ପିଟିପିଟି ମାରିଦେଲେ, ମହାନଦୀ ବାଲି ତଳୁ ମିଳିଲା ଶବ

କଟକ-ଜଗତପୁର: ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିବା ପରେ ବାଲିରେ ପୋତି ଦେବା ଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଜଗତପୁର ଅଞ୍ଚଳରେ। ଜଣେ ମଦ ବ୍ୟବସାୟୀ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି। ମୃତଦେହକୁ କୋକେଇରେ ନେଇ ମହାନଦୀ ବାଲି ତଳେ ପୋତି ଦିଆଯାଇଥିବା ବେଳେ ଆଜି ୬ ଫୁଟ୍‌ ବାଲି ତଳୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଗତପୁର ତାଳବଣିଆ ଆଦିବାସୀ ବସ୍ତିର ଶିବ ସିଂହ(୩୫)। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟବସାୟୀଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ତାଳ ବଣିଆ ବସ୍ତିର ମଦ ବ୍ୟବସାୟୀ ପାଗୁଲୁ ଓରଫ ସନିଆ ସିଂହ(୩୦), ମୟୂରଭଞ୍ଜ ଜିଲ୍ଲା ଚିତ୍ରଡ଼ା ଥାନା ଅନୁଅଷ୍ଠିଆ ଗ୍ରାମର ଚିକୁ ଓରଫ ଚାପା ହେମ୍ବ୍ରମ୍‌(୨୨), ତରୋଳ ଗ୍ରାମର ନନ୍ଦ ଓରଫ ମଙ୍ଗରାଜ ନାୟକ(୪୦), ମନୁ ନାୟକ(୨୪) ଏବଂ ରକି ନାୟକ(୨୧)। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୧୦ରୁ ଅଧିକ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଗତ ୨୯ ତାରିଖ ରାତି ପ୍ରାୟ ୯ଟା ୩୦ ବେଳେ ଜଗତପୁର ତାଳବଣିଆ ଅଞ୍ଚଳରେ ସନିଆ ମଦ ବିକ୍ରି କରୁଥିଲା। ସେହି ସମୟରେ ଶିବ ମଦ ପିଇବାକୁ ଆସିଥିଲା। ମଦ କିଣିବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଭିଯୁକ୍ତ ସନିଆ ଉତ୍‌କ୍ଷିପ୍ତ ହୋଇ ନିକଟରେ ପଡ଼ିଥିବା ଏକ ଭଙ୍ଗା ଆଜ୍‌ବେଷ୍ଟସ୍‌ ଖଣ୍ଡ ଆଣି ଶିବ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା। ଫଳରେ ଶିବ ତଳେ ପଡ଼ି ଅଚେତ ହୋଇଯାଇଥିଲା। ଚେତା ଫେରିଲା ପରେ ସେ ଘରକୁ ପଳାଇଥିଲା। ପରେ ସନିଆର ସହଯୋଗୀମାନେ ମଦ ପିଇବାକୁ ଆସଥିବା ବେଳେ ଶିବ ସହିତ ହୋଇଥିବା ଗଣ୍ଡଗୋଳ ସମ୍ପର୍କରେ ଆଲୋଚନା କରିଥିଲେ। ସନିଆର ସହଯୋଗୀ ମନୁ, ରକି, ଚିକୁ, ନନ୍ଦ ପ୍ରମୁଖ ସଂଘବଦ୍ଧ ଭାବେ ଶିବ ଘରେ ପଶି ପାଟି ତୁଣ୍ଡ କରିବା ସହିତ ତାକୁ ସେଠାରେ ପିଟି ପିଟି ମାରିଦେଇଥିଲେ। ଆଜି ଭୋରୁ ସନିଆ ଅନ୍ୟ ସହଯୋଗୀଙ୍କ ସହାୟତାରେ ଏକ କୋକେଇରେ ଶିବର ମୃତଦେହକୁ ନେଇ ମହାନଦୀ ପଠାରେ ୬ ଫୁଟ୍‌ ଗାତ ଖୋଳି ପୋତି ଦେଇଥିଲେ । ଶିବଙ୍କ ସ୍ୱଭାବିକ ମୃତ୍ୟୁ ହୋଇଥିବା ଦର୍ଶାଇବାକୁ ଅଭିଯୁକ୍ତମାନେ ଏଭଳି ନାଟକ କରିଥିଲେ । ଆଜି ଘଟଣା ସମ୍ପର୍କରେ ପୁଲିସ ଜାଣିବା ପରେ ପଠାକୁ ଯାଇ ବାଲି ତଳୁ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର