ମିଳିଲାନି ମହାପ୍ରୟାଣ, ରିକ୍ସାରେ ଶବବୁହା

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲରେ ଆଜି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ମହାପ୍ରୟାଣ ଗାଡ଼ି ନମିଳିବାରୁ ଜଣେ ଯୁବକଙ୍କ ଶବ ରିକ୍ସାରେ ବୁହା ହୋଇ ଯିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବଡ଼ ମେଡିକାଲ ପରିସରରୁ ଘରୋଇ ଆମ୍ବୁଲାନ୍ସକୁ ହଟାଇ ଦିଆଯାଇଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ସେପଟେ ମେଡିକାଲରୁ ଅନ୍ୟ ସ୍ଥାନକୁ ରେଫର୍‌ ହେଉଥିବା ରୋଗୀମାନଙ୍କ ପାଇଁ ମଧ୍ୟ ଆମ୍ବୁଲାନ୍ସ ନମିଳିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ ବଡ଼ ମେଡିକାଲ ପରିସରରେ ପ୍ରାୟ ୩୫ଟି ଘରୋଇ ଆମ୍ବୁଲାନ୍ସ ରହିଥିଲା। ଏମାନେ ରୋଗୀଙ୍କୁ ନେବା ଆଣିବା ସହିତ ଶବ ନେଉଥିଲେ। କିନ୍ତୁ ଆଜି ଅଚାନକ୍‌ ମେଡିକାଲ କର୍ତ୍ତୃପକ୍ଷ ଏହି ସମସ୍ତ ଘରୋଇ ଆମ୍ବୁଲାନ୍ସକୁ ହଟାଇ ଦେଇଛନ୍ତି। ଫଳରେ ରୋଗୀ ଆମ୍ବୁଲାନ୍ସ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଟପୁର ଅଞ୍ଚଳର ନନ୍ଦକିଶୋର ମହାରଣାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନରେ ତାଙ୍କର ବିୟୋଗ ଘଟିଥିଲା। ପରିବାର ବର୍ଗ ଶବ ନେବା ପାଇଁ ଆମ୍ବୁଲାନ୍ସ ଖୋଜିଥିଲେ। କିନ୍ତୁ ସେମାନଙ୍କୁ ମହାପ୍ରୟାଣ ଗାଡ଼ି ମିଳି ନଥିଲା। ସେପଟେ ମେଡିକାଲ ପରିସରରୁ ଘରୋଇ ଆମ୍ବୁଲାନ୍ସ ହଟାଇ ଦିଆଯାଇଥିଲା।

ଏହାର ପ୍ରତିବାଦ କରି ଘରୋଇ ଆମ୍ବୁଲାନ୍ସ ତରଫରୁ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ମୃତକଙ୍କ ସମ୍ପର୍କୀୟଙ୍କୁ ମେଡିକାଲରେ ଘରୋଇ ଆମ୍ବୁଲାନ୍ସ ମିଳି ନଥିଲା। ଶେଷରେ ମୃତକଙ୍କ ସମ୍ପର୍କୀୟ ଏକ ରିକ୍ସାରେ ଶବ ନେଇ ମେଡିକାଲରୁ ବାହାରିଥିଲେ। ସେମାନେ କୋର୍ଟପେଟା ଛକରେ ଅନ୍ୟ ଏକ ଗାଡ଼ି ଭଡ଼ା କରି ଶବ ପାଟପୁର ନେଇଥିଲେ। ଏହି ଘଟଣା ଆଜି ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ଆଜି ଦିନ ସାରା ଘରୋଇ ଆମ୍ବୁଲାନ୍ସ କର୍ମଚାରୀ କାମ ବନ୍ଦ କରିଥିବା ଯୋଗୁଁ ରୋଗୀଙ୍କୁ ଭୁବନେଶ୍ୱର କିମ୍ବା ବିଶାଖାପାଟଣା ନେବାରେ ମଧ୍ୟ ଅସୁବିଧା ହୋଇଥିଲା। ଲୋକ ଆମ୍ବୁଲାନ୍ସ ନପାଇ ଟାଟା ସୁମୋ, ବଲୋରୋ ଭଳି ଗାଡ଼ିରେ ଅକ୍ସିଜେନ୍‌ ଲଗାଇ ରୋଗୀଙ୍କୁ ନେଇଥିବା ଦେଖିବାକୁ ମିଳିଛି। ମେଡିକାଲରେ ଆବଶ୍ୟକ ଆମ୍ବୁଲାନ୍ସ ନଥିବାରୁ ଆସନ୍ତା କାଲି ରୋଗୀ ଆହୁରି ହଇରାଣ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର