ଦୟାନିଧି ସ୍ମୃତି କଳା ପରିଷଦର ବା‌‌ର୍ଷିକ ଉତ୍ସବ

କଟକ: ଦୟାନିଧି ସ୍ମୃତି କଳା ପରିଷଦର ୩୧ ତମ ବାର୍ଷିକ ଉତ୍ସବ ଆଜି କଟକ ଟାଉନ୍‌ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ପୂର୍ବତନ କେନ୍ଦ୍ର ଶିକ୍ଷା ସଚିବ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓଡ଼ିଶୀ ନୃତ୍ୟଜଗତକୁ ଗୁରୁ ଦୟାନିଧିଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାୀ ନୃତ୍ୟର ଶିକ୍ଷାଦାନ, ପାଠକ୍ରମ ପ୍ରସ୍ତୁତି ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ଗୁରୁ ଦୟାନିଧିଙ୍କ ଉଦ୍ୟମରେ ହୋଇଥିବାରୁ ତାଙ୍କୁ ଏ ଜାତି ସ୍ମରଣ କରିବା ଉଚିତ ବୋଲି କହିଥିଲେ। ତାଙ୍କର ଅବଦାନ ସମେସ୍ତ ଭୁଲି ଯାଇଥିବାରୁ ପ୍ରଫେସର ସାମଲ କ୍ଷୋଭ ପ୍ରକାଶ କରିଥିଲେ।

ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ଗୀତକୁ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ମିଳିବା ଉଚିତ ବୋଲି ଡକ୍ଟର ଅରୁଣ କୁମାର ରଥ କହିଥିଲେ। ଅନୁଷ୍ଠାନର ସଭାପତି କର୍ଣ୍ଣେଲ କ୍ଷିତୀଶ ଚନ୍ଦ୍ର ନାୟକ କହିଥିଲେ, ଶିଶୁମାନଙ୍କର କଲ୍ୟାଣ ଏ ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ। ଉପସଭାପତି ଶ୍ୟାମ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନାଟ୍ୟକାର ସଞ୍ଜିତ୍‌ ପଟ୍ଟନାୟକ ସଭା ପରିଚାଳନା କରିଥିଲେ ଏବଂ ବିଜୟଲକ୍ଷ୍ମୀ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ସ୍ମରଣିକା ‘କଳାସୃଜନୀ’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିସହ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତି‌‌ଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥ‌ିଲେ। ବିଭୁପ୍ରସାଦ ଦାସ, ବିନ୍ଦୁଶ୍ରୀ ଦାସ, ମୀନାକ୍ଷୀ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର