ଶବକୁ ମିଳିଲାନି ସମ୍ମାନ : ବ୍ୟବଚ୍ଛେଦ ପାଇଁ ବାଇକ୍‌ରେ ଗଲେ ହସ୍‌ପିଟାଲ

ଜଗତସିଂହପୁର/ନାଉଗାଁ : ବଜ୍ରପାତ ପ୍ରାଣ ନେଲା। ବିଲରେ ଚାଷକାମ କରୁଥିବାବେଳେ ଅକାଳରେ ଝଡ଼ିପଡ଼ିଲା ଜୀବନ। ମୃତ୍ୟୁ ପରେ ମଧ୍ୟ ତାଙ୍କୁ ନିସ୍ତାର ମିଳିଲାନି। ବାଇକ୍‌ରେ ବୁହା ହୋଇ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ଓ ମେଡ଼ିକାଲରୁ ମଶାଣି ଯିବାକୁ ପଡ଼ିଲା। ସାରା ରାଜ୍ୟରେ ଶବକୁ ସମ୍ମାନ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଥିବାବେଳେ ଏହି ଘଟଣା ହେଉଛି ତାହାର ଏକ ପୁନରାବୃତ୍ତି! ଏହି ଘଟଣା ସହିତ ପୁଲିସ୍‌ର ଅସହଯୋଗ ମଧ୍ୟ ଯୋଡ଼ି ହୋଇଯାଇଛି, ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ମୃତ ବ୍ୟକ୍ତି ହେଉଛନ୍ତି ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ବ୍ଳକ୍‌ ବଛାଳ ଗାଁର ଚାଷୀ ଦୁଷ୍ମନ୍ତ କୁମାର ରାଉତ। ଆଜି ତାଙ୍କର ବଜ୍ରପାତ ଯୋଗୁ ମୃତ୍ୟୁ ଘଟିଛି। ଦୁଷ୍ମନ୍ତଙ୍କ ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ୍‌ର ସହାୟତା ଲୋଡ଼ିଥିଲେ। ମାତ୍ର, ପୁଲିସ୍‌ର ସହାୟତା ନ ପାଇବାରୁ ବାଇକ୍‌ରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସହ ବ୍ୟବଚ୍ଛେଦ କରାଇଥିଲେ। ଏହାପରେ ପୁଣିଥରେ ବାଇକ୍‌ରେ ଶବକୁ ଘରକୁ ଆଣିଥିଲେ। ପୁଲିସ ସବୁ ଜାଣି ଅଜଣା ରହିବା ସହ କେବଳ ବ୍ୟବଚ୍ଛେଦ ସମୟରେ ଜଣେ କର୍ମଚାରୀଙ୍କୁ ହସ୍‌ପିଟାଲକୁ ପଠାଇ ଦାୟିତ୍ୱ ଶେଷ କରିଦେଇଛି।

ନିୟମ ମୁତାବକ, ଶବ ବ୍ୟବଚ୍ଛେଦ ପୁଲିସର ଦାୟିତ୍ଵ। ମୃତଦେହ ହସ୍‌ପିଟାଲକୁ କେମିତି ଯିବ ସବୁ ବ୍ୟବସ୍ଥା ପୁଲିସ କରିବା ଉଚିତ୍‌। ମାତ୍ର ନାଉଗାଁ ଥାନା ଇନ୍‌ସପେକ୍ଟର ପ୍ରଜ୍ଞା ଋତମ୍ଭରା କର ନିଜ ଉପରୁ ଦୋଷ ହଟାଇବା ପାଇଁ କହିଛନ୍ତି ଯେ, ‘ଏହି ଘଟଣା ଘଟିବା ସମୟରେ ଅପରାହ୍ନ ହୋଇଯାଇଥିଲା। ଏଣୁ, ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଇବାକୁ ମୃତକଙ୍କ ପରିବାରକୁ ପରାମର୍ଶ ଦେଇଥିଲୁ। ସେମାନେ ଏଥିରେ ରାଜି ହେଲେ ନାହିଁ। ତଥାପି ବ୍ୟବଚ୍ଛେଦ ପାଇଁ ସେମାନଙ୍କ ସାଥୀରେ ଜଣେ ଥାନା କର୍ମଚାରୀଙ୍କୁ ପଠାଯାଇଥିଲା।’

ତେବେ, ପୁଲିସ୍‌ ଅଧିକାରୀଙ୍କ ଏହି ଉତ୍ତର ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ସେମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏହାକୁ ଅମାନବୀୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର