କୋରାପୁଟ : ଶବକୁ ବି ସମ୍ମାନ ମିଳିଲାନି, ୭ଘଣ୍ଟା ପରେ ଉଠିଲା ମୃତଦେହ

କୋରାପୁଟ : ଶବକୁ ବି ମିଳୁନି ସମ୍ମାନ। ଡାକ୍ତରଖାନା ବାରଣ୍ଡାରେ ଘଣ୍ଟା ଘଣ୍ଟା ପଡ଼ି ରହୁଛି ମୃତଦେହ। ବାରମ୍ବାର ଅଭିଯୋଗ ପରେ ବି ଏମିତି ଅବସ୍ଥାରେ ସୁଧାର ଆସୁନି। ଏପରିକି ଆଜି ଜଣେ ମହିଳାଙ୍କ ମୃତଦେହ ୭ ଘଣ୍ଟା ଧରି ମେଡିକାଲରେ ପଡ଼ି ରହିବା ପରେ କୋରାପୁଟ ମେଡିକାଲ କଲେଜରେ ରହିଥିବା ଅବ୍ୟବସ୍ଥା ପଦାରେ ପଡ଼ିଛି।

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଂଚାୟତ ପଣସପୁଟ ଗ୍ରାମର ମୋତି ଖରା (୬୦ବର୍ଷ) କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ଏସଏଲଏନ ମେଡିକାଲ କଲେଜର ଭେଷଜ ବିଭାଗରେ ୨୮୨ ନମ୍ବର ଶଯ୍ୟାରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ବେଳକୁ ପାଖରେ ଏକମାତ୍ର ଝିଅ ରହିଥିଲେ। ଏହି ଖବର ପାଇବାରେ ଗ୍ରାମର କିଛି ଯୁବକ କୋରାପୁଟରେ ପହଞ୍ଚି ହେଲ୍ପ ଡେସ୍କରେ ଗାଡ଼ି ପାଇଁ କହିଥିଲେ। କିନ୍ତୁ କୌଣସି ଗାଡ଼ି ନ ଥିବା ସେମାନେ ପ୍ରକାଶ କରିଥିଲେ। ପରେ ଏହି ଯୁବକମାନେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଭେଟି ଶବ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପ୍ରଥମେ ନିର୍ବାଣ ଗାଡି ପହଂଚିବା ପରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। କିନ୍ତୁ ଉକ୍ତ ଗାଡ଼ି ୧୮୦୦ ଟଙ୍କା ନେବ ବୋଲି କୁହାଯାଇଥିଲା। ଏପଟେ ମୃତ ମହିଳାଙ୍କ ଝିଅ ଅତ୍ୟନ୍ତ ଗରିବ ହୋଇଥିବାରୁ ତା ପାଖରେ କିଛି ଟଙ୍କା ନ ଥିବା କହିବା ପରେ କିପରି ଶବ ଗ୍ରାମକୁ ଯିବ ବୋଲି ଯୁବକମାନେ ଚିନ୍ତାରେ ପଡ଼ିଯାଇଥିଲେ। ଏହାପରେ ଦିନ ଗୋଟାଏରେ ମହାପ୍ରୟାଣ ଗାଡ଼ି ପହଂଚିବାପରେ ମାଗଣାରେ ମୃତଦେହ ଗ୍ରାମକୁ ନେଇଥିଲେ। କିନ୍ତୁ, ଇତିମଧ୍ୟରେ ୭ ଘଣ୍ଟା ବିତିଯାଇଥିଲା।

ସମ୍ବନ୍ଧିତ ଖବର