ଗୁଜୁରାଟରେ ଚାଲିଗଲା ବାଳଶ୍ରମିକଙ୍କ ଜୀବନ: ୫ ଦିନ ହସ୍ପିଟାଲ ଶବଗୃହରେ ପଡି ରହିବା ପରେ ଗାଁକୁ ଶବ ଧରି ଫେରୁଛି ବାପା

ରାଉରକେଲା: ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଗୁଜୁରାଟ ଯାଇଥିବା ସୁନ୍ଦରଗଡର ଜଣେ ବାଳକ ଶ୍ରମିକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ମୃତ ବାଳଶ୍ରମିକ ଜଣକ ହେଲେ କୁଆରମୁଣ୍ଡା ଜମୁନାଢ଼ିପା ଅଞ୍ଚଳର। ଗତ ୨୩ ତାରିଖ ସନ୍ଧ୍ୟାରେ ପାଣି ମୋଟର ଷ୍ଟାର୍ଟ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତ ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ବାଳଶ୍ରମିକଙ୍କ ମୃତ୍ୟୁ ପରେ ମାଲିକ କ୍ଷତିପୂରଣ ନ ଦେଇ ଘରକୁ ଶବ ପଠାଇ ଦେଉଥିଲେ। ପରିବାର ଲୋକ ଏହି କଥା ଜାଣିବା ପରେ ଉପଯୁକ୍ତ କ୍ଷତିପୂରଣ, ୯ ମାସର ବକେୟା ଦରମା ନମିଳିବା ପର୍ଯ୍ୟନ୍ତ ଶବ ଗ୍ରହଣ କରିବେ ନାହିଁ ବୋଲି ମନା କରିଥିଲେ। ଫଳରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ତିନି ଦିନ ସ୍ଥାନୀୟ ‌ହସ୍ପିଟାଲରେ ବାଳଶ୍ରମିକଙ୍କ ଶବ ଶବଗୃହରେ ପଡି ରହିଥିଲା। କ୍ଷତିପୂରଣ ସଂକ୍ରାନ୍ତରେ ମାଲିକ କୌଣସି କଥା ନ ଶୁଣିବାରୁ ବାଳଶ୍ରମିକଙ୍କ ପିତା ଘଟଣା ସଂକ୍ରାନ୍ତରେ ରାଉରକେଲା ସମାଜସେବୀ କ୍ରିଷ୍ଣା ସାହୁଙ୍କୁ ଭେଟି ସମସ୍ତ କଥା କହିଥିଲେ। କ୍ରୀଷ୍ଣା ଏ ସଂକ୍ରାନ୍ତରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସ୍ଥାନୀୟ ଏସ୍‌ପି, ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରିବା ପରେ ସମାଧାନର ବାଟ ବାହାରିଥିଲା।

ମାଲିକ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଦେଢ଼ ଲକ୍ଷ ଟଙ୍କା ଚେକ୍‌ ଦେଇଥିଲେ। ଏଥିସହ ୯ ମାସର ବକେୟା ଦରମା ଦେବା ପରେ ପରିବାର ଲୋକ ଶବ ଗ୍ରହଣ କରିଥିଲେ। ରାଉରକେଲାରୁ ଯାଇଥିବା ପିତା ଓ ତାଙ୍କ ଜଣେ ସମ୍ପର୍କୀୟ ପୁଅର ଶବ ନେଇ ରାଉର‌କେଲା ଫେରୁଛନ୍ତି। କେବଳ କୁଆରମୁଣ୍ଡା ଜମୁନାଢ଼ିପା ନୁହେଁ ନୂଆଗାଁ, ବିଶ୍ରା ସମେତ ଅନ୍ୟାନ୍ୟ ସ୍ଥାନର ୩୦ରୁ ଅଧିକ ଶ୍ରମିକ ସେଠାରେ କାମ କରୁଛନ୍ତି। ଏମାନଙ୍କ ମଧ୍ୟରେ କିଛି ବାଳଶ୍ରମିକ ରହିଛନ୍ତି। ବନ୍ଧମୁଣ୍ଡା ଅଞ୍ଚଳର ଜଣେ ଶ୍ରମିକ ଦଲାଲ ମିଥ୍ୟା ପ୍ରତିଶ୍ରୁତି ଦେଇ ବାଳଶ୍ରମିକଙ୍କ ସହ ଅନ୍ୟମାନଙ୍କୁ ସେଠାରେ ନିଯୁକ୍ତି କରିଛନ୍ତି। ବାଳଶ୍ରମିକଙ୍କୁ ସେଠାରୁ ଫେରାଇ ଆଣିବା ସହ ଦଲାଲଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ବାଳଶ୍ରମିକଙ୍କ ପିତା ଦାବି କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବନ୍ଧମୁଣ୍ଡା ଜଣେ ଦଲାଲ କୁଆରମୁଣ୍ଡା, ନୂଆଗାଁ, ବିଶ୍ରା ସମେତ ଅନ୍ୟାନ୍ୟ ଉପାନ୍ତ ଅଞ୍ଚଳର ଶ୍ରମିକଙ୍କୁ ମାସିକ ୯ ହଜାର ଟଙ୍କା, ଅନ୍ୟାନ୍ୟ ସୁବିଧାର ଲୋଭ ଦେଖାଇ ଗୁଜୁରାଟ କାମ କରିବାକୁ ପଠାଇଥିଲେ। ଶ୍ରମିକମାନେ ଗୁଜୁରାଟ ଆନନ୍ଦ ଜିଲ୍ଲା ତାରାପୁର ଝିଙ୍ଘାମାଛ ଚିଙ୍ଗୁଡି ଫାର୍ମରେ କାମ କରୁଥିଲେ। ଫାର୍ମର ମାଲିକ ଏସ୍‌. କୁମାର ସ୍ବାମୀ ଶ୍ରମିକମାନଙ୍କୁ ନିଜ ଫାର୍ମରେ ଥିବା ୧୬ଟି ମାଛ ପୋଖରୀରେ ବିଭିନ୍ନ କାମରେ ନିୟୋଜିତ କରିଥିଲେ। ଦଲାଲଙ୍କ କହିବା ମୁତାବକ ମାସକୁ ମାସ ଠିକ୍‌ ଦରମା ଦେଉ ନଥିଲେ। ପ୍ରତିଦିନ ପରି ଗତ ୨୩ ତାରିଖ ସଂଧ୍ୟାରେ କୁଆରମୁଣ୍ଡା ଜମୁନାଢ଼ିପାର ୧୭ ବର୍ଷର ବାଳଶ୍ରମିକ ‌ପୋଖରୀ ପାଖରେ ଲାଗିଥିବା ପାଣି ମୋଟର ଷ୍ଟାର୍ଟ କରୁଥିଲେ। ବିଦ୍ୟୁତ ଆଘାତ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅଧଘଣ୍ଟା ପରେ ଜମୁନାଢ଼ିପାର ପରିବାର ଲୋକ ପୁଅର ମୃତ୍ୟୁ ଖବର ପାଇ ହଠାତ୍‌ ଚକିତ ହୋଇଯାଇଥିଲେ। ପୁଅର ମୃତ୍ୟୁ ହୋଇଥିବା ଖବରକୁ ବିଶ୍ବାସ କରି ପାରି ନଥିଲେ। ପିତା ପୁଅ ନିକଟରେ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କ ସହ କଥା ହେବା ପରେ ପୁଅର ମୃତ୍ୟୁ ହେଇଥିବା ସ୍ପଷ୍ଟ ‌ହୋଇଥିଲେ। ଫାର୍ମ ମାଲିକ ଏସ୍‌.କୁମାର ସ୍ବାମୀଙ୍କ ମ୍ୟାନେଜର ୨୫ ହଜାର ଟଙ୍କା ଅନ୍ତେଷ୍ଟ୍ରିକ୍ରିୟା ସହ ଆମ୍ବୁଲାନ୍ସରେ ପୁଅର ଶବ ପଠାଦେଉଛି ବୋଲି ମୃତ ପିତାଙ୍କୁ କହିଥିଲେ। ପୁଅର ମୃତ୍ୟୁରେ ଭାଙ୍ଗି ପଡିଥିବା ପିତା ଏ ସଂକ୍ରାନ୍ତରେ ପରିଚିତ ସମ୍ପର୍କୀୟ ସମା‌ଜସେବୀ କ୍ରିଷ୍ଣା ସାହୁଙ୍କୁ ସମସ୍ତ କଥା କହିଥିଲେ।

କ୍ରିଷ୍ଣା ଘଟଣା ସମ୍ପର୍କରେ ଫାର୍ମର ମ୍ୟାନେଜରଙ୍କ ସହ କଥା ହୋଇଥିଲେ। କିନ୍ତୁ ମ୍ୟାନେଜର ତାଙ୍କର କୌଣସି କଥା ଶୁଣି ନଥିଲେ। ପରେ କ୍ରିଷ୍ଣା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସ୍ଥାନୀୟ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପିଙ୍କ ସହ କଥା ହୋଇଥିଲେ। ମାଲିକ କ୍ଷତିପୂରଣ ବାବଦକୁ ଦେଢ଼ ଲକ୍ଷ ଟଙ୍କା ଚେକ୍‌, ୯ ମାସର ବକେୟା ଦରମା ସହ ଆମ୍ବୁଲାନ୍ସ ଖର୍ଚ୍ଚ ଦେବାକୁ କହିଥିଲେ। ପରେ ପୁଅର ଶବ ଆଣିବାକୁ ପିତା ଗତ ୨୫ ତାରିଖ ଆମ୍ବୁଲାନ୍ସ ନେଇ ରାଉରକେଲାରୁ ଗୁଜୁରାଟ ବାହାରିଥିଲେ। ୨୬ ତାରିଖ ବିଳମ୍ବିତ ରାତିରେ ଗୁଜୁରାଟରେ ପହଞ୍ଚିଥିଲେ। ଗତକାଲି ସଂଧ୍ୟାରେ ଶବ ନେଇ ଘରକୁ ଫେରୁଛନ୍ତି। ଆସନ୍ତାକାଲି (ରବିବାର) ଶବ କୁଆରମୁଣ୍ଡାରେ ପହଞ୍ଚିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର