ଡି ବ୍ରଦର୍ସ କ୍ରାଇମ ସିଣ୍ଡିକେଟରେ କିଏ? ଭିଭିଆଇପି ଖେଳ ସରିଲା, କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ିଲା

ବଲାଙ୍ଗୀର: ସାରା ରାଜ୍ୟରେ ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସର ଚର୍ଚ୍ଚା। ଡି ବ୍ରଦର୍ସର ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜେଲରେ ଭିଭିଆଇପିଙ୍କ ଭଳି ରହୁଛି। ଫ୍ୟାନରୁ ନେଇ ରୋଷେଇବାସ ଯାଏ ତାହାର ସେଲରେ ବ୍ୟବସ୍ଥା ହେଉଛି। ଏସବୁର ପର୍ଦ୍ଦାଫାସ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ିଛି। ଜେଲକୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି ଜେଲ ଅଧୀକ୍ଷକ କହୁଥିଲେ ବି ପ୍ରକୃତ ତଥ୍ୟ ସବୁ ପଦାକୁ ଆସିବାରେ ଲାଗିଛି। ଏପଟେ ବଲାଙ୍ଗୀରରେ ଡି ବ୍ରଦର୍ସ କ୍ରାଇମ ସିଣ୍ଡିକେଟରେ କେଉଁମାନେ ସଂପୃକ୍ତ ତାହାକୁ ନେଇ ରାଜ୍ୟ ପୁଲିସ ଖୋଲତାଡ଼ ଚଳାଇଛି। ଜେଲ ଭିତରେ ଥାଇ ଏତେ ବଡ଼ଧରଣର କାରବାର ଡି ବ୍ରଦର୍ସ ଗ୍ୟାଙ୍ଗ କେମିତି କରୁଥିଲେ ତାହାର ତଦନ୍ତ ହେଲେ ବଲାଙ୍ଗୀରରେ କେଉଁମାନେ ଡି ବ୍ରଦର୍ସ ସହ ସଂପର୍କ ରଖିଛନ୍ତି ତାହା ବି ନିଶ୍ଚିତ ଭାବରେ ପଦାକୁ ଆସିବ ବୋଲି କୁହାଯାଉଛି।
ବଲାଙ୍ଗୀର ଜିଲ୍ଲା କାରାଗାରରେ ଡି ବ୍ରଦର୍ସ କେବଳ ନୁହଁ, ବିଗତ ଦିନରେ ଆହୁରି ଅନେକ ଗ୍ୟାଙ୍ଗଷ୍ଟର ସବୁ ରହିଥିଲେ। ରାଜା ଆଚାର୍ଯ୍ୟ, ହାଇଦର ଭଳି କୁଖ୍ୟାତ ଅପରାଧୀଙ୍କୁ ବଲାଙ୍ଗୀର ଜେଲରେ ରଖାଯାଇଥିଲା। ସେମାନେ ସବୁ ଏଠି ରହିବା ସମୟରେ ବି ଭିଭିଆଇପିଙ୍କ ଭଳି ସୁବିଧାସୁଯୋଗ ସବୁ ପାଉଥିଲେ। ଯାହାକି ସେହି ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଡି ବ୍ରଦର୍ସର ସୁଶାନ୍ତ ଧଳସାମନ୍ତଙ୍କ ସେଲର ଫଟୋ ଭାଇରାଲ ହୋଇଛି। ଯାହାକି କହୁଛି କେମିତି କୁଖ୍ୟାତ ଅପରାଧୀ ଜେଲ ଭିତରେ ସବୁ କିଛି ସୁବିଧାସୁଯୋଗ ହାତଉଛି। ଭାଇରାଲ ଫଟୋରୁ ଜଣାଯାଇଛି ଯେ, ସୁଶାନ୍ତ ଧଳସାମନ୍ତ ପାଇଁ ସ୍ୱତନ୍ତ୍ର ଫ୍ୟାନର ବ୍ୟବସ୍ଥା ହୋଇଛି। ସେହିପରି ଦୁଇଟି ସେଲକୁ ସେ ବ୍ୟବହାର କରୁଛି। ଏପରିକି ରୋଷେଇ କରିବାକୁ ସାମଗ୍ରୀ ରହିଛି। ଏହା ସବୁ ସାମ୍ନାକୁ ଆସିବା ପରେ ଜେଲ ଅଧୀକ୍ଷକ ତାଙ୍କ ସମୟର ଏହି ଭିଡିଓ ନୁହଁ ବୋଲି ଦାବି କରୁଛନ୍ତି। ଜେଲ ଅଧୀକ୍ଷକ ଉର୍ମିଳା ମିଞ୍ଜ କହିଛନ୍ତି, ଫଟୋ ପୁରୁଣା। ମଶାରି ଓ ଫ୍ୟାନ ସମସ୍ତଙ୍କୁ ଯୋଗାଇ ଦିଆଯାଇଥାଏ। ସବୁ କଏଦୀଙ୍କ ଭଳି ସୁଶାନ୍ତ ରହୁଥିବା ସେ କହିଛନ୍ତି। ହେଲେ ଅନ୍ୟପଟେ ଦେଖିବାକୁ ଗଲେ ସୁଶାନ୍ତ ଧଳସାମନ୍ତ ଜେଲ ଭିତରେ ଆଧିପତ୍ୟ ବିସ୍ତାର କରିଛି।

ଜେଲ କର୍ତ୍ତୃପକ୍ଷ ଏଯାଏ ସେ ଯାହା ମନମାନୀ କଲେ ବି କିଛି କହିନଥାନ୍ତି ବୋଲି ନାମ ଗୋପନ ରଖାଯିବା ସର୍ତ୍ତରେ କିଛି କର୍ମଚାରୀ ପ୍ରକାଶ କରିଛନ୍ତି। ଏପରିକି ବିଚାରଧୀନ କଏଦୀ ଯେଉଁମାନେ ବାହାରକୁ ବାହାରିଛନ୍ତି ସେମାନଙ୍କ କହିବାନୁସାରେ, ଜେଲ ଭିତରେ ଯାହା ପାଖରେ ଟଙ୍କା ରହିଛି ସେସବୁ ସାମଗ୍ରୀ ପାଇପାରିବ। ଏହା କେବଳ ଧଳସାମନ୍ତ ନୁହଁ। ଅନ୍ୟ କଏଦୀମାନେ ବି ଆରାମରେ ନିଶାଦ୍ରବ୍ୟରୁ ନେଇ ଖାଇବାପିଇବା ସବୁ କିଛି ପାଉଛନ୍ତି। ଜେଲ କର୍ମଚାରୀ ଓ କେତେ ଜଣ ପୁରୁଣା କଏଦୀ ଯେଉଁମାନେ ବାହାରକୁ ଆସିଥାନ୍ତି ସେମାନେ ସବୁ ସାମଗ୍ରୀ ଭିତରକୁ ନେଇଥାନ୍ତି। ଜେଲ ବାଡ଼ ପଟୁ ବି ଗଂଜେଇ, ବିଡି, ସିଗାରେଟ ଭିତରକୁ ଯାଇଥାଏ। ବିଗତ ଦିନରେ ସ୍ୱତନ୍ତ୍ର ଚଢ଼ଉ ସମୟରେ ବି ବହୁ ସାମଗ୍ରୀ ସବୁ ଜବତ ହେଉଥିଲା। ମୋବାଇଲ, ଗୁଠଖା, ଗଂଜେଇ ବି ବିଗତ ଦିନରେ ସେଲଗୁଡ଼ିକ ଭିତରୁ ବାହାରିଥିଲା। ଏବେ ଗଣମାଧ୍ୟମରେ ଡି ବ୍ରଦର୍ସ ସୁଶାନ୍ତ ରହିବା ଶୈଳୀ ଉପରେ ଖବର ପ୍ରକାଶନ ପରେ ସବୁ କିଛି ଲୁଚାଛପା ଚାଲିଛି।

କିଚେନରୁ ଯାଉଛି ସ୍ପେସିଆଲ!
ଜେଲ ଭିତରର କଥା ସାମ୍ନାକୁ ଆସିବା ପରେ ଏବେ ଜେଲ କର୍ତ୍ତୃପକ୍ଷ ସବୁ ଭିତିରି କାରବାରକୁ ଚପାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଧଳସାମନ୍ତ ସେଲ ଭିତରେ ଥିବା ସବୁ ସାମଗ୍ରୀ କାଢ଼ିନିଆଯାଇଥିବା ସୂଚନା ମିଳିଛି। ଏପରିକି ସ୍ୱତନ୍ତ୍ର ରୋଷେଇ ଆଉ ନାହିଁ। ଯେଉଁମାନେ ଖାଇବା ତିଆରି କରି ଦେଉଥିଲେ ସେମାନେ ବି ଆଉ ସେ କାମ କରୁ ନାହାନ୍ତି। ହେଲେ ଅପରପଟେ କିଚେନରୁ ସ୍ପେସାଲ ଖାଦ୍ୟ ଏବେ ବି ଧଳସାମନ୍ତ ପାଖକୁ ଯାଉଥିବା ଜଣାଯାଇଛି। ରୋଷେଇ ବନ୍ଦ ହୋଇଥିଲେ ବି ଖାଦ୍ୟ ସ୍ୱତନ୍ତ୍ର ଭାବରେ ଦିଆଯାଉଛି। ସବୁ ବିଷୟରେ ଜାଣିଥିଲେ ବି ଜେଲ କର୍ତ୍ତୃପକ୍ଷ ସବୁପ୍ରକାର ସହାୟତା ସୁଶାନ୍ତ ଧଳସାମନ୍ତକୁ କରୁଥିବା କୁହାଯାଉଛି। ହେଲେ ସବୁ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ଜେଲ ଅଧୀକ୍ଷକ। ତାଙ୍କ କହିବା ହେଲା, ଭାଇରାଲ ହେଉଥିବା ସବୁ ଭିଡିଓ ଓ ଫଟୋ ତାଙ୍କ ଅବଧି ସମୟର ନୁହଁ। କିନ୍ତୁ ପ୍ରକୃତରେ ଦେଖିଲେ ଜେଲ ଭିତରରେ ଏଭଳି କାରବାର ଖୁଲମଖୁଲ୍ଲା ହେଉଛି। ସିସିଟିଭି ଯାଞ୍ଚ କରିବା ସହ ଫୋନ କଲ ଡିଟେଲ୍ସ ଯାଞ୍ଚ କରାଗଲେ ଜେଲ ଭିତରର ଅନେକ ଗୁମର ପଦାରେ ପଡ଼ିବ।

ସମ୍ବନ୍ଧିତ ଖବର