ସାଇକଲ୍‌ରେ ମହିଳାଙ୍କ ଶବକୁ ଶ୍ମଶାନ ନେବା ଘଟଣା : ବଦଳିଗଲା ଘଟଣାର ପ୍ରଚ୍ଛଦପଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲି ଗାଁର ଚତୁର୍ଭୁଜ ବାଙ୍କ ନିଜ ଶାଳୀଙ୍କ ଶବକୁ ସାଇକଲ୍‌ରେ ଶ୍ମଶାନ ନେଇ ସତ୍କାର କରିବା ଘଟଣା ରାଜ୍ୟ ତମାମ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହା ରାଜ୍ୟ ରାଜନୀତିକୁ ମଧ୍ୟ ଉଷ୍ମ କରିଛିି। ଗଣମାଧ୍ୟମରେ ଶବ ବୁହା ଘଟଣା ପ୍ରଘଟ ହେବା ପରେ ପ୍ରଶାସନିକ ତତ୍ପରତା ମଧ୍ୟ ଦେଖିବାକୁ ମିଳିଛି। ମାତ୍ର ଉକ୍ତ ଘଟଣାକୁ ୪୮ ଘଣ୍ଟା ମଧ୍ୟ ବିତି ନଥିବା ବେଳେ ପ୍ରକୃତ ଘଟଣାର ପ୍ରଚ୍ଛଦପଟରେ ଥିବା କାହାଣୀ ଶୁକ୍ରବାର ସଂପୂର୍ଣ୍ଣ ଓଲଟ ପାଲଟ ହୋଇଥିବା ଦେଖିବାକୁ ମିଳିଛି। ଦାନ ମାଝୀ ଭଳି ଘଟଣାର କେନ୍ଦ୍ରବିନ୍ଦୁ ହୋଇଥିବା ଅଭାବୀ ଚତୁର୍ଭୁଜଙ୍କ ଚରିତ୍ର ପ୍ରଶାସନିକ ଓ ରାଜନୈତିକ ବ୍ୟକ୍ତିଙ୍କ ଦୃଷ୍ଟିରେ ଏଇ ତିନି ଦିନରେ ବଦଳି ଯାଇଛି।

ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷ୍ଣପାଲିକୁ ଯାଇ ଚତୁର୍ଭୁଜ ଘରେ ଥିବା ତାଙ୍କ ଖୁଡ଼ି ଉପାଶୀ ବାଙ୍କ(୫୬)ଙ୍କୁ ଉଦ୍ଧାର କରାଯାଇଛି। ସଂପୃକ୍ତ ମହିଳାଙ୍କୁ ନେଇ ଚାରିଛକରେ ଥିବା ଜରାଶ୍ରମରେ ଛାଡ଼ି ଦିଆଯାଇଥିବା ବେଳେ ତାଙ୍କ ମାନସିକ ବିକୃତି ଥିବା ମଧ୍ୟ କୁହାଯାଉଛି। ଚତୁର୍ଭୁଜଙ୍କ କାକା କପିଳ ବାଙ୍କର ମୃତ୍ୟୁ ପରେ ଖୁଡ଼ି ଉପାଶୀଙ୍କୁ ଚତୁର୍ଭୁଜ ନିଜ ଘରେ ଆଶ୍ରୟ ଦେଇ ଭରଣପୋଷଣ କରୁଥିବା ବେଳେ କାକାଙ୍କ ୧୦ ଏକର ଜମିକୁ ନେଇ ନିଜ ପାଞ୍ଚ ଭାଇ ମଧ୍ୟରେ ବିବାଦ ଉପୁଜିଥିବା ଚତୁର୍ଭୁଜ ପୂର୍ବରୁ କହି ଆସିଛନ୍ତି। ମାତ୍ର ସେହି ଜମରେ ଭାଇମାନେ ହିଁ ଚାଷ କରୁଥିବା ବେଳେ ନିଜେ ଲିଜ୍‌ରେ ଗୋଟେ ଏକର ଜମି ଚାଷ କରି ଚଳୁଥିବା କହୁଛନ୍ତି। ବର୍ତ୍ତମାନ ପ୍ରଶାସନର ତଦନ୍ତରେ ଜଣାପଡ଼ିଛି ଯେ, ଚତୁର୍ଭୁଜ ଖୁଡ଼ି ଉପାଶୀଙ୍କୁ ତିନି ବର୍ଷ ହେବ ଘରେ ବନ୍ଦୀ ଭଳି ରଖିଥିଲେ ଓ କାହାକୁ ଭେଟ ମଧ୍ୟ କରିବାକୁ ଦେଉ ନଥିଲେ। ଶାଶୂ ଶ୍ୱଶୁରଙ୍କ ମୃତ୍ୟୁ ପରେ ସେ ତାଙ୍କ ଶାଳୀ ପାଞ୍ଚକୁ ମଧ୍ୟ ଘରେ ଆଶ୍ରୟ ଦେଇଥିଲେ। ଝାଡ଼ାବାନ୍ତିରେ ମୃତ୍ୟୁ ଘଟିବା ପରେ ପାଞ୍ଚଙ୍କ ଶବକୁ ନେଇ ମଙ୍ଗଳବାର ରାତି ୯ଟାରେ ଗାଁକୁ ଚତୁର୍ଭୁଜ ପହଞ୍ଚିଥିଲେ। ଗାଁ ଲୋକଙ୍କ ସମେତ ତାଙ୍କ ଗଉଡ଼ ସମାଜର ଭାଇମାନଙ୍କୁ ମଧ୍ୟ ଡାକିଥିଲେ। ସେହି ରାତି ତମାମ ଚତୁର୍ଭୁଜ ଓ ତାଙ୍କ ଝିଅ ମୃତ ମହିଳାଙ୍କ ଶବକୁ ଜଗି ରହିଥିଲେ ଓ କେହି ନଆସିବାରୁ ବୁଧବାର ଦିନ ୧୨ଟାରେ ଏକା ସାଇକଲରେ ଶ୍ମଶାନକୁ ନେଇ ପୋତି ଦେଇଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖୁଥିବା ସତ୍ତ୍ୱେ ସେସମୟରେ କେହି ତାଙ୍କୁ ସହଯୋଗ କରିବାକୁ ଆସି ନଥିଲେ। ମାତ୍ର ପ୍ରଶାସନିକ ତତ୍ପରତା ଓ ସରକାରୀ ବାବୁମାନେ ଗାଁକୁ ପହଞ୍ଚିବା ପରେ ଗାଁ ଲୋକେ ଚତୁର୍ଭୁଜ ସେମାନଙ୍କୁ ଡାକି ନଥିବା ଲିଖିତ ଭାବେ ଜିଲ୍ଲା ପ୍ରଶାସନକୁ ଦେଇଛନ୍ତି। ଏହା ଘଟଣାକୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲା।

ଅପରପକ୍ଷେ ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳ ସଦର ହସପିଟାଲ ପହଞ୍ଚି ଚତୁର୍ଭୁଜଙ୍କୁ ଭେଟିଥିଲେ। ସେଠାରେ ଚିକିତ୍ସିତ ହେଉଥିବା ଚତୁର୍ଭୁଜଙ୍କ ସ୍ତ୍ରୀ ବେଦ ମହାକୁଡ଼ (୫୩)ଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ। ଝାଡ଼ାବନ୍ତିରେ ଆକ୍ରାନ୍ତ ବେଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଶୁକ୍ରବାର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର