ବାରହା ମାଂସ ସହ ମଲା ଭାଲୁ ଜବତ: ୮ ଶିକାରୀ ଗିରଫ

ଅଧୁରା ରହିଲା ଛାଡ଼ଖାଇ ଭୋଜି

ତେଲକୋଇ: ଶନିବାର ଥିଲା ଛାଡ଼ଖାଇ। ଛାଡ଼ଖାଇରେ ଆମିଷର ଚାହିଦା ରହିଥିବାରୁ ମାଂସ ବିକ୍ରି ଉଦ୍ଦେଶ୍ୟରେ ଶିକାରୀମାନେ ଶିକାର ପାଇଁ ଜଙ୍ଗଲରେ ବୁଲୁଥିବା ସନ୍ଦେହରେ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବାରହା ମାଂସ ସହ ମଲା ଭାଲୁ ଜବତ କରାଯାଇଛି। ଏଥି ସହ ୮ ଶିକାରୀଙ୍କୁ ଗିରଫ କରାଯାଇଛି। ତେବେ ଛାଡ଼ଖାଇ ଭୋଜି ଉଦ୍ଦେଶ୍ୟରେ ସେମାନେ ଏଭଳି ଶିକାର କରୁଥିବାବେଳେ ଏହା ଅଧୁରା ରହିଯାଇଛି।

କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ପକ୍ଷରୁ ଶୁକ୍ରବାର ବିଭିନ୍ନ ଜଙ୍ଗଲରେ ଚଢଉ କରାଯାଇଥିଲା। ସାମନାଳୀ-କୋଇଲିସୁତା ପିଆରଏଫ ଜଙ୍ଗଲରେ ହାତ ବୋମା ଖଞ୍ଜି ବାରହା ଶିକାର ଅଭିଯୋଗରେ ୪ ଜଣ ଓ ବିଞ୍ଝବାହାଳ ଡିପିଏଫ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଭାଲୁ ଶିକାର ଅଭିଯୋଗରେ ୪ ଶିକାରୀଙ୍କୁ ବନ ବିଭାଗ ଧରିଥିଲା। ଗିରଫ ଶିକାରୀମାନେ ହେଲେ ତେଲକୋଇ ଥାନା ଗୋଳାଗାଡିଆ ଗ୍ରାମର ଲୁଲୁ ମୁଣ୍ଡା, ଗୁରୁଚରଣ ନାୟକ, ଦେଉଳଡିହା ଗ୍ରାମର ସୁରେଶ ମୁଣ୍ଡା, ବାଲେଶ୍ଵର ଗ୍ରାମର କ୍ଷୀରୋଦ ନାୟକ, ବିଞ୍ଝବାହାଳ ଗ୍ରାମର କାର୍ତ୍ତିକ ସାହୁ, ବୀରକିଶୋର ସାହୁ, କଣ୍ଟାବାହାଳ ଗ୍ରାମର କାହ୍ନୁ ଜୁଆଙ୍ଗ ଓ ଜଗମୋହନପୁର ଗ୍ରାମର ହବିଲ ମୁଣ୍ଡା। ସେମାନଙ୍କ ନିକଟରୁ ବାରହା ମାଂସ, ହାତ ବୋମା, ମୃତ ଭାଲୁ,ବିଦ୍ୟୁତ ତାର, ଲାଠି ଓ ଏକ ଟ୍ରାକ୍ଟର ଜବତ କରାଯାଇଛି। ଛାଡ଼ଖାଇ ଉଦ୍ଦେଶ୍ୟରେ ସେମାନେ ଶିକାର କରିବାକୁ ଜଙ୍ଗଲକୁ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେଲକୋଇ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦୀପ୍ତିମୟୀ ବଢେଇ ମୃତଭାଲୁକୁ ବ୍ୟବଚ୍ଛେଦ କରିଛନ୍ତି। ଶୁକ୍ରବାର ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ବରେ ରେଞ୍ଜର ରଞ୍ଜନ କୁମାର ପାଣି, ଫରେଷ୍ଟର ଭୂପତି ସେଠୀ, ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଜରିଆରେ ବନ ବିଭାଗର ସ୍ବତନ୍ତ୍ର ସ୍କ୍ୱାଡ଼୍ ଗଠନ କରାଯାଇ ଏହି ଚଢ଼ଉ କରାଯାଇଥିଲା। ଗିରଫ ଶିକାରୀଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

କିଛିଦିନ ପୂର୍ବେ ହଦଗଡ଼ ଅଭୟାରଣ୍ୟରେ ଶିକାର କରିବାକୁ ଯାଇଥିବା ବେଳେ ବନ ବିଭାଗ ଚଢ଼ଉ କରି ୧୪ ବୋମା ଜବତ କରିଥିବା ବେଳେ ୩ ଶିକାରୀଙ୍କୁ ଗିରଫ କରିଥିଲା। ସେହିପରି ତେଲକୋଇ‌ ରେଞ୍ଜ ଅଞ୍ଚଳରେ ଗତ ୬ ତାରିଖରେ କରଦାଙ୍ଗିର ଚେମୁଟଖୋଳ ଜଙ୍ଗଲରେ ବୋମା ଖଞ୍ଜି ୩ଟି ବାରହା ଶିକାର କରିଥିବା ବେଳେ ୨ଟି ବାରହାକୁ ଶିକାରୀ ନେଇଯାଇଥିବା ବେଳେ ଗୋଟିଏ ବାରହା ନେଇପାରି ନଥିଲେ। ବନ ବିଭାଗ ସେଠାର ପହଞ୍ଚି ମୃତ ବାରହାକୁ ଜବତ କରି ଚଷାତଇଳା ନିକଟରେ ପୋତି ଦେଇଥିଲା। ଅକ୍ଟୋବର ୩୦ ତାରିଖରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରୁଥିବା ଅଭିଯୋଗରେ ଜେନାଦର ଗାଁର ଯଦୁମଣି କିଷାନ ଓ ଲିଙ୍ଗରାଜ କିଷାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ମାତିଛନ୍ତି। କୋଉଠି ବୋମା ଖଞ୍ଜି ତ କୋଉଠି ଫାଶ ବସାଇ ଶିକାର କରୁଥିବା ବେଳେ ଆଉ କେଉଁଠି ତାର ବିଛାଇ ଶିକାର କରାଯାଉଛି। ଏହାକୁ ବନ ବିଭାଗ ରୋକି ପାରୁନଥିବାବେଳେ ଏମିତି ଧାରା ଜାରି ରହିଲେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିବା ସମ୍ଭାବନା ରହିଛି ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ତେଣୁ ଆଗାମୀ ଦିନରେ ବନବିଭାଗ ଏଥିପ୍ରତି ସଜାଗ ରହିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର