ବର୍ଷା ଋତୁରେ ତାତି ଅସହ୍ୟ : ତାପମାତ୍ରା ୪୨ ଡିଗ୍ରି ଛୁଇଁଲା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ଫଳରେ ଏବେ ଆଉ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେଲାଣି। କିଛି ଉପକୂଳ ଜିଲ୍ଲାରେ ବି ତାତି ୪୦ ଡିଗ୍ରି ଡେଇଁଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ପୁଣିଥରେ ବଢ଼ିଯାଇଛି। ଟିଟିଲାଗଡ଼ ଆଜି ତତଲାଗଡ଼ ପାଲଟିଛି। ଗତକାଲି ଏଠାରେ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ଆଜି ତାହା ୪୨ ଡିଗ୍ରିରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିଛି।

ଭୁବନେଶ୍ୱରରେ ତାପମାତ୍ରା ୪୦.୨ ଡିଗ୍ରିରେ ପହଞ୍ଚିଛି। ଯେଉଁଥିପାଇଁ ଲୋକେ ପୂର୍ବାହ୍ନରୁ ଅପରାହ୍ଣ ପର୍ଯ୍ୟନ୍ତ ନାହିଁ ନ ଥିବା କଷ୍ଟ ଅନୁଭବ କରିଛନ୍ତି। ରଜରେ ବର୍ଷା ନ ଥିଲେ ମଧ୍ୟ ପ୍ରବଳ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସୂର୍ଯ୍ୟଙ୍କ ତେଜ ସେତେଟା ନ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଯୋଗୁଁ ଝାଳ ବାହାରିଥିଲା। ଶରୀରରୁ ଜଳୀୟ ଅଂଶ କମିଯାଇଥିବାରୁ ଅଂଶୁଘାତର ଆଶଙ୍କା ବି ସୃଷ୍ଟି ହେଲାଣି।

ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମୌସୁମୀ ଦୁର୍ବଳ ହୋଇଯାଇଥିବାରୁ ଆସନ୍ତା ୨୩ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ନାହିଁ। ଏହାପରେ ପାଗରେ ପରିବର୍ତନ ଆସିପାରେ। ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ତେବେ ତାହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ। ନ ହେଲେ ମୌସୁମୀ ପୁଣିଥରେ ସକ୍ରିୟ ହେବାକୁ ସମୟ ଲାଗିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଯେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ। ୨୧ ତାରିଖ ଯାଏ ଏଭଳି ସମ୍ଭାବନା ରହିଛି। ଏହାପରେ କିଛିଟା ପରିବର୍ତନ ଆସିପାରେ। ଉପକୂଳ ଓଡ଼ିଶାରେ ସେଭଳି କୌଣସି ପରିବର୍ତନ ହେବାର ନାହିଁ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଟିଟିଲାଗଡରେ ୪୨ ଡିଗ୍ରି, ଅନୁୁଗୁଳ ଓ ଭବାନୀପାଟଣାରେ ୪୦.୭ ଡିଗ୍ରି, ବାରିପଦାରେ ୪୦.୬ ଡିଗ୍ରି, ବଲାଙ୍ଗୀରରେ ୪୦.୩ ଡିଗ୍ରି, ଚାନ୍ଦବାଲିରେ ୪୦.୨ ଡିଗ୍ରି, କଟକରେ ୪୦.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର