ନିମାପଡ଼ା : ନିମାପଡ଼ା ଥାନା ରେଞ୍ଚ ଗ୍ରାମରେ ଆଜି ଜଣେ ବ୍ୟକ୍ତିଙ୍କ ଘରୁ ତାଙ୍କ ପୁଅ-ବୋହୂଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ସିଲିଂ ଫ୍ୟାନ୍ରେ ବେକରେ ଦଉଡ଼ି ଦେଇ ଉଭୟ ସ୍ବାମୀ-ସ୍ତ୍ରୀ ହାତ ଧରାଧରି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଶବ ଦୁଇଟି ଝୁଲନ୍ତା ଅବସ୍ଥାରେ ଥିବାବେଳେ ସଂପୂର୍ଣ୍ଣ ପଚି ଯାଇଛି।
ରେଞ୍ଚ ଗାଁ ମହାନ୍ତି ସାହିରେ ପ୍ରମୋଦ ମହାନ୍ତି ତାଙ୍କ ପରିବାର ସହ ବାସ କରନ୍ତି। ପ୍ରମୋଦଙ୍କ ପରିବାର କହିଲେ ପତ୍ନୀ ବିଦୁଲତା ମହାନ୍ତି, ପୁଅ ବିଶ୍ବଜିତ ମହାନ୍ତି (୨୭) ଏବଂ ପୁଅ ସହିତ ସ୍ତ୍ରୀ ଭଳି ଏକାଠି ରହୁଥିବା ଲିଲି ପ୍ରଧାନ (୨୫) ନାମ୍ନୀ ଜନୈକା ଯୁବତୀ। ପୁଅ ବିଶ୍ବଜିତ ବିବାହିତ। ତେବେ ପ୍ରଥମ ସ୍ତ୍ରୀକୁ ଛାଡ଼ି ସେ ତିନି ମାସ ହେଲା ଲିଲି ପ୍ରଧାନଙ୍କୁ ଆଣି ଘରେ ସ୍ବାମୀ ସ୍ତ୍ରୀ ଭାବେ ଚଳୁଥିଲେ ବୋଲି ସାହି ଲୋକଙ୍କ ସୂତ୍ରରୁ ଜଣାଯାଇଛି। ବିଦୁଲତାଙ୍କ ମାନସିକ ଅବସ୍ଥା ଭଲ ରହୁନଥିବାରୁ ପ୍ରମୋଦ ଘରେ ପୁଅବୋହୂଙ୍କୁ ଛାଡ଼ି ୪ ଦିନ ତଳେ ଅସୁସ୍ଥ ପତ୍ନୀଙ୍କୁ ସାଙ୍ଗରେ ନେଇ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଆଜି ମଧ୍ୟାହ୍ନ ୨ଟା ବେଳେ ପତ୍ନୀଙ୍କ ସହିତ ଘରକୁ ଫେରିଥିଲେ ପ୍ରମୋଦ। ଘର ଭିତର ପଟୁ ଗ୍ରିଲ୍ରେ ପଡ଼ିଥିବା ତାଲାକୁ ନିଜ ପାଖରେ ଥିବା ଚାବିରେ ଖୋଲିବା ପରେ ଭିତର ଦୃଶ୍ୟ ଦେଖି ହତବାକ୍ ହୋଇ ଯାଇଥିଲେ। ଶୋଇବା ଘରକୁ ଯିବା ବାଟରେ ବାରଣ୍ଡା ଛାତରେ ଲାଗିଥିବା ଫ୍ୟାନ୍ରେ ଦଉଡ଼ି ଦେଇ ଉଭୟ ପୁଅ-ବୋହୂ ହାତ ଧରାଧରି ହୋଇ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଅ-ବୋହୂଙ୍କ ମୃତ୍ୟୁ କାରଣ କିଛି ଜଣାପଡ଼ିନଥିବା ବେଳେ ପାରିବାରିକ ଗଣ୍ଡଗୋଳକୁ ପ୍ରମୋଦ ଅସ୍ବୀକାର କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।