ପାଣିକୋଇଲି/ଯାଜପୁରଟାଉନ/ସଦର: ଯାଜପୁର ପାଣିକୋଇଲି ବଜାରରେ ଆଜି ଏକ ଛାତିଥରା ଘଟଣା ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି। ପାଣିକୋଇଲିରେ ଥିବା ପଣ୍ତା ଅଳଙ୍କାର ଦୋକାନରୁ ଶନିବାର ଅପରାହ୍‌ଣରେ ଡକାୟତି ଉଦ୍ୟମ ବେଳେ ଗୁଳିକାଣ୍ଡ ଘଟିଛି। ଡକାୟତଙ୍କ ଗୁଳିମାଡ଼ରେ ଦୋକାନର ଜଣେ କର୍ମଚାରୀଙ୍କ ସହିତ ଅନ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଦ୍ବୟ ଯାଜପୁର ସଦର ଥାନା କୁନିଦା ଗ୍ରାମର ସୁନିଲ ରାୟ (୩୬) ଓ ପାଣିକୋଇଲି ଥାନା ସୋତି ଗ୍ରାମର ନୀଳମାଧବ ପଣ୍ଡା (୩୦)। ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଡକାୟତିରେ ସଂଶ୍ଲିଷ୍ଟ ଦୁଇଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଛନ୍ତି। ଗୁଳିକାଣ୍ଡରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଗୋଡ଼ାଇ ଧରିଥିବା ଜଣେ ଲୁଟେରାକୁ ଦୋକାନ ଭିତରେ ବନ୍ଦ କରି ରଖିବା ସହ ଛାଡ଼ିନଥିଲେ। ହଜାର ହଜାର ଲୋକ ଏକାଠି ହୋଇ ନାରାବାଜି କରିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଯାଜପୁର ଏସ୍‌ପି ୟଶପ୍ରତାପ ଶ୍ରୀମଲଙ୍କ ସମେତ ପାଣିକୋଇଲି ଥାନା ପୁଲିସ ଓ ୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା। ବହୁ ବୁଝାସୁଝା କରିବା ପରେ ସଂପୃକ୍ତ ଲୁଟେରାକୁ ବନ୍ଦ ଘରୁ ପୁଲିସ ଉଦ୍ଧାର କରି ଯାଜପୁର ଡାକ୍ତରଖାନା ନେଇ ଯାଇଥିଲା।

Advertisment

୨ ଡକାୟତଙ୍କୁ ଧରିଲେ ଲୋକେ, ଜଣେ ଖସିଗଲା
ଲୁଟେରାଙ୍କ ପକେଟ୍‌ରୁ ମିଳିଲା ଗୋଛାଏ ସୁନା
ପାଣିକୋଇଲିରେ ପ୍ରବଳ ଉତ୍ତେଜନା
ଲୋକଙ୍କୁ ବୁଝାସୁଝା କଲେ ଡିଆଇଜି, ଏସ୍‌ପି

ଶନିବାର ଅପରାହ୍‌ଣ ପ୍ରାୟ ଗୋଟାଏ ବେଳେ ୩ ଜଣ ଦୁର୍ବୃତ୍ତ ଏକ ଆପାଚି ବାଇକ୍‌ରେ ଆସି ଅଳଙ୍କାର ଦୋକାନ ଭିତରେ ପଶି ଗୁଳି ଚଳାଇ ଲୁଟ୍‌ ଉଦ୍ୟମ କରିଥିଲେ। ଦୋକାନ କର୍ମଚାରୀ ବିରୋଧ କରିବାରୁ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଗୁଳିଚାଳନା କରିଥିଲା। ଗୁଳିମାଡ଼ରେ ଦୋକାନ କର୍ମଚାରୀ ସୁନିଲ ରାୟ ଓ ଦୀପକ ସାହୁ ଗୁରୁତର ହୋଇଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ଆଖପାଖ ଲୋକ ଆସିଯିବାରୁ ୩ ଦୁର୍ବୃତ୍ତ ସେଠାରୁ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ରାସ୍ତାରେ ବାଇକ ଯୋଗେ ଯାଉଥିବା ଟାଟା ପାୱାରର ଗାଡ଼ିଚାଳକ ସ୍ଥାନୀୟ ଅଞ୍ଚଳର ଯୁବକ ନୀଳମାଧବ ପଣ୍ଡା (୩୦)ଙ୍କୁ ଜଣେ ଲୁଟେରା ଅଟକାଇ ବାଇକ୍‌ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲା। ହେଲେ ସେ ବାଇକ୍‌ ନ ଦେବାରୁ ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ପେଟରେ ଗୁଳି ବାଜିବାରୁ ସେହିଠାରେ ହିଁ ନୀଳମାଧବଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେହି ବାଟ ଦେଇ ଯାଉଥିବା ସଞ୍ଜୀବ ସାହୁଙ୍କ ଗ୍ଲାମର୍‌ ବାଇକ୍‌ (ଓଡି ୩୪ ଏଲ୍‌ ୬୧୭୧) ଛଡ଼ାଇନେଇ ଜଣେ ଦୁର୍ବୃତ୍ତ କଟକ ଆଡ଼କୁ ଜାତୀୟ ରାଜପଥରେ ଚମ୍ପଟ ମାରିଥିଲା। 

ଅନ୍ୟ ଦୁଇଜଣ ଲୁଟେରା ସେମାନଙ୍କ ଆପାଚି ବାଇକ୍‌ରେ ଖସିଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦୋକାନ ମାଲିକ ଏକ କାର୍‌ ଯୋଗେ ଆସି ସେମାନଙ୍କୁ ଧକ୍କା ଦେଇଥିଲେ। ବାଇକ୍‌ଟି ଡ୍ରେନ୍‌ରେ ଫସି ରହିବାରୁ ଦୁହେଁ ଯାଇପାରିନଥିଲେ। ଏତିକି ବେଳେ ଜଣେ ଲୁଟେରା କାର୍‌ ଉପରକୁ ଗୁଳି ଚଳାଇଥିଲା। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଆସିଯିବାରୁ ଦୁହେଁ ଦୌଡ଼ି ପଳାଇଥିଲେ। ଜାତୀୟ ରାଜପଥ ଉପରୁ ଜଣେ ଲୁଟେରାକୁ କାବୁ କରାଯିବାବେଳେ ତା’ ପକେଟରୁ ଗୋଛାଏ ସୁନା ଅଳଙ୍କାର ବାହାରିଥିଲା। ତାକୁ ନେଇ ଅଳଙ୍କାର ଦୋକାନର ଘର ଭିତରେ ଭର୍ତ୍ତି କରିଦେଇଥିଲେ ଉତ୍ତ୍ୟକ୍ତ ଜନତା। ଅନ୍ୟ ଜଣେ ଲୁଟେରା ପାଣିକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଜାଗୁଳାଈ ପୋଖରୀ ଭିତରେ ପଶିଯାଇଥିଲା। ଜୀବନବିକଳରେ ସେ ପାଣି ଭିତରେ କିଛି ସମୟ ବୁଡ଼ି ରହିଥିଲା। ଲୋକମାନେ ପାଣି ଭିତରେ ଡେଇଁ ତାକୁ ବାହାର କରିବା ସହ ନିସ୍ତୁକ ଛେଚିଥିଲେ। ପରେ ପୁଲିସ ତାକୁ ଯାଜପୁର ଡାକ୍ତରଖାନା ନେଇଯାଇଥିଲା। କାବୁ ହୋଇଥିବା ଦୁଇ ଲୁଟେରାଙ୍କୁ ଲୋକେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପୁଲିସ ବୁଝାଇବା ପରେ ଲୋକେ ଛାଡିଥିଲେ। ଯାଜପୁର ଏବେ ଲୁଟେରାଙ୍କ ଭୂସ୍ବର୍ଗ ପାଲଟିଛି।  ବିଗତ ଦିନରେ ବ୍ୟାସନଗରରୁ ଏକାଧିକ ସୁନା ଦୋକାନରୁ ଅଳଙ୍କାର ଲୁଟ୍‌ ହୋଇଛି। ଅଭିଯୋଗ ହେଉଛି, ମାମଲା କରି ରୁଜୁ କରି ପୁଲିସ ନିଷ୍କ୍ରିୟ ରହୁଥିବାରୁ ଲୁଟେରାଙ୍କ ସାହସ ବଢ଼ୁଛି।