ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୁଲିଲା ସହର, ଗଣମାଧ୍ୟମ ହସ୍ତକ୍ଷେପ ପରେ ଶେଷକୃତ୍ୟ

ବାରିପଦା : ଚିହ୍ନା ହେଉ କି ଅଚିହ୍ନା। ଧନୀ ହେଉ କି ଗରିବ। ସମ୍ମାନର ସହ ଦାହସଂସ୍କାର କରାଯିବା କଥା। କିନ୍ତୁ ବାରିପଦା ସହରରେ ମନକୁ ବିଚଳିତ କରିବା ଭଳି ଘଟଣା ଘଟିଛି। ଜଣେ ଅସହାୟ ବୃଦ୍ଧଙ୍କ ମୃତଦେହକୁ କେହି କାନ୍ଧ ଦେଲେନି। କେହି ସମ୍ପର୍କୀୟ ନ ଥିଲେ ପୌର ପ୍ରଶାସନ ତାଙ୍କର ଦାହସଂସ୍କାର କରାଇବା କଥା। କିନ୍ତୁ ତାହା ମଧ୍ୟ ଘଟି ନ ଥିଲା। ପୁଲିସ ପରାମର୍ଶରେ ମୃତଦେହକୁ ଟ୍ରଲିରେ ନେଇ ଜଙ୍ଗଲକୁ ପୋତିବାକୁ ନେଇଥିଲେ ୩ଜଣ ଲୋକ। ଆଉ ଦୁର୍ଭାଗ୍ୟ ସ୍ଥାନୀୟ ଲୋକ ବାଧା ଦେବାରୁ ଫେରାଇ ଆଣି ରାଜପଥରେ ଘିରିଘିରି ହୋଇ ବୁଲିଥିଲେ ଏହି ୩ ଜଣ। କ’ଣ କରିବେ କିଛି ଚିନ୍ତା କରିପାରିନଥିଲେ। ଶେଷର ଗଣମାଧ୍ୟମର ହସ୍ତକ୍ଷେପ ପରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସ୍ବତନ୍ତ୍ର ଆମ୍ବୁଲାନ୍ସ ପଠାଇ ଶବକୁ ମଶାଣିକୁ ନେବା ସହ ଦାହସଂସ୍କାର କରାଇଥିଲେ। ହେଲେ, ସେତେବେଳକୁ ବହୁତ ସମୟ ବିତିଯାଇଥିଲା।

ବାରିପଦା ସହରର ପାଲବଣି ଅଞ୍ଚଳର ଧନୁ ସିଂ ଓରଫ ଭୂତ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜିକୁ ୬/୭ ବର୍ଷ ହେବ ଏଠାରେ ଏକ ଶୀତଳଭଣ୍ଡାରରେ ମୂଲିଆ କାମ କରୁଥିଲେ। ନିଜର ଘର ନ ଥିବାରୁ ପାଲବଣି ଅଞ୍ଚଳର ସୂରଜ ସୋରେନଙ୍କ ପିଣ୍ଡାରେ ଆଶ୍ରୟ ନେଇଥିଲେ। ୬/୭ ଦିନ ହେବ ଅସୁସ୍ଥ ଥିଲେ ଧନୁ। ଆଜି ତାଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଲୋକେ ପୁଲିସ ଓ ପୌର ପ୍ରଶାସନକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ନେଇ ପୋତିଦେବାକୁ ପରାମର୍ଶ ଦେଇଥିଲା ବୋଲି ସୂରଜ କହିଛନ୍ତି। ହେଲେ ମୃତଦେହକୁ କେମିତି ନିଆଯିବ ସେ ସମ୍ପର୍କରେ କିଛି କହି ନ ଥିଲେ। ୩ଜଣ ଲୋକ ବାଧ୍ୟ ହୋଇ ଏକ ଟ୍ରଲିରେ ଧନୁଙ୍କ ମୃତଦେହ ନେଇ ମେଞ୍ଚାବନ୍ଧା ଜଙ୍ଗଲକୁ ଯାଇଥିଲେ। ସେଠାରେ ସ୍ଥାନୀୟ ଲୋକେ ବିରୋଧ କରିବାରୁ ନିରାଶ ହୋଇ ଫେରିଆସିଥିଲେ। ୧୮ ନମ୍ବର ଜାତୀୟ ରାଜପଥରେ ଟ୍ରଲିରେ ଶବ ଧରି ବୁଲୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ନଜରରେ ଆସିଥିଲା। ଗଣମାଧ୍ୟମର ହସ୍ତକ୍ଷେପ ପରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସ୍ବତନ୍ତ୍ର ଆମ୍ବୁଲାନ୍ସ ପଠାଇ ଶବକୁ ମଶାଣିକୁ ନେବା ସହ ଦାହସଂସ୍କାର କରାଇଥିଲେ।

ତେବେ, ଶବ ସତ୍କାର କରିବା ପାଇଁ ସ୍ଥାନୀୟ ଲୋକେ କିଛି ବ୍ୟବସ୍ଥା କରିପାରି ନଥା’ନ୍ତେ କି? ପୌର ପ୍ରଶାସନ କାହିଁକି ଭୁଲିଗଲା ନିଜ ଦାୟିତ୍ବ? ଏତେ ସମୟ ଧରି ଏକ ଟ୍ରଲିରେ ଶବ ସହର ସାରା କାହିଁକି ବୁଲାଇବାକୁ ପଡ଼ିଲା? ସାଧାରଣରେ ଏହିସବୁ ପ୍ରଶ୍ନ ଘୂରି ବୁଲୁଛି ସିନା ବଂଚିବା ଭଳି ମୃତ୍ୟୁ ପରେ ବି ଧନୁଙ୍କୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର