ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ମାଳୀମୁଣ୍ଡାରେ ଥିବା କ୍ରିକେଟ୍‌ ଷ୍ଟାଡିୟମ୍‌କୁ ଆନ୍ତର୍ଜାତିକସ୍ତରର କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ୍‌ ପ୍ରସ୍ତୁତକାରୀ ଅଷ୍ଟ୍ରେଲିଆର ଏକ କମ୍ପାନିକୁ ଏହି ଷ୍ଟାଡିୟମ୍‌ର ଉନ୍ନତୀକରଣ ଲାଗି ଡିପିଆର୍‌ ପ୍ରସ୍ତୁତ କରିବାକୁ ଦିଆଯାଇଛି। ଡିପିଆର୍‌ ମଞ୍ଜୁର ହେଲେ କାମ ଆରମ୍ଭ ହେବ ବୋଲି ଜଣାଯାଇଛି। ଗତକାଲି ଏଚ୍‌.କଣ୍ଟାପାଲିଠାରେ ଆଷ୍ଟ୍ରୋଟର୍ଫ ହକି ପଡ଼ିଆର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାର ମିଶ୍ର ଷ୍ଟାଡିୟମ୍‌କୁ ନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଉଥିବା କହିଛନ୍ତି। ତେବେ ମଞ୍ଜୁର ହେବାକୁ ଥିବା ଏହି ପ୍ରକଳ୍ପରେ ଫୁଟ୍‌ବଲ୍‌, ଲନ୍‌ ଟେନିସ୍‌ ଓ ଆଥଲେଟିକ୍‌ ଗ୍ରାଉଣ୍ଡ ରହିଥିବା ସେ ସୂଚନା ଦେଇଛନ୍ତି।

Advertisment

ଝାରସୁଗୁଡ଼ାରେ ଏକ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ ପାଇଁ ୨୦୧୩-୧୪ ବର୍ଷରେ ଏମ୍‌ସିଏଲର ସିଏସ‌୍ଆର୍‌ ପାଣ୍ଠି ମଞ୍ଜୁର ହୋଇଥିଲା। ଏଥିପାଇଁ ମାଳୀମୁଣ୍ଡାରେ ୩୨ ଏକର ଜାଗା ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୧୯ ଏକର ଜମିରେ କ୍ରିକେଟ୍‌ ଷ୍ଟାଡିୟମ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏମ୍‌ସିଏଲ୍‌ ୮ କୋଟି ଟଙ୍କା ମଞ୍ଜୁର କରିଥିଲା। ପାଚେରି ଓ ସଂଯୋଗ କରୁଥିବା ରାସ୍ତା ନିର୍ମାଣରେ ଟଙ୍କା ‌ଶେଷ ହୋଇଯାଇଥିଲା।

୨୦୧୬-୧୭ରେ ପୁଣିଥରେ ଟଙ୍କାର ଆବଶ୍ୟକତା ପଡ଼ିଥିଲା। ପୁନଃ ଏହି ଷ୍ଟାଡିୟମ୍‌ କାମ ସମ୍ପୂର୍ଣ୍ଣ କରିବାକୁ ୧୭ କୋଟି ୪୨ ଲକ୍ଷ ୬୦ ହଜାର ୭୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ୨୦୨୩ରେ ପୁଣି ଷ୍ଟାଡିୟମ୍‌ ପରିସରରେ ଏକ ସୁଇମିଂପୁଲ୍‌ ନିର୍ମାଣ କରିବା ପାଇଁ ୧୦ କୋଟି ୩୫ ଲକ୍ଷ ୫ ହଜାର ୨୧୨ ଟଙ୍କା ଓ କ୍ରିକେଟ୍‌ ଷ୍ଟାଡିୟମ୍‌ ବାବଦକୁ ୫ କୋଟି ୩୪ଲକ୍ଷ ୨ ହଜାର ୮୮୫ ଟଙ୍କା ମଞ୍ଜୁର ହେବା ପରେ କାମ ଏବେ ଜାରି ରହିଛି। ଅଷ୍ଟ୍ରେଲୀୟ କମ୍ପାନି ଦ୍ବାରା ଷ୍ଟାଡିୟମ୍‌ର ବିକାଶ ପ୍ରକଳ୍ପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। କିନ୍ତୁ ଉକ୍ତ ପ୍ରକଳ୍ପ ପୁଣି ନୂଆ ଢଙ୍ଗରେ ହେଲେ ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇଥିବା ୫୦ କୋଟି ଟଙ୍କା କ’ଣ ପାଣିରେ ପଡ଼ିବ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି। ଷ୍ଟାଡିୟମ୍‌ରେ ପ୍ରଥମ ପର୍ଯ୍ୟାୟରେ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗ୍ୟାଲେରିରେ କେବଳ ବସିବା ସୁବିଧା ରହିଛି। ଜାତୀୟସ୍ତରର ମ୍ୟାଚ୍‌ ପାଇଁ ଏହି ଗ୍ୟାଲେରିରେ ଚଉକିଟିଏ ପଡ଼ିବାର ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ଷ୍ଟାଡିୟମ୍‌କୁ ଜାତୀୟସ୍ତରର କରାଯିବାକୁ ହେଲେ ଗ୍ୟାଲେରି ଭାଙ୍ଗି ପୁନଃ ନିର୍ମାଣ କରିବାକୁ ହେବ। ଅନ୍ୟପକ୍ଷରେ ଷ୍ଟାଡିୟମ୍‌ରେ ଫ୍ଲଡ୍‌ଲାଇଟ୍‌ ଲାଗିପାରିବ ନା ନାହିଁ, ସେ ନେଇ ବି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ନିକଟରେ ବିମାନବନ୍ଦର ରହିଥିବାରୁ ନିୟମାନୁସାରେ ଷ୍ଟାଡିୟମ୍‌ରେ ଫ୍ଲଡ୍‌ଲାଇଟ୍‌ ଲାଗିପାରିବ ନାହିଁ। ଏଭଳି ସ୍ଥିତିରେ ଯଦି ଷ୍ଟାଡିୟମ୍‌ରେ ଫ୍ଲଡ୍‌ଲାଇଟ୍‌ ନ ଲାଗିବ ତେବେ ଦିବାରାତ୍ର ମ୍ୟାଚ୍‌ କିଭଳି ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ‌ହୋଇଛି।