ଦୁର୍ଗା, ମହିଷାସୁରଙ୍କୁ ନେଇ ଅଶାଳୀନ ମନ୍ତବ୍ୟ : ଏତଲା ରୁଜୁ କଲା ପୁଲିସ; ଡିସିପିଙ୍କ ତଦନ୍ତ ନିର୍ଦେଶ

କଟକ : ମା’ ଦୁର୍ଗାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ଅଡ଼ୁଆରେ ପଡ଼ିଛନ୍ତି ଜଣେ ଯୁବ ଫେସବୁକ ବ୍ୟବହାରକାରୀ। ଲଗାତର ହିନ୍ଦୁଙ୍କ ଧାର୍ମିକ ଭାବନାକୁ କ୍ଷୁଣ୍ଣ କଲା ଭଳି ପୋଷ୍ଟ ଫେସବୁକରେ ସେୟାର କରିବାରୁ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକ ରାଜ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭଦ୍ରକର ରାଜ ମଲିକ ନାମକ ଜଣେ ଯୁବକ ଓମାନରେ ରହୁଥିବା ନିଜ ଫେସବୁକ ପ୍ରୋଫାଇଲରେ ଉଲ୍ଲେଖ କରିଛନ୍ତି। ଗଲା ୬ ମାସ ତଳେ ଏହି ନାମରେ ଖୋଲାଯାଇଥିବା ଆକାଉଣ୍ଟରେ ଲକ୍ଷ୍ମୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଲେଖା ଯାଇଥିଲା। ଏହାକୁ ସେହି ସମୟରେ ବିରୋଧ କରାଯାଇଥିଲା। ପୁଣି ଗଲା ୧୮ ତାରିଖରେ ମା’ ଦୁର୍ଗା ଏବଂ ମହିଷାଶୁର ବିରୋଧରେ ଅଶାଳନୀ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କଟକ ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦୀୟ ପରିସ୍ଥିତି ଗଲା ଦୁଇ ସପ୍ତାହ ହେବ ଲାଗି ରହିଥିବାବେଳେ ଏବେ ଏଭଳି ମନ୍ତବ୍ୟ ସାଂପ୍ରଦାୟିକ ହିଂସା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଅମ୍ବିକା ସାମଲ ଡିସିପି ପ୍ରତୀକ ସିଂହଙ୍କ ନିକଟରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ସୋସାଇଟି ଚେଞ୍ଜରର ସଭାପତି ସାରଦା ପ୍ରସାଦ ଦାସ ମଧ୍ୟ ପୃଥକ ଏତଲା ଦେଇଥିଲେ। ଏହି ଘଟଣାକୁ କମିସନରେଟ ପୁଲିସ ଗୁରୁତ୍ୱର ସହିତ ନେଇଛି। ଡିସିପି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ପୁଲିସ ଏକ ମାମଲା(କେସ ନମ୍ବର-୧୧୦)ରେ ଦଫା ୧୫୩(ଏ)/୨୯୨(ଏ)/୨୯୫(ଏ)/୫୦୫/୧୨୦(ବି) ଆଇ.ପି.ସି/୬୭ ଆଇ.ଟି.ଆକ୍ଟ ରୁଜୁ କରିଥିବା ସୂଚନା ମିଳିଛି। ତେବେ ରାଜ ମଲ୍ଲିକ ନାମଧାରୀ ବ୍ୟକ୍ତି ପ୍ରକୃତରେ କେହି ଅଛନ୍ତି ନା ଫେକ ଆକାଉଣ୍ଟ ଖୋଲି କେହି ଦୁର୍ବୃତ୍ତ ଏଭଳି ବାରମ୍ବାର ଧାର୍ମିକ ଭାବନାକୁ ଆଘାତ କରୁଛି, ପୁଲିସ ସେ ଦିଗଟିକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ଅନ୍ୟପଟେ ଯେଉଁ ଆଇପି ଆଡ୍ରେସରୁ ଏହି ଆକାଉଣ୍ଟ ଚଳା ଯାଉଛି, ପୁଲିସ ଏବେ ତାହାରି ମାଧ୍ୟମରେ ଦୁର୍ବୃତ୍ତର ଠିକଣା ଠାବ କରିବାକୁ ସାଇବର ବିଶାରଦଙ୍କ ସହାୟତା ନେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର