ଭୁବନେଶ୍ୱର : ଦେଶର ବ୍ୟାଙ୍କଗୁଡ଼ିକୁ ୯,୦୦୦ କୋଟି ଟଙ୍କାର ଚୂନ ଲଗାଇ ଦେଶ ଛାଡ଼ି ପଳାଇଥିବା ମଦସମ୍ରାଟ ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ କହି ହଟହଟା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ଗତକାଲି ହାଇଦ୍ରାବାଦରେ ଆଦିବାସୀ ଶିଳ୍ପୋଦ୍ୟୋଗୀଙ୍କ ଏକ ସଭାରେ ଉଦ୍ବୋଧନ ବେଳେ ମାଲ୍ୟାଙ୍କ କଥା ଉଠାଇଥିଲେ ଜୁଏଲ୍। ସେ କହିଥିଲେ, କେବଳ କଠିନ ପରିଶ୍ରମ କଲେ ଚଳିବ ନାହିଁ। ସ୍ମାର୍ଟ ବା ଚାଲାକ୍ ବି ହେବାକୁ ପଡ଼ିବ। ମାଲ୍ୟାଙ୍କ ଭଳି ସ୍ମାର୍ଟ ହେଲେ ବଡ଼ ସଫଳତା ମିଳିବ ବୋଲି ସେ କହିଥିଲେ। କିନ୍ତୁ ତାଙ୍କର ଏଭଳି ମନ୍ତବ୍ୟକୁ ଦେଶବ୍ୟାପୀ ସମାଲୋଚନା କରାଯିବା ପରେ ସେ ଆଜି ଏଥି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।
ଗତକାଲି ହାଇଦ୍ରାବାଦରେ ଜୁଏଲ୍ କହିଥିଲେ, ତୁମ୍ଭେମାନେ ମାଲ୍ୟାଙ୍କୁ ନିନ୍ଦା କରୁଛ। କିନ୍ତୁ ମାଲ୍ୟା ପ୍ରକୃତରେ କିଏ? ସେ ଜଣେ ସ୍ମାର୍ଟ ବ୍ୟକ୍ତି ଓ ସଫଳ ଉଦ୍ୟୋଗପତି। ସେ ଅନେକ ବୁଦ୍ଧିମାନ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ବ୍ୟାଙ୍କ ଠକେଇ ପୂର୍ବରୁ ସେ ଦେଶର ଜଣେ ସଫଳ ବ୍ୟବସାୟୀ ରହିଥିଲେ। ସେ ବ୍ୟାଙ୍କର୍, ରାଜନୈତିକ ବ୍ୟକ୍ତି ଓ ସରକାରୀ ବ୍ୟବସ୍ଥାକୁ ପ୍ରଭାବିତ କରିପାରିଥିଲେ। ବ୍ୟବସ୍ଥାକୁ ଓ ବ୍ୟାଙ୍କର୍ମାନଙ୍କୁ ପ୍ରଭାବିତ କରିବା ପାଇଁ ଆଦିବାସୀମାନଙ୍କୁ କିଏ ମନା କରିଛି? ବ୍ୟାଙ୍କ ଋଣ ପାଇବାକୁ ହେଲେ ତାଙ୍କ ପରି ସ୍ମାର୍ଟ ଓ ଦକ୍ଷ ହେବାକୁ ପଡ଼ିବ।
ମାଲ୍ୟାଙ୍କ ଭଳି ଜଣେ ଋଣ ଖିଲାପକାରୀଙ୍କୁ ସ୍ମାର୍ଟ ବୋଲି କହିବା ଏବଂ ତାଙ୍କ ଭଳି ହେବାକୁ ଲୋକମାନଙ୍କୁ ପରାମର୍ଶ ଦେବା ଠିକ୍ ନୁହେଁ ବୋଲି ଦେଶବ୍ୟାପୀ ମତପ୍ରକାଶ ପାଇଥିଲା। ଏଥି ପାଇଁ ଜୁଏଲ୍ଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ବି କରାଯାଇଥିଲା। ମାଲ୍ୟାଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଆଡ଼ୁ ସମାଲୋଚିତ ହେଉଥିଲା ବେଳେ ଜୁଏଲ୍ଙ୍କ ପରି ଜଣେ ବରିଷ୍ଠ ମନ୍ତ୍ରୀଙ୍କ ମୁହଁରେ ଏପରି ମନ୍ତବ୍ୟ ସରକାରଙ୍କୁ ଅପ୍ରୀତିକର ସ୍ଥିତିରେ ପକାଇଦେଇଥିଲା। ସ୍ଥିତି ବିଗୁଡ଼ୁଥିବା ଦେଖି ଆଜି ଜୁଏଲ୍ କହିଛନ୍ତି, ଗତକାଲି ଭୁଲରେ ତାଙ୍କ ପାଟିରୁ ମାଲ୍ୟାଙ୍କ ନାମ ବାହାରି ଯାଇଥିଲା। ମାଲ୍ୟାଙ୍କ ବଦଳରେ ତାଙ୍କୁ ଅନ୍ୟ କାହାର ନାମ ନେବାର ଥିଲା। ତେବେ ଏଭଳି କରି ସେ ଭୁଲ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି।