ଭୁବନେଶ୍ବରରୁ ଗାଁକୁ ଆସିଥିଲେ; ବଜାରକୁ ବୁଲିବାକୁ ଯାଇ ନିଖୋଜ, ଷ୍ଟାଡିୟମ୍‌ ପଛପଟୁ ମୃତଦେହ ଉଦ୍ଧାର

ବେକରେ କପଡ଼ା ଭିଡ଼ି ମାରିଥିବା ସନ୍ଦେହ

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ଷ୍ଟାଡିୟମ୍ ପଛପଟ ଜଙ୍ଗଲରୁ ଗୁରୁବାର ଜଣେ ଯୁବକଙ୍କ ଶବକୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ମୃତକଜଣକ ହେଲେ, ଶେରଗଡ଼ ଥାନା ରାମଗିରି ଗ୍ରାମର ସୀମାଞ୍ଚଳ ସାହୁ(୨୫)। ପାରିପାର୍ଶ୍ବିକ ସ୍ଥିତିକୁ ନଜରରେ ରଖି ମୃତକଙ୍କ ପରିବାରର ଏତଲା କ୍ରମେ ଶେରଗଡ଼ ଥାନ‌ାରେ କେସ୍ ନମ୍ବର ୨୦୩/୨୨ ଅନୁସାରେ ହତ୍ୟା ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ତନାଘନା ଆରମ୍ଭ କରିଛି।

ରାମଗିରିର ସ୍ବର୍ଗତ ବିଜୟ ସାହୁଙ୍କ ସାନ ପୁଅ ସୀମାଞ୍ଚଳ ଭୁବନେଶ୍ୱରରେ ହୋଟେଲ୍ ବ୍ୟବସାୟ କରୁଥିବା ବେଳେ ବୁଧବାର ଗାଁକୁ ଆସିଥିଲେ। ସନ୍ଧ୍ୟାରେ ଶେରଗଡ଼ ବଜାରରେ ବୁଲୁଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଥିଲେ। ଗୁରୁବାର ସକାଳେ ଷ୍ଟାଡିୟମ୍ ପଛପଟ ଜଙ୍ଗଲରୁ ତାଙ୍କ ଶବ ମୁହଁ ମାଡ଼ି ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ତାଙ୍କ ବେକରେ ଏକ କପଡ଼ାକୁ ଶକ୍ତ ଭାବେ ଗୁଡ଼ାଇ ଦିଆଯାଇଥିବା ସହ ୨ଟି ଗଣ୍ଠି ପଡ଼ିଥିଲା। ଏହାସହ ତାଙ୍କ ୨ ହାତରେ କ୍ଷତ ଚିହ୍ନ ଥିଲା ଓ ନାକରୁ ରକ୍ତ ବାହାରୁଥିଲା। ଘଟଣାସ୍ଥଳରେ ସୀମାଞ୍ଚଳଙ୍କ ମୋବାଇଲ୍ ଓ ଚପଲ୍ ପଡ଼ିଥିଲା। ତେବେ ସବୁଠାରୁ ବଡ଼କଥା ହେଉଛି, ଶବ ଉଦ୍ଧାର ସ୍ଥାନରୁ ସୀମାଞ୍ଚଳଙ୍କ ଘର ମାତ୍ର ୧୦୦ ମିଟର ଦୂର ହୋଇଥିଲେ ହେଁ ପରିବାର ଲୋକେ ସାମାନ୍ୟତମ ସୁରାକ ପାଇ ପାରି ନଥିଲେ।

ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ, ଶେରଗଡ଼ ଥାନାଧିକାରୀ ମନୋଜ କୁମାର ପ୍ରଧାନ, ଏଏସ୍ଆଇ କୃଷ୍ଣଚନ୍ଦ୍ର ଦାଶଙ୍କ ସମେତ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିଲେ। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ତଦନ୍ତ ବେଳେ ସନ୍ଧାନୀ କୁକୁରଟି ଘଟଣାସ୍ଥଳରୁ ସୀମାଞ୍ଚଳଙ୍କ ବାରିପଟେ ଦୌଡ଼ି ପାହାଡ଼ ପର୍ଯ୍ୟନ୍ତ ଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ଏଯାଏ ତନାଘନା ଜାରି ରଖିଛି। ଷ୍ଟାଡିୟମ୍ ପ୍ରବେଶପଥ ସାମ୍ନାରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ, ଘଟଣା ସଂପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଏସଡିପିଓ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ସୀମାଞ୍ଚଳ ଅବିବାହିତ ହୋଇଥିବା ସାଙ୍ଗକୁ ବହୁ ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲେ। ଗାଁକୁ ପ୍ରାୟତଃ ସେ ଆସୁ ନଥିଲେ। ଗ୍ରାମରେ କୌଣସି ବ୍ୟକ୍ତିଙ୍କ ସହ ତାଙ୍କର ଶତ୍ରୁତା ଓ ବିବାଦ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବ‌େ କାହିଁକି ସୀମାଞ୍ଚଳଙ୍କୁ ହତ୍ୟା କରାଗଲା,ଏହାକୁ ନେଇ ଗ୍ରାମରେ ଚର୍ଚ୍ଚା ଜୋର୍ ଧରିଛି।

ତଦନ୍ତର ବାଟ ଫିଟାଇବ ରଙ୍ଗିନ୍ କପଡ଼ା?
ସୀମାଞ୍ଚଳଙ୍କୁ ହତ୍ୟାକୁ ନେଇ ଏଯାଏ ସସ୍‌ପେନ୍ସ୍ ଜାରି ରହିଥିବା ବେଳେ ତାଙ୍କ ବେକରେ ଗୁଡ଼ାଯାଇଥିବା ରଙ୍ଗିନ୍ କପଡ଼ା ହିଁ ତଦନ୍ତର ବାଟ ଫିଟାଇବ ବୋଲି ଚର୍ଚ୍ଚା ହେଉଛି। ସନ୍ଧାନୀ କୁକୁର ଘଟଣାସ୍ଥଳରୁ ମୃତକଙ୍କ ଘର ବାରିପଟେ ଦୌଡ଼ିଥିବା ବେଳ‌େ ଏହି ସମୟରେ ସୀମାଞ୍ଚଳଙ୍କ ବେକରେ ଗୁଡ଼ାଯାଇଥିବା କପଡ଼ାକୁ ପୁଲିସ ଅଚାନକ ବାହାର କରିଦେଇଥିଲା। କପଡ଼ାଟି ମହିଳାମାନଙ୍କ ଓଢ଼ଣି ଭଳି ଦେଖାଯାଉଛି। ଫଳରେ ଏହାପଛରେ ରହସ୍ୟ ଲୁଚି ରହିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର