କଟକ: ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ଅଣଦେଖା କରି ଡେପୁଟି କଂଜରଭେଟର ଅଫ୍ ଫରେଷ୍ଟ (ଡିସିଏଫ୍) ପଦକୁ ପଦୋନ୍ନତି ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏପରି ତାଲିକା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଡିସିଏଫ୍ ପଦକୁ ପଦୋନ୍ନତି ପ୍ରଦାନ ଜରୁରି ଥାଏ ତେବେ ସରକାର ୫ ବର୍ଷ କାର୍ଯ୍ୟକାଳ ଯୋଗ୍ୟତା ସଂପର୍କିତ ନିୟମାବଳୀ କୋହଳ କରି ପାରିବେ। ନଚେତ ପଦୋନ୍ନତି ପ୍ରକ୍ରିୟାକୁ ୨୦୨୪ ଜାନୁଆରି ୧ ତାରିଖ ପରବର୍ତ୍ତୀ ସମୟକୁ ଘୁଞ୍ଚାଇ ଦିଆଯିବ, ଯାହା ଦ୍ବାରା ୨୦୨୨ ସେପ୍ଟେମ୍ବର ୯ର ଗ୍ରେଡେସନ୍ ତାଲିକରେ ସ୍ଥାନ ପାଇଥିବା ସମସ୍ତ ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟ(ଏସିଏଫ) ଅଧିକାରୀଙ୍କ ନାଁ ବିଚାରକୁ ନିଆଯାଇ ପାରିବ। ପୂର୍ବରୁ ପଦୋନ୍ନତି ପ୍ରସଂଗରେ ବିଭିନ୍ନ ସମୟରେ ଏସସିଏଫ୍ ଭାବେ ୫ବର୍ଷର କାର୍ଯ୍ୟକାଳ ଯୋଗ୍ୟତା ନିୟମକୁ ଓଡ଼ିଶା ଲୋକସେବା ଆୟୋଗ ସମ୍ମତିରେ ସରକାରଙ୍କ ତରଫରୁ କୋହଳ କରାଯାଇଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।
ଏଭଳି ନିୟମ େକାହଳ ଏହି ମାମଲାରେ ମଧ୍ୟ କରାଯାଇ ପାରିବ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଡିସିଏଫ୍ ପଦୋନ୍ନତି ସଂପର୍କିତ ଏହି ତାଲିକା ପରୋକ୍ଷରେ ପଦୋନ୍ନତିଭିତ୍ତିକ ପଦରେ କନିଷ୍ଠ ଅଧିକାରୀଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ ହେବ। ଏହା ଗ୍ରେଡେସନ୍ ତାଲିକାରେ ଦର୍ଶାଯାଇଥିବା ଆବେଦନକାରୀଙ୍କ ବରିଷ୍ଠତାକୁ ଅଣଦେଖା କରିବା ଭଳି ହେବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଡିସିଏଫ୍ ପଦକୁ ପଦୋନ୍ନତି ନେଇ ପ୍ରସ୍ତୁତ ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟ (ଏଏସିଏଫ୍) ଅଧିକାରୀଙ୍କ ତାଲିକାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅନ୍ୟପକ୍ଷରେ ଯଦି ୨୦୨୩ ମେ ୧୨ ଓ ସେପ୍ଟେମ୍ବର ୪ର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥାଏ ତେବେ ତାହା ଏହି ରାୟ ଦ୍ବାରା ପ୍ରଭାବିତ ହେବନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ ଚନ୍ଦ୍ର ଦାସ ଓ ଅନ୍ୟ ୭ଜଣ ଏସିଏଫ ଅଧିକାରୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୩ ଓ ୧୯୯୪ ମସିହାରେ ସାଧାରଣବର୍ଗ ପ୍ରାର୍ଥୀ ଭାବେ ୮ଜଣ ଆବେଦନକାରୀ ଫରେଷ୍ଟ ରେଞ୍ଜର ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ର ବିଭିନ୍ନ ତାରିଖରେ ଆବେଦନକାରୀଙ୍କୁ ଏସିଏଫ୍ ଓଏଫଏସ ଗ୍ରୁପ-ଏ ପଦକୁ ପଦୋନ୍ନତି ମିଳିଥିଲା। ଅନ୍ୟପକ୍ଷରେ ଚାକିରିରେ ଯୋଗ ଦେବାର ମୂଳ ତାରିଖ ଆଧାରରେ କେତେକ କନିଷ୍ଠ ଅଧିକାରୀଙ୍କୁ ଆବେଦନକାରୀଙ୍କ ପୂର୍ବରୁ ଏସିଏଫ୍ ଭାବେ ପଦୋନ୍ନତି ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ଏସିଏଫ୍ ପଦକୁ ପଦୋନ୍ନତି ମିଳିବା ପରେ କ୍ୟାଚ୍-ଅପ୍ ନିୟମ ଆଧାରରେ ଆବେଦନକାରୀଙ୍କ ବରିଷ୍ଠତା ପୁନଃସ୍ଥାପିତ ହୋଇଥିଲା ଓ ଏହି ଅନୁସାରେ ୨୦୨୨, ସେପ୍ଟେମ୍ବର ୯ରେ ପ୍ରକାଶିତ ଏସିଏଫଙ୍କ ଗ୍ରେଡେସନ୍ ତାଲିକାରେ ଆବେଦନକାରୀଙ୍କୁ ସ୍ଥାନ ମିଳିଥିଲା। କିନ୍ତୁ ଡିସିଏଫ୍ ପଦକୁ ପଦୋନ୍ନତି ପାଇଁ ପିସିସିଏଫଙ୍କ ନିକଟକୁ ୨୦୨୩, ମାର୍ଚ୍ଚ ୩ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଠାଯାଇଥିବା ଏସିଏଫଙ୍କ ତାଲିକାରେ ଆବେଦନକାରୀଙ୍କ ନାଁ ସ୍ଥାନ ପାଇ ନଥିଲା। ଏଭଳି ତାଲିକାକୁ ଚାଲେଞ୍ଜ କରି ତଥା ଏଥିରେ ସ୍ଥାନ ପାଇଥିବା ୩୧ଜଣ ଏସିଏଫଙ୍କୁ ପକ୍ଷଭୁକ୍ତ କରି ୮ଜଣ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଥିଲେ।