ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବି ନେଇ ଆଜିଠାରୁ ରାଜଭବନ ସମ୍ମୁଖରେ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଯୁବ କଂଗ୍ରେସ କର୍ମୀ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି। ଯଦି ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହାଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ। ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହିତ ଯନ୍ତରମନ୍ତରଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି।
ଶ୍ରୀ ଲେଙ୍କା କହିଛନ୍ତି ଯେ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ମା’କୁ ସମ୍ମାନର କଥା କହି ସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ନବୀନ ସରକାର ହତ୍ୟା ମାମଲାରେ ଦୋଷୀମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଲାଗି ଦାବି କରୁଥିବା ଯୁବ କଂଗ୍ରେସ କର୍ମୀଙ୍କୁ ପୁଲିସ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରୁଛନ୍ତି।
ଏହା ବିରୋଧରେ ଆସନ୍ତା ୮ତାରିଖରେ ରାଜ୍ୟପାଳଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯିବ। ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ୯ତାରିଖରେ ଯୁବ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେବ। ୧୦ତାରିଖରେ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ଓ ୧୧ତାରିଖରେ ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାସହ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି। ଏହି ଗଣଧାରଣାର ପ୍ରଥମ ଦିନରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସଂପାଦକ ବିଶ୍ବରଂଜନ ମହାନ୍ତି, ବରିଷ୍ଠ ନେତା ଶରତ ରାଉତ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ, ଅନନ୍ତ ସେଠୀ, ଚିନ୍ମୟ ବେହୁରା, ସତ୍ୟାନନ୍ଦ ରାଉତ, ମହମ୍ମଦ ଅଲିମ, ରଞ୍ଜିତ ପାତ୍ର, ଆର୍ଯ୍ୟବୀର ଲେଙ୍କା, ସତ୍ୟପ୍ରିୟ ସାମଲ, ବିଶ୍ବରଂଜନ ଦାସ, ବୀରେନ ଦଳାଇ, ଜ୍ଞାନଚନ୍ଦ୍ର ଦାସ, ପ୍ରଶାନ୍ତ ମଲ୍ଲିକ, ବିଜୟରାଜ ପାଣିଗ୍ରାହୀ, ଆଶୁତୋଷ ରାଉତ, ଜ୍ଞାନରଂଜନ ଦାସ, ବିକି ଚକ୍ରବର୍ତୀ, ଜ୍ଞାନେନ୍ଦ୍ର ମହାନ୍ତି, ସ୍ବାଗତ କର, ପୃଥ୍ବୀରାଜ ନାୟକ, ଅମ୍ରିତା ଦାସ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/m13.jpg)