ଡିଡି କଲେଜ ନିଖୋଜ ଛାତ୍ର; କୋଲକାତାରୁ ମିଳିଲା ବ୍ୟାଗ୍‌

ତେଲକୋଇ: କେନ୍ଦୁଝର ଡିଡି କଲେଜର ଜଣେ ଛାତ୍ର ୫ଦିନ ହେଲା ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ଜଣଙ୍କ ହେଲେ ଯୁକ୍ତ ୩ ଦ୍ବିତୀୟ ବର୍ଷ କଳା ଛାତ୍ର ହେମନ୍ତ କୁମାର ପାତ୍ର (୨୧)। ତାଙ୍କ ଘର ତେଲକୋଇ ବ୍ଲକ୍‌ ଦେଉଳଡିହା ଗ୍ରା‌ମରେ। ଏନେଇ ନିଖୋଜ ହେମନ୍ତଙ୍କ ବାପା ଲଛମନ ପାତ୍ର ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହେମନ୍ତ ବ୍ୟାଗ ସୁଦୂର କୋଲକାତାରୁ ମିଳିଥିବା ହାୱଡା ପୁଲିସ ତେଲକୋଇ ପୁଲିସକୁ ଜଣାଇବା ପରେ ପରିବାରରେ ଭାଳେଣି ପଡ଼ିଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ହେମନ୍ତ ଡିଡି କଲେଜରେ ଯୁକ୍ତ ୩ ପଢ଼ିବା ସହ ଗୋପବନ୍ଧୁ ଛାତ୍ରାବାସ ୨୨ ନମ୍ବର ରୁମ୍‌ରେ ରହୁଥିଲେ। ଗତ ୧୫ଦିନ ହେଲା ତାଙ୍କୁ ଆଉ ଛାତ୍ରାବାସରେ ଦେଖିବାକୁ ମିଳିନଥିଲା। ସେ ସାଙ୍ଗ ହମିତ ପାତ୍ରଙ୍କ ସହ ଅନ୍ୟତ୍ର ଏକ ଘରେ ରହୁଥିଲେ। ଗତ ୨୧ ତାରିଖ ସକାଳେ ହେମନ୍ତ ଜିନ୍ସପ୍ୟାଣ୍ଟ, ନାଲି ଜ୍ୟାକେଟ ପିନ୍ଧି ଏକ ବ୍ୟାଗ୍ ନେଇ ତେଲକୋଇରୁ ବିଜୁ ଗାଁ ଗାଡ଼ିରେ କେନ୍ଦୁଝରସ୍ଥିତ କଲେଜକୁ ଆସିଥିଲେ। ଏହାପରଠାରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍ ରହିଛି। ଅନ୍ୟପକ୍ଷରେ ୨୪ ତାରିଖରେ ହାୱଡା ପୁଲିସ କୋଲକାତା ସହରର ରାସ୍ତାରୁ ହେମନ୍ତଙ୍କ କାଗଜପତ୍ର ଭର୍ତ୍ତି ଏକ ବ୍ୟାଗ୍‌ ପାଇଥିବା ତେଲକୋଇ ପୁଲିସକୁ ସୂଚନା ଦେଇଥିଲା।

ତେଲକୋଇ ପୁଲିସ ଏନେଇ ହେମନ୍ତଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ପରେ ପରିବାର ଓ ଗାଁରେ ଆଲୋଡ଼ନ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ହେମନ୍ତଙ୍କ ବ୍ୟାଗ୍‌ କୋଲାକାତାରୁ ମିଳିଲା, ସେ ଏବେ କେଉଁଠି ଓ କିପରି ଅଛନ୍ତି ତାକୁ ନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ନିଖୋଜ ହେମନ୍ତଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ପରିବାର ଲୋକେ ପୁଲିସ ନିକଟରେ ଦାବି କରିଛନ୍ତି। ଏନେଇ ତେଲକୋଇ ପୁଲିସ ହାୱଡା ପୁଲିସ ସହ ଯୋଗାଯୋଗ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର