କଟକ: ଷ୍ଟାଫ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ହଟାଇଛନ୍ତି ହୋଇକୋର୍ଟ। ନିଯୁକ୍ତି ପ୍ରକ୍ରିୟା ଜାରି ରହିବ, କିନ୍ତୁ କୋର୍ଟଙ୍କ ବିନା ଅନୁମତିରେ ଏହି ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ନାହିଁ ବୋଲି ୨୦୨୩, ମେ ୧ରେ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। ସରକାର ନିଯୁକ୍ତି ପ୍ରକ୍ରିୟା କ୍ଷେତ୍ରରେ ଆଗେଇ ପାରିବେ ବୋଲି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ତିନି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ୧୬ଜଣ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସେମାନଙ୍କ ପାଇଁ ମୋଟ ୧୬ଟି ପଦବି ସଂରକ୍ଷିତ ରଖାଯିବ। ଏଥି ସହିତ ଇତିମଧ୍ୟରେ ଯଦି କୌଣସି ପଦବିରେ ନିଯୁକ୍ତି ପ୍ରଦାନ କରାଯାଏ ତେବେ ତେବେ ତାହା ମାମଲାର ଚୂଡାନ୍ତ ଫଳାଫଳ ଉପରେ ନିର୍ଭର କରିବ। ଯଦି ଚୟନ କରାଯିବାକୁ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଏ ତେବେ ଏଥିରେ ଏପରି ନିର୍ଦ୍ଦେଶ ସଂକ୍ରାନ୍ତରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମେ ୧ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଂଗକୁ ନେଇ ରାଜ୍ୟ ସରକାର ଦାୟର କରିଥିବା ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରୋନା ସଂକ୍ରମଣ ଗୁରୁତର ସ୍ଥିତିରେ ଥିବା ବେଳେ ଆବେଦନକାରୀଙ୍କୁ ବିଭିନ୍ନ ପଦରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ଆବେଦନକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ୨୦୨୧, ମେ ୩ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କରୋନା ସଂକ୍ରମଣ ବେଳେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଆଧାରରେ ନିୟମିତ ନିଯୁକ୍ତି ଦିଆଯିବା କଥା। କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତି ଆଧାରରେ ନିୟମିତ ନିଯୁକ୍ତି ପାଇଁ ଆବେଦନକାରୀ କରିଥିବା ଦରଖାସ୍ତକୁ ମୁଖ୍ୟ ସଚିବ ଖାରଜ କରିଥିଲେ। ଅନ୍ୟପକ୍ଷରେ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟା ପରାମେଡିକାଲ କର୍ମଚାରୀ ପଦବିରେ ସିଧାସଳଖ ନିଯୁକ୍ତି ପାଇଁ ୨୦୨୨ ଓ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୭୪୮୩ ନର୍ସ ଓ ୧୮୯ ଅନ୍ୟ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ନିୟମିତ ନିଯୁକ୍ତି ପ୍ରସଂଗ ନେଇ କରୋନା ସମୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରିଥିବା ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ କରାଯିବ ନାହିଁ ବୋଲି ହାଇକୋର୍ଟ ମେ ୧ରେ ଅନ୍ତରୀଣ ନିର୍ଦ୍ଦେଶ ଦେବା ସହିତ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏଏସସି ତରୁଣ ପଟ୍ଟନାୟକ ଓ ଇଣ୍ଟରଭେନରଙ୍କ ତରଫରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/high-court-new-india-express.jpg)