୧୩ ତାରିଖ ପରେ ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର : ଏବେ ରାଜ୍ୟର ତାପମାତ୍ରା ସ୍ବାଭାବିକ ରହିଛି। ଅଧିକ ଗରମ କିମ୍ବା ଶୀତ ଅନୁଭୂତ ହେଉନାହିଁ। ଗତ ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନର ସର୍ବାଧିକ ତାପମାତ୍ରା ପୂର୍ବ ଦିନ ଅପେକ୍ଷା ହ୍ରାସ ପାଇଛି। କିନ୍ତୁ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ରାତିର ସର୍ବନିମ୍ନ ତାପମାତ୍ରା ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ବାଭାବିକ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ଭଳି ତାପମାତ୍ରା ଜାରି ରହିବ ଓ ବିଶେଷ ଗରମ ବଢ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ୧୩ ତା‌ରିଖରୁ ଓଡ଼ିଶାର ଦିନ ତାପମାତ୍ରାରେ ବୃଦ୍ଧି ଦେଖାଯିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସିଇସି କହିଛି, ଆରବ ସାଗର ଆଡୁ ପୂର୍ବ ଭାରତ ଆଡ଼କୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ। କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରି ସେଲ୍‌ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ବର୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରି ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ରୁ ୩୭ ଡିଗ୍ରି ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ। ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା ବୃଦ୍ଧି ପାଇନାହିଁ ବୋଲି ବୁଲେଟିନ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର