କଟକ/ଭୁବନେଶ୍ବର/ସମ୍ବଲପୁର/ନୂଆପଡ଼ା/ସିନାପାଲି/କୋମନା/ଯାଜପୁରସଦର/ବାଲେଶ୍ବର/ବ୍ରହ୍ମପୁର: ଦୀପାବଳିରେ ବାଣ ଦୁର୍ଘଟଣାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତିନି ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ହାବେଳି ବାଣ ମାଡ଼ରେ ସମ୍ବଲପୁରର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୨ରୁ ଅଧିକ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ଅନୁସାରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବାଣ ଦୁର୍ଘଟଣାରେ ପାଖାପାଖି ୧୫୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଲୋକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ଆସିଥିବା ‌ବେଳେ ୨୭ଜଣଙ୍କୁ ଏସ୍‌ସିବିର ସର୍ଜରି, ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି। ବାଣ ନିଆଁରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଦୁଇ ବଖରା ଘର ଜଳି ଯାଇଥିବା ବେଳେ କଟକ ସଦର ଥାନା ଗୁଆଳିରେ ୪ଟି ଗୁହାଳ ଘର ପୋଡି ଯାଇଛି। ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଅଞ୍ଚଳରେ ୩ ବଖରା ଜଳି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେହି ଭଳି ରାଜଧାନୀ ସମେତ ଆଖପାଖ ଅଞ୍ଚଳରୁ ୩୦ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୬ ଜଣ ସାମାନ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥି‌‌ଲେ। ଦୁଇ ଗୁରୁତରଙ୍କ ହାତ ଫାଟି ଯାଇଥିବା‌ ଜଣଙ୍କର ଆଙ୍ଗୁଠି‌ ଉଡ଼ି ଯାଇଛି।

ଆଉଜଣଙ୍କର ଜଂଘରେ ନିଆଁଲାଗି ପୋଡ଼ି ଯାଇଛି। ହାବେଳି ବାଣ ମାଡ଼ରେ ସମ୍ବଲପୁରର କ୍ଷେତରାଜପୁର ଶ୍ୟାମ୍‌ ବାଟିକାର ଆପାର୍ଟମେଣ୍ଟର ତୃତୀୟ ମହଲାରେ ରାତି ସାଢ଼େ୧୦ଟା ସମୟରେ ନିଆଁ ଲାଗିଯାଇଥିଲା। ଭୟଭୀତ ହୋଇ ସେଠାରେ ରହୁଥିବା ୨୦ ପରିବାରର ପାଖାପାଖି ୧୦୦ ଲୋକ ବାହାରକୁ ବାହାରି ଯାଇଥିଲେ। ୩ଟି ଲିଆଁ ଲିଭା ଗାଡ଼ି ସହ ୧୫ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇ ବହୁ କଷ୍ଟରେ ନିଆଁ ଲିଭାଇଥିଲେ। ସେହି ସ୍ଥାନରୁ ମାତ୍ର ୫୦ ମିଟର ଦୂର ବିହାରୀପଡ଼ାରେ ଥିବା ଏକ ଅଖା ଗୋଦାମରେ ଆଉ ଏକ ହାବେଳି ପଡ଼ି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲିର ଜମିର୍ ଖାନ ଘରେ ବାଣ ଫୁଟାଉଥିବା ବେଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ତୁଳାଗଦା ସହ ଘରର ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଇଛି। ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଲା ଗାଁର ବିବେକ ମାଝୀ (୧୩ ) ଏକ ଷ୍ଟିଲ ଗ୍ଲାସ ଢାଙ୍କି ବାଣ ଫୁଟାଉଥିବା ବେଳେ ବାଣ ଫୁଟି ଗ୍ଲାସଟି ଖଣ୍ତ ଖଣ୍ତ ହୋଇ ଗୋଟିଏ ପଟ ବେକରେ ପଶି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା ଦଶରଥପୁରର ବିନୋଦ ବେହେରାଙ୍କ ୨ଟି ଆଙ୍ଗୁଳି ଛିଡ଼ି ଯାଇଛି। ପାପୁଲି ଫାଟି ଯାଇଛି। କୁମ୍ଭାରିଆ ଅଞ୍ଚଳର ରାଘବ ସାହୁଙ୍କ ଗୋଡ଼, କପାସି ଅଞ୍ଚଳର ଆକାଶ ଜେନା(୧୮)ଙ୍କ ପାପୁଲି ଛିଡ଼ିଯାଇଥିଲା। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଯାଜପୁର ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସ‌ାରେ ବାଣ ଫୁଟାରେ ୪୨ ଜଣ ଆହତ ହୋଇଥିଲେ।

ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ବାଣ ନିଆଁରେ ବାଲେଶ୍ବର ଜିଲ୍ଲା ସୋର ବ୍ଳକ୍‌ରେ ୪ ବଖରା, ବସ୍ତା ବ୍ଲକ୍‌ରେ ୨ ବଖରା, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନ୍‌ଏସିରେ ଗୋଟିଏ ବଖରା ଜଳିଯାଇଥିବା ବେଳେ ଜିଲ୍ଲା ମହକୁମା​ ବାରିପଦାରେ ଏକ ଟେଣ୍ଟ୍‌ ହାଉସ୍‌ ପୋଡି ପାଉଁଶ ହୋଇଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତର ଆହତଙ୍କ ମଧ୍ୟରେ ତିନି ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ୭ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ସହର ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଣ ନିଆଁରେ ପୋଡ଼ି ହୋଇ ପ୍ରାୟ ୩୦ଜଣ ଗତରାତିରେ ଏମ୍‌କେସିଜି ବଡ଼ ଡାକ୍ତରଖାନା କାଜୁଆଲ୍‌ଟିକୁ ଚିକିତ୍ସା ନିମନ୍ତେ ଆସିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।