ଗୁମ୍ଫାରୁ ମୃତ ଭାଲୁ ଠାବ

ଠାକୁରମୁଣ୍ଡା: ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖଣ୍ଡବନ୍ଧ ପଞ୍ଚାୟତ ପୁରୁଣାପାଣି ଗାଁ ଭିତରକୁ ଗୁରୁବାର ମଧ୍ୟାହ୍ନରେ ଏକ ଭାଲୁ ପଶି ଆସିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଭାଲୁଟି କାହାର କିଛି କ୍ଷତି କରି ନଥିବାବେଳେ ଗ୍ରାମବାସୀ ତାକୁ ଜଙ୍ଗଲ ଭିତରକୁ ଘଉଡ଼ାଇ ବନ ବିଭାଗକୁ ଖବର ଦେଇଥିଲେ।

ଭାଲୁଟି ଜଙ୍ଗଲ ହୁଡ଼ିରେ ଏକ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ବନ ବିଭାଗ କର୍ମଚାରୀ ତା’ ଉପରେ ନଜର ମଧ୍ୟ ରଖିଥିଲେ। ତେବେ ଶୁକ୍ରବାର ଭାଲୁଟି ଗୁମ୍ଫାରୁ ନ ବାହାରିବାରୁ ବନ ବିଭାଗ କର୍ମଚାରୀ ସେଠି ପହଞ୍ଚି ଦେଖିଲା ବେଳକୁ ଭାଲୁର ମୃତ୍ୟୁ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବୟସାଧିକ କାରଣରୁ ଭାଲୁର ମୃତ୍ୟୁ ହୋଇଥାଇପାରେ। ଏହାଛଡ଼ା ତାର ଦୁଇଟି ଯାକ ଗୋଡ଼ ଆଘାତପ୍ରାପ୍ତ ହୋଇଥିବାରୁ ସେ ଧିମେଇ ଚାଲୁଥିଲା। ବ୍ୟବଚ୍ଛେଦ ପରେ ଭାଲୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଠାକୁରମୁଣ୍ଡା ଏସିଏଫ୍‌ କହିଛନ୍ତି।

ସମ୍ବନ୍ଧିତ ଖବର