ନିର୍ମାଣାଧୀନ କୋଠାରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଧଉଳି:କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୁଡ଼ିଆପୋଖରୀସ୍ଥିତ ସାଇମନ୍ଦିର ନିକଟରୁ ଏକ ନିର୍ମାଣାଧୀନ ୪ ମହଲା ବିଲ୍ଡିଂର ତଳ ମହଲା ଲିପ୍ଟ ଘର ଭିତରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି। ହେଲେ ମୃତ ଯୁବକଙ୍କ ପରିଚୟ ଏବଂ ଠିକଣା ଏଯାଏ ମିଳିପାରି ନାହିଁ। ଶବ ପଚି ଦୁର୍ଗନ୍ଧ ହେବାରୁ ଅନ୍ୟ ପାଖ ବିଲ୍ଡିଂ ନିକଟରେ କାମ କରୁଥିବା ଶ୍ରମିକମାନଙ୍କର ସନ୍ଦେହ ହୋଇଥିଲା। ଏସଂପର୍କରେ ସେମାନେ ପିପିଲି ଥାନାକୁ ଫୋନକରି ଜଣାଇଥିଲେ। ଖବର ପାଇଁ ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ ଓ ଉତ୍ତରା ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନେଇ କଟକ ଫରେନସିକ ଲାବରେଟୋରିକୁ ପଠାଯାଇଥିବା ଫାଣ୍ଡି ଅଧିକାରୀ କହିଛନ୍ତି।

ଏନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ଉକ୍ତ ବିଲ୍ଠିଂରେ କିଛିଦିନ ହେଲା କାମ ବନ୍ଦ ଥିବା ବେଳେ ମୁଖ୍ୟ ଗେଟରେ ତାଲାପଡ଼ିଥିଲା। ତେଣୁ ଯୁବକଙ୍କର ମୃତ୍ୟୁ କେଉଁ ଭଳି ପରିସ୍ଥିତିରେ ଘଟିଲା ସେନେଇ ସନ୍ଦେହ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଉକ୍ତ ବିଲ୍ଠିଂର  ପଲସ୍ତରା କାମ ଚାଲିଥିଲା। ହେଲେ ଡଠାତ କାମ ବନ୍ଦ ରହିବ‌ବା ସହ ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଦେଖାଯାଇଥିଲା।

ଅନ୍ୟପକ୍ଷରେ ଚୋରି କରିବାକୁ ଆସି ୪ ମହଲା ଲିପ୍ଯ ମୁକୁଳା ଗର୍ତ୍ତ ତଳକୁ ଖସିପଡ଼ି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସେହିପରି ଘର ନିର୍ମାଣା କାର୍ଯ୍ୟ ଚାଲିଥିବାରୁ ମୃତ ଯୁବକ ଜଣେ ରାଜମିସ୍ତ୍ରୀ ସନ୍ଦେହ କରି ପରିଚୟ ଜାଣିବା ପାଇଁ  ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲା। ଭାରାରୁ ଖସିପଡ଼ି କିମ୍ବା ଲିପ୍ଟରୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଥିଲା।  ପୁଲିସ ମାମଲା ଭୟରେ ଅନ୍ୟ ମିସ୍ତ୍ରୀ ଓ ଶ୍ରମିକମାନେ ଫେରାର ହୋଇଯାଇଥିବା ବେଳେ ଗେଟ ବନ୍ଦ କରି ଦିଆଯାଇଥିବା ଚର୍ଚ୍ଚା ହେଉଛି। ପୁଲିସ ସନ୍ଦିଗ୍ଧ ଘର ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଘର ମାଲିକ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବାରୁ ଏସଂପର୍କରେ ସେ  କିଛି ଜାଣିନଥିବା ପୁଲିସ ଆଗରେ ବୟାନ ଦେଇଥିଲେ। ଏହାର ସତ୍ୟତା ଜାଣିବା ପାଇଁ ପୁଲିସ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବ ବୋଲି କହିଛି। ସିସି କ୍ୟାମେରା ଫୁଟେଜରୁ ଯୁବକ ଚିହ୍ନା ପରିଚୟ ହୁଏତ ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି। ସୂଚନା ଅନୁସାରେ ଆଜି ସକାଳେ ସ୍ଥାନୀୟ ଲୋକ ଦୁର୍ଗନ୍ଧ ହେବାରୁ ପୁଲିସକୁ ଫୋନ କରି ଜଣାଇଥିଲେ। ପୁଲିସ ପହଞ୍ଚିବା ପରେ ଘର ମାଲିକଙ୍କୁ ଫୋନ କରି ଜଣାଇଥିଲା। ପୁରୁଣା ଭୁବନେଶ୍ବର ଅଞ୍ଚଳର ଘର ମାଲିକ ପହଞ୍ଚି ଗେଟ ଖୋଲିବା ପରେ ପୁଲିସ ତଦନ୍ତ କରିଥିଳା। ମୃତ ଯୁବକଙ୍କର ବୟସ ୨୫ରୁ ୩୦ ବର୍ଷ ହେବ ଏବଂ ସେ କଳା ରଙ୍ଗର ଜିନ୍ସ ପ୍ୟାଣ୍ଟ ଓ ନୀଳ ରଙ୍ଗର ଗଞ୍ଜି ପିନ୍ଧିଥିଲେ। ପୁଲସ ଶବ ଜବତ ବେଳେ ତାଙ୍କ ପ୍ୟାଣ୍ଟ ପକେଟରୁ ଦେଢ଼ଫୁଟ ଲମ୍ବର ଏକ ଷ୍ଟିଲ ପାଇପ ଜବତ କରିଥିଲା। ଯୁକକଙ୍କର ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର