ପାତ୍ରପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଏଭଳି ପରିସ୍ଥିତିରେ ତାମିଲନାଡ଼ୁର କୋଏମ୍ବାଟୁର୍ ସହରରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ପାତ୍ରପୁର ବ୍ଲକ୍ ବୁରତାଲ ପଞ୍ଚାୟତ ଗୁଡ଼ିପଦର ଗ୍ରାମର କୃଷ୍ଣ ଶବର (୩୮)। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା କାରଣରୁ ପେଟପାଟଣା ପାଇଁ କୃଷ୍ଣ ତାଙ୍କ ପତ୍ନୀଙ୍କୁ ନେଇ କୋଏମ୍ବାଟୁର୍ ପଳାଇଥିଲେ। ସେଠାରେ ଉଭୟ ରାସ୍ତା ସଫେଇ କାମରେ ନିୟୋଜିତ ହୋଇଥିଲେ।
ସବୁଦିନ ପରି ଗତ ଶୁକ୍ରବାର ଦିନ କୃଷ୍ଣ କାମ କରୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ କୃଷ୍ଣଙ୍କୁ ଏକ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ତେବେ ରବିବାର ପୁଣିଥରେ କୃଷ୍ଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। କିଛି ସମୟ ପରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏହି ଖବର ପ୍ରଚାର ହେବା କ୍ଷଣି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
କୃଷଙ୍କ ମୃତ୍ୟୁ ପରେ କୋଏମ୍ବାଟୁର୍ରେ ରହୁଥିବା ଗ୍ରାମର ଆଉ କିଛି ଲୋକ ଶବକୁ ଗାଁକୁ ପଠାଇବାକୁ ଚେଷ୍ଟା କରିଥିଲେ। ତେବେ ଅର୍ଥାଭାବରୁ ତାହା ସମ୍ଭବ ହୋଇନଥିଲା। ଫଳରେ ସେହି ଠାରେ ହିଁ, ଶବ ସତ୍କାର କରାଯାଇଥିବା ଗ୍ରାମର ରାଜୁ ଶବର ସୂଚନା ଦେଇଛନ୍ତି। ସ୍ବାମୀଙ୍କ ମୃତ୍ୟୁ ସାର୍ଟିଫିକେଟ୍ ମିଳିବା ପରେ ପତ୍ନୀ ଗ୍ରାମକୁ ଫେରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ଦାବି ହୋଇଛି।
ଦାଦନ ଯନ୍ତ୍ରଣା: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବରୁ ଆସିପାରିଲାନି ଶବ
/sambad/media/post_attachments/wp-content/uploads/2022/06/dead-f.jpg)