ପିପିଲି,: ପବିତ୍ର ନିର୍ମଳ ପୁଣ୍ୟତୋୟା ଦୟାନଦୀର ଜଳ ଏବେ ଜହର ପାଲଟିଛି। ଏଠାରେ ଗାଧୋଇବା ତ ଦୂରର କଥା, ଗୋଡ଼ ବୁଡ଼ାଇଲେ ବିଭିନ୍ନ ଚର୍ମ ରୋଗ ହେଉଥିବା ଅଭିଯୋଗ ହେଉଛି। ଦୟାନଦୀ ପାଣିରେ ବର୍ଷସାରା ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଭୁବନେଶ୍ବର ସହର ଓ ଗଙ୍ଗୁଆ ନାଳ ଯୋଗୁଁ ଏହି ନଦୀର ପାଣି ପ୍ରଦୂଷିତ ହେଉଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସିଏଜିର ସହାୟକ ଲେଖା ଅଧିକାରୀ ରାଜୀବ କୁମାର ଓ ଜଳସମ୍ପଦ ବିଭାଗର ଏକ ଟିମ୍‌ ଆଜି କାକୁଡ଼ିଆ, ଭଁସର ଆଦି ଗାଁ ନିକଟରେ ଦୟାନଦୀର ଜଳକୁ ଅନୁଧ୍ୟାନ କରିବା ସହ ନଦୀ ପ୍ରଦୂଷଣ ସଂକ୍ରାନ୍ତରେ ସ୍ଥାନୀୟ ଅଧିବାସୀଙ୍କୁ ପଚାରି ବୁଝିଛନ୍ତି।

Advertisment

ଗଙ୍ଗୁଆନାଳ ଭୁବନେଶ୍ବର ରାଜଧାନୀ ଇଂଜିନିୟରିଂ କଲେଜ ରୋଡ୍‌ଠାରୁ ବାହାରି ଭୁବନେଶ୍ବର ସହର ଦେଇ ୩୧ କିମି ଅତିକ୍ରମ କରି କଣ୍ଟି ବାରିମୂଳଠାରେ ଦୟାନଦୀରେ ମିଶିଛି। ଅଭିଯୋଗ ଅନୁସାରେ, ଭୁବନେଶ୍ବର ସହରର ସମସ୍ତ ନର୍ଦ୍ଦମା ଓ ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଏହି ଗଙ୍ଗୁଆ ନାଳ ଦେଇ ଆସି ଦୟାନଦୀରେ ମିଶୁଛି। ପ୍ରତିଦିନ ଗଙ୍ଗୁଆ ନାଳ ଦେଇ ୫୬୨ କ୍ୟୁସେକ୍‌ ଦୂଷିତ ଜଳ ଦୟାନଦୀରେ ମିଶୁଥିବା ଜଣାପଡ଼ିଛି। ଫଳରେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ୍‌ ଅନ୍ତର୍ଗତ ୧୫୦ରୁ ଅଧିକ ଗ୍ରାମର ଅଧିବାସୀ ଏହି ପ୍ରଦୂଷିତ ନଦୀଜଳ ଦ୍ବାରା ପ୍ରଭାବିତ ହେଉଛନ୍ତି। ନଦୀ ଅବବାହିକାର ଲୋକମାନେ ବିଭିନ୍ନ ସମୟରେ କଲେରା, ଟାଇଫଏଡ୍‌, ହେପାଟାଇଟିସ୍‌, ଜଣ୍ଡିସ୍‌ ସହ ବିଭିନ୍ନ ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି। ଭୁବନେଶ୍ବରସ୍ଥିତ ବିଭିନ୍ନ ଶିଳ୍ପାଞ୍ଚଳ ଓ ଡାକ୍ତରଖାନାରୁ ନିର୍ଗତ ରଙ୍ଗ ସହ ନମନୀୟ ନୀଳ ଧଳା ଧାତୁ ଓ ବ୍ୟାକ୍ଟେରିଆ ଯୁକ୍ତ ଦୂଷିତ ଜଳ ଗଙ୍ଗୁଆ ନାଳ ଦେଇ ପ୍ରତିଦିନ ଦୟାନଦୀରେ ମିଶୁଛି।

ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌
ପ୍ରଦୂଷିତ କରୁଛି ଗଙ୍ଗୁଆ ନାଳ ଓ ଭୁବନେଶ୍ବର ସହର

ଭୁବନେଶ୍ବର ସହରର ପଟିଆ, ମଞ୍ଚେଶ୍ବର, ବାଣୀବିହାର, ଲକ୍ଷ୍ମୀସାଗର, ବରଗଡ଼, କେଦାରଗୌରୀ ଓ ସାମନ୍ତରାପୁର ଆଦି ପ୍ରମୁଖ ଅଞ୍ଚଳ ଦେଇ ପ୍ରାୟ ୧୦୩.୪୩ କିଲୋମିଟର ନାଳରେ ଘରୋଇ ଓ ଶିଳ୍ପାଞ୍ଚଳର ପ୍ରଦୂଷିତ ଜଳ ଗଙ୍ଗୁଆ ନାଳ ଦେଇ ଦୟାନଦୀରେ ମିଶୁଛି। ୱାଟର୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଦ୍ବାରା ଦୂଷିତ ପାଣିକୁ ବିଶୋଧନ ନ କରି ସିଧାସଳଖ ଦୟାନଦୀକୁ ପ୍ରଦୂଷିତ ପାଣି ଛଡ଼ାଯାଉଥିବା ଏହି ଅଭିଯୋଗରୁ ଜଣାପଡ଼ିଛି। ଏପରିସ୍ଥ‌ଳେ ଦୟାନଦୀର ପ୍ରଦୂଷିତ ଜଳ ଓ ଶହଶହ ପଲିଥିନ ଭାସୁଥିବା ଦେଖି ଟିମ୍‌ ଉଦ୍‌ବେଗ ପ୍ରକାଶ କରିଥିଲେ। ଖୁବ୍‌ଶୀଘ୍ର ଦୟାନଦୀ ପ୍ରଦୂଷଣ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ରାଜୀବ କୁମାର କହିଛନ୍ତି।

ଅନ୍ୟପକ୍ଷରେ, ଗଙ୍ଗୁଆ ପାଣିକୁ ବିଶୋଧନ କରି ଦୟାନଦୀକୁ ଛଡ଼ାଯିବ ବୋଲି ୧୦ ବର୍ଷ ହେବ ଶୁଣିବାକୁ ମିଳୁଛି। ଯୁଦ୍ଧକାଳୀନ ଭିତ୍ତିରେ ସରକାର ଦୟାନଦୀକୁ ପ୍ରଦୂଷଣମୁକ୍ତ ପାଇଁ ପଦକ୍ଷେପ ନନେଲେ ଆଗାମୀ ଦିନରେ ବଡ଼ଧରଣର ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।