ମେଡିକାଲ ପାଇଖାନା ପ୍ୟାନ୍‌ରେ ମୃତ ଶିଶୁ : ସିସିଟିଭି ରେକର୍ଡିଂକୁ ନେଇ ତନାଘନା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ଆଜି ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଚିକିତ୍ସାଳୟର ପ୍ରଥମ ମହଲାରେ ଥିବା ପ୍ରସୂତି ବିଭାଗ ପାଇଖାନା ପ୍ୟାନ୍ ଭିତରେ ଶିଶୁପୁତ୍ରର ମୃତଦେହ ପଡ଼ିଥିବା ପ୍ରଥମେ କିଛି ରୋଗୀ ଦେଖିଥିଲେ। ସେମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଘଟଣା ସଂପର୍କରେ ଖବର ଦେବା ପରେ ମୃତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ଏନେଇ ଜଗତସିଂହପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସିଡ଼ିଏମ୍ଓ କହିଛନ୍ତି। ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସିସିଟିଭି କ୍ୟାମେରା ରେକର୍ଡିଂରୁ ସତ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।

କିନ୍ତୁ କେଉଁ ପରିସ୍ଥିତିରେ ଶିଶୁପୁତ୍ରକୁ ପାଇଖାନା ଭିତରେ ଫିଙ୍ଗା ଗଲା, ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି ସକାଳ ପାଖାପାଖି ୭ଟା ବେଳେ ପାଇଖାନା ପ୍ୟାନ୍ ଭିତରେ ମୃତ ଶିଶୁପୁତ୍ର ପଡ଼ିଥିବା ନେଇ ଜଣେ ରୋଗୀ ପ୍ରଥମେ ଦେଖିଥିଲେ। ପିଲାଟିର ମୁଣ୍ତ ପାଇଖାନା ପ୍ୟାନ ଭିତରକୁ ପଶି ରହିଥିଲା। ଉପରକୁ କେବଳ ଦୁଇଟି ଗୋଡ଼ ଦେଖା ଯାଉଥିଲା। ପିଲାଟି ସତେଜ ଥିବା ସହ ନାହି ଓ ଦେହରେ ରକ୍ତ ଲାଗିଥିଲା। ୨ରୁ ୩ ଘଣ୍ଟା ଭିତରେ ପିଲାଟି ଜନ୍ମ ହୋଇଥିବା ଡାକ୍ତର ମାନେ କହିଥିଲେ। ଶିଶୁ ପୁତ୍ରଟି ମରିବା ପରେ ସେଠାରେ ଫିଙ୍ଗା ଯାଇଛି ନା ଡେଲିଭରି ବେଳେ ମରିଯିବା ପରେ ଆଣି ଫିଙ୍ଗା ଯାଇଛି ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପିଲାଟି କିନ୍ତୁ ଡାକ୍ତରଖାନାରେ ଜନ୍ମ ହୋଇ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଉଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର ବୈଠାରୁ କହିଛନ୍ତି ଯେ ଶିଶୁ ପୁତ୍ରଟିକୁ କେହି ବାହାରୁ ଧରି ଆସି ଏଠାରେ ଫିଙ୍ଗିଛି। ମେଡିକାଲରେ ଗତକାଲି ଯେଉଁ ପ୍ରସୂତି ଆଡମିସନ ନେଇଛନ୍ତି, ସେମାନଙ୍କ ହିସାବ ଠିକ୍ ରହିଛି। ଗତକାଲି ପ୍ରସୂତି ବେଳେ ଗୋଟିଏ ମୃତ ଶିଶୁ କନ୍ୟା ଜନ୍ମ ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ସେ କହିଛନ୍ତି।

କିନ୍ତୁ ଏହି ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରସୂତି ବିଭାଗ ପ୍ରଥମ ମହଲା ପାଇଖାନା ପ୍ୟାନରେ ମୃତଦେହ ପଡ଼ିଥିଲା। ଯଦି ଜଣେ ବାହାରୁ ପିଲାକୁ ଆଣି ଫିଙ୍ଗିଥାଏ ତେବେ ପିଲାଟିକୁ ନେଇ ଯିବା ବେଳେ ତାହା ସୁରକ୍ଷା କର୍ମୀଙ୍କ ଦୃଷ୍ଟି ଏଡାଇ ଗଲା କିଭଳି? ମେଡିକାଲର ତଳ ମହଲା ଏବଂ ବାହାରେ ଏତେ ସ୍ଥାନ ଥିବା ବେଳେ ସଂପୃକ୍ତ ବ୍ୟକ୍ତି ଉପର ମହଲାକୁ ଯାଇ ପାଇଖାନାରେ ଶିଶୁ ପୁତ୍ରକୁ ଫିଙ୍ଗିଲା କାହିଁକି? ଡାକ୍ତରଖାନାରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଏ ସଂପର୍କରେ କେହି କିଛି ଜାଣି ପାରିଲେ ନାହିଁ କେମିତି? ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରିଛି ବୋଲି ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି। ଆବଶ୍ୟକ ହେଲେ ଡିଏନ୍ଏ ଟେଷ୍ଟ ବି କରାଯିବ। ସିସିଟିଭି ରେକର୍ଡିଂ ଯାଞ୍ଚ କରାଯାଉଛି। ଖୁବ ଶୀଘ୍ର ଘଟଣା ସଂପର୍କରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର