ସାବଧାନ! ଦୟା ପାଣି ବିଷ, ଗଙ୍ଗୁଆର ପ୍ରଦୂଷିତ ଜଳ ଜହର କରିଛି

ପିଇବା, ବ୍ୟବହାର ଅନୁପଯୋଗୀ, ଭାର୍ଗବୀ, ଲୁଣା ଓ ରତ୍ନଚିରା ପାଇଁ ବି ବିପଦ

ଭୁବନେଶ୍ୱର: ଦୟା ନଦୀର ପାଣି ପିଇବା ପାଇଁ ବ୍ୟବହାର କରୁଛନ୍ତି କି? ଏହି ପାଣିରେ ଗାଧୋଉଛନ୍ତି କି? ସାବଧାନ୍‌, ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ।
ସରକାର ଆଜି ଏକଥା ସ୍ୱୀକାର କରିଛନ୍ତି। ଦୟା ଓ ତା’ ଶାଖା ନଦୀ ପ୍ରତି ମାଡ଼ି ଆସୁଥିବା ବିପଦ ସଂକ୍ରାନ୍ତରେ ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସତର୍କ କରାଇଛନ୍ତି। ଭୁବନେଶ୍ୱର କଡ଼ରେ ଯାଇଥିବା ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ସିଧାସଳଖ ମିଶୁଥିବା କାରଣରୁ ଦୟା ନଦୀର ଜଳ ବିଷାକ୍ତ ପାଲଟି ଗଲାଣି। ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି, ମାଛ ବି ମରିଯାଉଛନ୍ତି। ଏହି ପାଣି ମାଡୁଥିବା ଅଞ୍ଚଳରେ ଚାଷ ବି ପ୍ରଭାବିତ ହେଉଥିବା ନେଇ ଖବର ପହଞ୍ଚିଛି।
କେବଳ ସେତିକି ନୁହେଁ, ଦୟା ନଦୀର ବିଷାକ୍ତ ଦଳ ଏବେ ଏହାର ଶାଖା ନଦୀ ଭାର୍ଗବୀ, ଲୁଣା ଓ ରତ୍ନଚିରାକୁ ବି ପ୍ରଭାବିତ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏସବୁ ନଦୀ ଜଳ ସ୍ଥିତି କ’ଣ, ଏହା କେତେ ଦୂର ପ୍ରଭାବିତ ହେଲାଣି, ଏ ନେଇ ଆକଳନ କରି ରିପୋର୍ଟ ଦେବା ଲାଗି ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦାୟିତ୍ୱ ଦିଆଯାଇଛି।
ହେଲେ, ଏହି ପାଣି ବ୍ୟବହାର ନକରିବା ଲାଗି ସାଇନ୍‌ ବୋର୍ଡ ବା ଜନସଚେତନତା ସୃଷ୍ଟି ଲାଗି ସରକାର ଆନ୍ତରିକତା ପ୍ରକଟ କରିନାହାନ୍ତି। ମନେ ମନେ ଧରି ନେଇଛନ୍ତି ଯେ ଲୋକେ ସବୁ ଜାଣିଛନ୍ତି। କାହାକୁ କିଛି କହିବାର ଆବଶ୍ୟକତା ନାହିଁ। ଏଣୁ ଆଜି ଏ ସଂକ୍ରାନ୍ତରେ ମନ୍ତ୍ରୀଙ୍କୁ ପଚରାଯାଇଥିଲେ ହେଁ, ସେ ଉତ୍ତର ନ ଦେଇ ଏଡାଇଯାଇଥିଲେ। ହେଲେ ସତ ହେଉଛି, ଆଜି ଦିନରେ ବି ଏହି ପାଣିକୁ ଲୋକେ ବ୍ୟବହାର କରୁଛନ୍ତି। ଆଉ ତିନି ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହଜାର ହଜାର ଲୋକ ଏଠାରେ ଗାଧୋଇବେ। ଗାଈ ଗୋରୁ ଏହି ପାଣି ପିଉଛନ୍ତି।
ଉଲ୍ଲେଖଯୋଗ୍ୟ, ବର୍ଜ୍ୟବସ୍ତୁ ନିଷ୍କାସନ ସମସ୍ୟା ସମାଧାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତିର ସାଂଘାତିକ ପ୍ରଭାବ ଏବେ ପଡିଛି।
୧୦ ବର୍ଷ ତଳୁ ଭୁବନେଶ୍ୱର ସ୍ୱେରେଜ୍‌ ବ୍ୟବସ୍ଥାର ଉନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ, ଆଜି ଯାଏ ଏହାକୁ ଏକ ନିର୍ଣ୍ଣାୟକ ସ୍ତରରେ ସରକାର ପହଞ୍ଚାଇ ପାରିନାହାନ୍ତି। ଅତ୍ୟନ୍ତ ଦକ୍ଷ ଓ ପ୍ରଭାବୀ ବୋଲି ନିଜକୁ ପ୍ରତିପାଦିତ କରୁଥିବା ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଉଭୟ ଏ କ୍ଷେତ୍ରରେ ଫେଲ୍‌ ମାରିଛନ୍ତି। ପରିଣାମ ହେଉଛି, ପବିତ୍ର ଗଙ୍ଗୋତ୍ରୀ ନଦୀ ବା ଗଙ୍ଗୁଆକୁ ତ ଡ୍ରେନେଜ୍‌ ଚ୍ୟାନେଲ୍‌ରେ ପରିଣତ କରିଦେଲେ, ଏବେ ଓଡ଼ିଶାର ଐତିହ୍ୟ ସହିତ ଜଡିତ ଦୟା ନଦୀ ପ୍ରତି ବି ବିପଦ ଟାଣିଆଣିଛନ୍ତି। ଭୁବନେଶ୍ୱରର ବର୍ଜ୍ୟବସ୍ତୁ ଏବେ ଗଙ୍ଗୁଆ ଦେଇ ଦୟାରେ ମିଶି ଏହାକୁ ଜହରରେ ପରିଣତ କରିଦେଲାଣି। ନଦୀରେ ଜଳ ପ୍ରବାହ କାରଣରୁ ଏହାର ପ୍ରଭାବ ବାରିହେଉନଥିଲା। ମାତ୍ର ଚଳିତବର୍ଷ ନଦୀରେ ଜଳପ୍ରବାହ କମିଯିବା ଫଳରେ ଭୟାବହତା ପଦାକୁ ଆସିଛି। ଏହି ନଦୀରୁ ଉତ୍ପନ୍ନ ଭାର୍ଗବୀ, ଲୁଣା ଓ ରତ୍ନଚିରା ନଦୀ ପ୍ରତି ବିପଦ ଘନେଇଛି। ଫଳରେ ଏସବୁ ନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକ ଏବେ ଚିନ୍ତାରେ ପଡିଛନ୍ତି।
ଘଟଣାର ଗମ୍ଭୀରତା ଉପଲବ୍ଧି କରି ଆଜି ସଚିବାଳୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଜଳସଂପଦ ସଚିବ ପ୍ରଦୀପ କୁମାର ଜେନା, ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍‌ ଓ ପ୍ରଦୂଷଣ ବୋର୍ଡର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ଦୀର୍ଘ ସମୟ ଧରି ଘଣ୍ଟାଚକଟା କରିଛନ୍ତି।
ପରେ ରାଜସ୍ୱ ମନ୍ତ୍ରୀ କହିଥିଲେ, ଜଳ ବିଶୋଧନ ପ୍ଲାଣ୍ଟ କରି ଗଙ୍ଗୁଆର ପ୍ରଦୂଷିତ ଜଳକୁ ବିଶୋଧନ କରାଯିବା ସଂପର୍କରେ ନଗର ଉନ୍ନୟନ ବିଭାଗ ସୂଚନା ଦେବା ସହିତ ୮୦୦ କୋଟି ଟଙ୍କା ବ୍ୟୟରେ ୬ଟି ସ୍ୱେରେଜ୍‌ ଜୋନ୍‌ରେ ପ୍ରକଳ୍ପ କାମ ଜାରି ରହିଛି ବୋଲି କହିଛନ୍ତି। ଆସନ୍ତା ୩ ବର୍ଷ ଭିତରେ ଏ କାମ ସରିଯିବ। ଏହାଦ୍ୱାରା ଦୟାନଦୀରେ ମିଶୁଥିବା ଗଙ୍ଗୁଆ ନାଳର ପ୍ରଦୂଷିତ ଜଳକୁ ବିଶୋଧନ କରାଯାଇ ଦୟା ନଦୀରେ ଛଡାଯିବ। ତେବେ ଗଙ୍ଗୁଆ ଯେଉଁଠାରେ ଦୟା ନଦୀରେ ମିଶିଛି, ସେଠାରେ ଜଳ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ କି ନାହିଁ, ସେ ନେଇ ନା ସରକାର ନିଷ୍ପତ୍ତି ନେଇଛନ୍ତି କିମ୍ବା ଆଜିର ବୈଠକରେ କିଛି ନିଷ୍ପତ୍ତି ହୋଇପାରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶୋଧନ ପ୍ଲାଣ୍ଟ କେବେ ହେବ, ସେ ନେଇ କିଛି ଗ୍ୟାରେଣ୍ଟି ନାହିଁ। କାରଣ ସ୍ୱେରେଜକୁ ନେଇ ରାଜଧାନୀବାସୀଙ୍କ ଯନ୍ତ୍ରଣାର ଇତିହାସ ବେଶ୍‌ ଲମ୍ବା। ହେଲେ ସେଯାଏ ଯଦି ଗଙ୍ଗୁଆର ବିଷ ପାଣି ଦୟା ନଦୀରେ ପ୍ରବାହିତ କରିବା ପାଇଁ ସୁଯୋଗ ଦିଆଯାଏ, ତେବେ ଏହି ନଦୀ ବୋଧେ ସବୁଦିନ ବ୍ୟବହାର ଯୋଗ୍ୟ ହୋଇ ରହିବ ନାହିଁ। ହଜାର ହଜାର ହେକ୍ଟର ଚାଷ ଉଜୁଡିଯାଇପାରେ ଓ ନଦୀ ଉପରେ ନିର୍ଭର କରୁଥିବା ଲୋକଙ୍କ ଅବସ୍ଥା କ’ଣ ହେବ, ତାହା ସହଜରେ ଅନୁମେୟ। ଗୋଟିଏ ପଟେ ରାଜ୍ୟ ସରକାର ଗଙ୍ଗୁଆ ଉପରେ ଘର ନିର୍ମାଣ କରିବା ଲାଗି ବାଟ ଖୋଲା କରିଛନ୍ତି। ଅନ୍ୟପଟେ ସରକାରୀ ଯୋଜନାର କାର୍ଯ୍ୟକାରିତାର କଚ୍ଛପ ଗତି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କଲାଣି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବଙ୍କ ବେପରୁଆ ମନୋଭାବ ସାଧାରଣ ଲୋକଙ୍କୁ ଯେତିକି ବିସ୍ମିତ କରୁଛି, ସେତିକି ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର