ମୃତ ଘୋଷିତ ଶିଶୁ ବଞ୍ଚିଲା!

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୃତ ଘୋଷିତ ଶିଶୁ ବଞ୍ଚଯିବା ଘଟଣା ଦିନତମାମ ଚର୍ଚ୍ଚାର ବିଷୟ ପାଲଟିଥିଲା। ମିଳିଥିବା ସୂଚନା ଅନୁସାରେ, ରାଜନଗର ତାଳଚୂଆଁ ଶୈଳେନ୍ଦ୍ରୀସରାଇ ଗାଁର ଶୁଭଙ୍କରୀ ଗିରିଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅପରାହ୍ନ ୪ଟାରେ ମହିଳା ଜଣଙ୍କ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ମାତ୍ର, ଜଣେ ନର୍ସ ଶିଶୁଟିର ମୃତ୍ୟୁ ହୋଇଥିବା କହିବା ସହିତ ଏକ ତଉଲିଆରେ ଗୁଡ଼ାଇ ବେଡ଼୍‍ ପାଖରେ ରଖି ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଶିଶୁଟିର ହିକା ହେଉଥିବା ପରିବାର ଲୋକ ଦେଖିବାକୁ ପାଇଲେ। ତାକୁ ଏପାଖ ସେପାଖ କରିବା ପରେ ସେ କାନ୍ଦି ଉଠିଲା। ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାବି ହଠାତ୍‌ ସେହି ଓ୍ଵାର୍ଡରେ ହଟଚମଟ ସୃଷ୍ଟି ହେଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବୈଷ୍ଣବ ଚରଣ ସାହୁ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକ ଚିକିତ୍ସା କରାଇଲେ। ଏବେ ଶିଶୁଟି ଚିକିତ୍ସିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର