କ ମାନସିକତା ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁଁ ପାଠ ପଢ଼ିବାକୁ ଆଗ୍ରହ ବଢ଼ିବା ସହ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି। ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ପାଠପଢ଼ାକୁ ସହଜ କରିଛି। ଯେଉଁଥିପାଇଁ ସଫଳତା ଏବେ ହାତ ମୁଠାରେ ବୋଲି ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ପିଲାମାନେ ମତବ୍ୟକ୍ତ କରିଛନ୍ତି।
ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରିଛି। ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି। ସ୍କୁଲ ରୂପାନ୍ତର ପିଲାଙ୍କ ସ୍ବପ୍ନ ଓ ସଫଳତା ମଧ୍ୟରେ ସେତୁ ପରି ହୋଇଛି। ସ୍କୁଲ ସମୟ ହେଉଛି ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତର ଆମର ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଏହି ସୁଯୋଗର ଉପଯୋଗ କରି ଆଗକୁ ବଢ଼ିବାକୁ ହେବ। ପ୍ରତି ପିଲା ହେଉଛନ୍ତି ସ୍ବତନ୍ତ୍ର। ତାଙ୍କ ଭିତରେ ବିପୁଳ ସମ୍ଭାବନା ସହ ଆଖିରେ ସୁନ୍ଦର ଭବିଷ୍ୟତର ସ୍ବପ୍ନ ରହିଛି। ସ୍କୁଲ ରୂପାନ୍ତର ପିଲାଙ୍କ ଏ ସ୍ବପ୍ନରେ ଡେଣା ଯୋଡ଼ିପାରିଛି। ସେମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ତେଣୁ ଆତ୍ମବିଶ୍ୱାସର ସହ ସେମାନେ ଆଗକୁ ବଢ଼ନ୍ତୁ। ପିଲାଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ତେଣୁ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କରି ନିଜ ପାଇଁ, ପରିବାର ପାଇଁ ଓ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ କେନ୍ଦ୍ରାପଡ଼ାର ୯୫ଟି ହାଇସ୍କୁଲ ଥିବା ବେଳେ କଟକର ୧୩୫, କଳାହାଣ୍ଡିର ୧୦୦, ଝାରସୁଗୁଡ଼ାର ୭୦ ଓ ବରଗଡ଼ର ୯୦ଟି ହାଇସ୍କୁଲ ରହିଛି। ଲୋକାର୍ପଣ ଉତ୍ସବ ଅବସରରେ କେନ୍ଦ୍ରାପଡ଼ାରୁ ଅନନ୍ୟା, କଟକରୁ ସାନିୟା, କଳାହାଣ୍ଡିରୁ ଶିବାନୀ, ଝାରସୁଗୁଡ଼ାରୁ ପ୍ରଭାସିନୀ ଓ ବରଗଡ଼ରୁ ପରିଣୀତା ଆଲୋଚନାରେ ଭାଗ ନେଇ ସ୍କୁଲ ରୂପାନ୍ତର ଦ୍ୱାରା ଅନେକ ସଫଳତା ମିଳିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ନବକିଶେର ଦାସ, ବିଧାୟକ ଧ୍ରୁବ ଚରଣ ସାହୁ, ଦେବୀପ୍ରସାଦ ମିଶ୍ର, ଦେବେଶ ଆଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରି ଗଢ଼ିତୋଳିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/cccc-1.jpg)