ଦୟା ୱେଷ୍ଟ୍‌ କେନାଲ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ବର : ଆଜି ବିଧାନସଭାରେ ଦୟା ୱେଷ୍ଟ କେନାଲ ପ୍ରସଙ୍ଗ ଉଠିଥିଲା। ଏହି କେନାଲ୍‌ ପୋତି ହୋଇଯାଉଥିବାରୁ ବିଧାୟକ ସୁରେଶ ରାଉତରାୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଶ୍ରୀ ରାଉତରାୟଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଦର୍ଶାଇଥିଲେ, ଜଳସେଚନ ପ୍ରକଳ୍ପଗୁଡ଼ିକର କେନାଲ ମାଧ୍ୟମରେ ସେଚାଞ୍ଚଳକୁ ଜଳସେଚନ ଯୋଗାଇ ଦେବା ଜଳସେଚନ ବିଭାଗର ପ୍ରାଥମିକ କାର୍ଯ୍ୟ ଅଟେ। ଦୟା ୱେଷ୍ଟ ବ୍ରାଞ୍ଚ୍ କେନାଲ ଭୁବନେଶ୍ବର ଓ ଜଟଣୀ ବ୍ଲକ୍‌ର ୨୪୧୭ ହେକ୍ଟର୍‌କୁ ଜଳାସେଚନ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିଲା। କିନ୍ତୁ ଇତି ମଧ୍ୟରେ କେନାଲର ସେଚାଞ୍ଚଳରେ ସହରୀକରଣ ଯୋଗୁ ବର୍ତ୍ତମାନ ପ୍ରାୟ ୧୩୫୦ ‌ହେକ୍ଟରକୁ ଜଳସେଚନ ଯୋଗାଇ ଦିଆଯାଉଛି। ବୈଷୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୟା ୱେଷ୍ଟ କେନାଲର ସୁଆଙ୍ଗ ଅଞ୍ଚଳରେ କେନାଲର ଲିନିଂ ୱାର୍କ କରାଯାଇଛି। ଉକ୍ତ କେନାଲର ଅଧିକାଂଶ ଅଞ୍ଚଳ ସହର ମଧ୍ୟରେ ଥିବାରୁ ଏହାର ବାମ ପାର୍ଶ୍ବରେ ୧୩.୧୨୬ କିମି ଓ ଡାହାଣ ପାର୍ଶ୍ବରେ ୨୩.୧୫୨ କିମି ବନ୍ଧ ରାସ୍ତାକୁ ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ଉନ୍ନତୀକରଣ କରାଯାଇଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ରାଉତରାୟ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନ ଥିଲେ। ସେ କହିଥିଲେ କେନାଲ ପୋତି ହୋଇଇଗଲାଣି। ଆଉ ପାଣି ଆସୁନି। କେନାଲ ନିକଟରେ କିଛି ଅଫିସର୍‌, ନେତା, ବ୍ୟବସାୟୀ ଜାଗା ନେଇଛନ୍ତି। ସେମାନେ ହିଁ ପ୍ରତିବନ୍ଧକ ସାଜୁଛନ୍ତି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପ୍ରଦୀପ ମହାରଥୀ କହିଥିଲେ, ଦୟା କେନାଲର ୪୦ କିମି ମୋ ନିର୍ବାଚନମଣ୍ଡଳୀରେ ଯାଉଛି। ସେଠାରେ ରାସ୍ତା ଅବସ୍ଥା ବହୁତ ଖରାପ। ମନ୍ତ୍ରୀ କ୍ଷେତ୍ର ସ୍ତରକୁ ଯାଇ ସ୍ଥିତି ପରଖନ୍ତୁ। ଶ୍ରୀକାନ୍ତ ସାହୁ, ସୁରେଶ ପାଣିଗ୍ରାହୀ ଓ ତାରା ବାହିନୀପତି ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର