ପୁଣି ମାଡ଼ି ଆସୁଛି ବିପଦ: ମହାବାତ୍ୟାର ୨୧ ବର୍ଷ ପରେ ଦିନ ଯାଇଛି, ଚିହ୍ନ ରହିଛି
ଜଗତସିଂହପୁର: ଏରସମା ବ୍ଲକ୍ ଦହିବର ଗାଁ। ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟାରେ ଏହି ଗାଁରୁ ୫୮୭ ଜଣଙ୍କର ଜୀବନଦୀପ ଲିଭି ଯାଇଥିଲା। ପ୍ରତିବର୍ଷ ସେମାନଙ୍କ ସ୍ମରଣରରେ ଦହିବର ଗ୍ରାମରେ ସେମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇ ସଭା କରାଯାଏ। ଏବର୍ଷ କୋଭିଡ୍ କଟକଣାରେ ଶ୍ରଦ୍ଧାଂଜଳି ସଭା ହୋଇପାରି ନଥିବା ଜଣାପଡ଼ିଛି। କରୋନାର ପ୍ରକୋପରେ ଶ୍ରଦ୍ଧାଞ୍ଜଳି ସଭା ଅଟକି ଯାଇଛି ସତ କିନ୍ତୁ ୨୧ ବର୍ଷ ଭିତରେ ବିକାଶ ପ୍ରକ୍ରିୟା ବି ଅଞ୍ଚଳରେ ଅଟକି ଯାଇଥିବା ଅଭିଯୋଗ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ, ମହାବାତ୍ୟାରେ ୯ ହଜାର ୮୮୫ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୩ ଲକ୍ଷ ହେକ୍ଟରର ଫସଲ, ୧.୭୬ ଲକ୍ଷ ହେକ୍ଟର ପନିପରିବା ଚାଷ ଓ ୨.୭୫ ଲକ୍ଷ ହେକ୍ଟର ଅନ୍ୟାନ୍ୟ ଚାଷ ଜମି ନଷ୍ଟ ହୋଇଥିଲା। ୨୨ ହଜାର ୧୪୩ଟି ମାଛ ଜାଲ ନଷ୍ଟ ହୋଇଥିବା ବେଳେ ୯,୦୮୫ଟି ଡଙ୍ଗାର ପତ୍ତା ନଥିଲା। ସେହିପରି ୩ ଲକ୍ଷ ୧୫ ହଜାର ୮୮୬ ଗୃହପାଳିତ ପଶୁ, ୧୮ ଲକ୍ଷ ୮୩ ହଜାର ୪୬୮ କୁକୁଡ଼ା ଓ ଅନ୍ୟାନ୍ୟ ପକ୍ଷୀ ଏବଂ ୩ ଲକ୍ଷ ୧୬ ହଜାର ଛୋଟ ଛୋଟ ପଶୁଙ୍କର ମୃତ୍ୟୁ ହୋଇଥିଲା। ଏ ତ ଥିଲା ସରକାରୀ ରିପୋର୍ଟ। ମାତ୍ର ବେସରକାରୀ ସ୍ତରରେ କ୍ଷୟକ୍ଷତିର ପରିମାଣ ଆକଳନ କରିବା ମୁସ୍କିଲ ଥିଲା।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି କ୍ଷତ୍ରିଗ୍ରସ୍ତ ଅଂଚଳର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ କିଛି କାମ ଶେଷ ହୋଇଥିଲେ ବି ଅନେକ ଯୋଜନା ଆରମ୍ଭରେ ଅଥବା ଅଧାରେ ଅଟକି ଯାଇଛି। ୨୦୦୭ରେ ଶିଆଳି ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯିବା ସହ ଏହାର ବିକାଶ ପାଇଁ ପଦକ୍ଷେପ ନିଆଗଲା। ବେଳାଭୂମି ନିକଟରେ ଥିବା ଏକ ଭିଉ ଟାୱାରକୁ ରକ୍ଷା କରିବା ପାଇଁ ବାଲି ବସ୍ତା ପକାଯାଇ ଏକ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ସମୁଦ୍ର ଜୁଆର ମାଡ଼ରେ ଏହି ବନ୍ଧ ଧୀରେ ଧୀରେ ଖାଇଗଲା।
ଫଳରେ ସମୁଦ୍ର ଜୁଆର ଆସି ଏହି ଟାୱାରରେ ମାଡ଼ ହେଲା। ପୁଣି ଜଳ ସମ୍ପଦ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ୫୦୦ ମିଟର ଏକ ପଥର ବନ୍ଧ ନିର୍ମାଣ କରାଗଲା। ଏବେ ତାହା ସମୁଦ୍ର ଜୁଆର ଓ ବାଲି ମାଡ଼ରେ ପୋତି ହୋଇଗଲାଣି। ପଥର ବନ୍ଧ ଶେଷ ଭାଗରୁ କଳାବେଦୀ ପର୍ଯ୍ୟନ୍ତ ସମୁଦ୍ରରେ ଅତଡ଼ା ଖସିବା ଆରମ୍ଭ କଲାଣି। ୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଏରସମା ପ୍ରତି କେତେବେଳେ ଯେ ଏହି ସମୁଦ୍ର ଦାଉ ସାଧିବ, ତାହା କହିହେବ ନାହିଁ। ସମୁଦ୍ର ଜୁଆର ମାଡ଼ି ଆସିଲେ ଏହାର ନିକଟବର୍ତୀ କୁଂଜକୋଠି, ଜପା, ଆମ୍ବିକି, ପଦ୍ମପୁର, ଗଡ଼ହରିଶପୁର ଆଦି ନିଶ୍ଚିତ ଭାବେ କ୍ଷତିଗ୍ରସ୍ତ ହେବ। କଳାବେଦୀ ନିକଟରେ ଥିବା ସରବନ୍ତ ମନ୍ଦିର ପାଖ ଓ ନୋଳିଆ ସାହି ପଟକୁ ସମୁଦ୍ର ଖାଇଲାଣି। ସେଠାରେ ପରିସ୍ଥିତି ଧୀରେ ଧୀରେ ସଙ୍ଗିନ ହେବାରେ ଲାଗିଲାଣି।
୨୦୧୪ରେ ଏକ ସରକାରୀ ଯୋଜନାରେ ୬୮.୬୭ କୋଟି ଟଙ୍କା ଖର୍ଚ୍ଚରେ ଜୁଆର ପ୍ରତିରୋଧ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ନୋଳିଆସାହିରୁ ଗଡ଼ଚାନ୍ଦ ସଂରକ୍ଷିତ ଜଙ୍ଗଲ ଅଧୀନରେ ଆସିଥିଲେ। ସେଥିପାଇଁ ବନ୍ଧ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରହିଥିଲା। ଫଳରେ ବର୍ତମାନ ସମୁଦ୍ର ଜୁଆର ନୋଳିଆସାହି ପୂର୍ବରୁ ଥିବା ଜଙ୍ଗଲରେ ମାଡ଼ ହେଉଛି। ଏହା ଧୀରେଧୀରେ ଗାଁ ମଧ୍ୟକୁ ପ୍ରବେଶ କରିବା ପରି ଆଶଙ୍କା ସୃଷ୍ଟି ହେଲାଣି। ଇତିମଧ୍ୟରେ ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି, ଏନ୍ଡିଆରଏଫ୍, ଓସଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏରସମା ବ୍ଲକ୍ ନୋଳିଆସାହି ଗାଁକୁ ଆନ୍ତର୍ଜାତିକ ସ୍ତରରେ ସମ୍ମାନ ପ୍ରଦାନ କରାଯାଇଛି। ମାତ୍ର ଏପଟେ ସମୁଦ୍ର ଜୁଆର ଗାଁ ମଧ୍ୟକୁ ପ୍ରବେଶ କରିବା ଭଳି ପରିସ୍ଥିତି ସୃଷ୍ଟି କଲାଣି। ଏଣୁ ରାଜ୍ୟ ସରକାର ଏ ନେଇ ତୁରନ୍ତ କିଛି ପଦକ୍ଷେପ ନେବା ପାଇଁ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ଦାବି କରିଛନ୍ତି।